କନକବ୍ୟୁରୋ : ଇସ୍ରାଏଲ ଓ ଇରାନ ମଧ୍ୟରେ ସଂଘର୍ଷ ସପ୍ତମ ଦିନରେ ପହଂଚିଥିବା ବେଳେ ଉଭୟ ଦେଶ ଗୁରୁବାର ପରସ୍ପର ବିରୋଧରେ ଆକ୍ରମଣ ଜାରି ରଖିଛନ୍ତି । ଇରାନ ଗୁରୁବାର ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ବର୍ଷା କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ସଂଘର୍ଷରେ ଆମେରିକାର ସମ୍ଭାବ୍ୟ ସମ୍ପୃକ୍ତି ଉପରେ ବିଚାର କରୁଛନ୍ତି ଏବଂ ସେହି ଆଧାରରେ ପ୍ରସ୍ତୁତି ପଦକ୍ଷେପ ନେଉଛନ୍ତି ।
ସାମରିକ ସ୍ଥଳ, ବରିଷ୍ଠ ଅଧିକାରୀ ଓ ପରମାଣୁ ବୈଜ୍ଞାନିକଙ୍କୁ ଟାର୍ଗେଟ୍ କରି ଇସ୍ରାଏଲ ଏୟାର୍ଷ୍ଟ୍ରାଇକ୍ର ଆଶ୍ଚର୍ଯ୍ୟଜନକ ଲହର ଆରମ୍ଭ କରିଥିବା ବେଳେ ସଂଘର୍ଷର ସପ୍ତମ ଦିନରେ ଏହା ଇରାନର ଆରାକ୍ ହେଭି ୱାଟର ରିଆକ୍ଟର ଉପରେ ଆକ୍ରମଣ କରିଥିଲା । ଇସ୍ରାଏଲ ସେନା ଗୁରୁବାର ସକାଳେ କହିଛି ଯେ ତେହରାନ ଓ ଇରାନର ଅନ୍ୟାନ୍ୟ ସ୍ଥାନରେ ସେମାନେ କ୍ରମାଗତ ଆକ୍ରମଣ କରୁଛନ୍ତି ।
ହ୍ୱାଇଟ୍ ହାଉସ୍ରେ ସମ୍ଭାବ୍ୟ ଆଲୋଚନା ପାଇଁ ଇରାନ ଆମେରିକା ସହ ଯୋଗାଯୋଗ କରିଥିଲେ ମଧ୍ୟ ଏହି ପ୍ରସଙ୍ଗରେ ଟ୍ରମ୍ପଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ । ଅନ୍ୟ କେତେକ ସୂତ୍ରରୁ ଜଣାପଡ଼ିଛି ଯେ ଇରାନ ଉପରେ ଆକ୍ରମଣ ପାଇଁ ଟ୍ରମ୍ପ ମଂଜୁରି ଦେଇସାରିଛନ୍ତି ଏବଂ ଏ ବାବଦ ଆଦେଶ ସାର୍ବଜନୀନ କରୁନାହାନ୍ତି । ଗୁରୁବାର ସକାଳେ ଦକ୍ଷିଣ ଇସ୍ରାଏଲର ମୁଖ୍ୟ ଡାକ୍ତରଖାନାରେ ଇରାନର ଏକ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା । ଏଥିରେ ଅନେକ ଲୋକ ଆହତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏଥିସହ ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆଜି ରୁଷ୍ ଆମେରିକାକୁ କଡ଼ା ଚେତାବନୀ ଦେଇଛି । ଇରାନକୁ ସମର୍ଥନ କରି ଆମେରିକାକୁ ଖୋଲାଖୋଲି ଧମକ ଦେଇ ରୁଷ୍ କହିଛି ଯେ ଇସ୍ରାଏଲକୁ ଆମେରିକା ସିଧାସଳଖ ସାମରିକ ସହାୟତା ଦେଲେ ଏହାକୁ ବରଦାସ୍ତ କରାଯିବ ନାହିଁ ଏବଂ ଏହାର ପରିଣାମ ଅତ୍ୟନ୍ତ ଭୟାନକ ହେବ ।
ରୁଷ୍ର ଉପବୈଦେଶିକ ମନ୍ତ୍ରୀ ସେର୍ଗେଇ ରୟାବ୍ବୋଭ କହିଛନ୍ତି ଆମେ ୱାସିଂଟନକୁ ଚେତାବନୀ ଦେଉଛୁ ଯେ ସେମାନେ ଏଭଳି କୌଣସି ପଦକ୍ଷେପରୁ ଦୂରେଇ ରହିବାକୁ ହେବ । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କୁ ବାରମ୍ବାର ହତ୍ୟା ଧମକ ମଧ୍ୟ ଗ୍ରହଣୀୟ ନୁହେଁ । ଏହା ସମଗ୍ର ପରିସ୍ଥିତିକୁ ସମ୍ପୂର୍ଣ୍ଣ ଅସହାୟ କରିଦେବ ଏବଂ ଏଭଳି କୌଣସି ପଦକ୍ଷେପ ଅତ୍ୟନ୍ତ ବିପଜ୍ଜନକ ହେବ ବୋଲି ରୁଷ୍ କହିଛି।