କନକ ବ୍ୟୁରୋ; ଏପଟେ ନିରିହ ଲୋକଙ୍କୁ ମାରୁଛନ୍ତି, ସେପଟେ ଭୁଲ୍‌ ମାଗି  ପଶ୍ଚାତାପ୍‌ କରୁଥିବାର ବାହାନା କରୁଛନ୍ତି ନେତାନ୍ୟାହୁ । ଏସ୍ରାଏଲ  ଦ୍ବାରା  ଗାଜାର ହସ୍ପିଟାଲ ଉପରେ ଆକାଶ ମାର୍ଗରୁ  ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ଡାକ୍ତର, ସାମ୍ବାଦିକ, ରୋଗୀ ଏବଂ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି । ସମୁଦାୟ ୨୨ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା । ଏହି ଭୟଙ୍କର ବୋମାମାଡ଼ ଘଟଣାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଦୁଃଖ ପ୍ରକାଶ କରିଛନ୍ତି ।  ନେତାନ୍ୟାହୁଙ୍କ ଏପରି ଦୁଃଖ ପ୍ରକାଶକୁ ସମାଲୋଚନା ମଧ୍ୟ କରାଯାଉଛି । ପ୍ରଥମେ ମଣିଷଙ୍କ ଜୀବନ ନେଉଛ ତା  ପରେ ଦୁଃଖ ପ୍ରକାଶ କରୁଛ ବୋଲି ନେତାନ୍ୟାହୁ ସମାଲୋଚନା କରାଯାଉଛି । ଇସ୍ରାଏଲ ଏହି ଆକ୍ରମଣକୁ ସମଗ୍ର ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାପରେ ନେତାନ୍ୟାହୁ ଏହାକୁ ଏକ "ଭୁଲ୍" ବୋଲି ସ୍ୱୀକାର କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । 

Advertisment

ରିପୋର୍ଟ ଅନୁଯାୟୀ, ଗାଜାର ଅଲ-ଅହଲି ହସ୍ପିଟାଲ ଉପରେ ଏକ ଶକ୍ତିଶାଳୀ ରକେଟ ମାଡ଼ ହୋଇଥିଲା । ସେତେବେଳେ ହସ୍ପିଟାଲରେ ଶତାଧିକ ଆହତ ଏବଂ ବିସ୍ଥାପିତ ଲୋକ ଆଶ୍ରୟ ନେଇଥିଲେ । ଏହି ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ହସ୍ପିଟାଲ ପରିସରରେ ନିଆଁ ଲାଗିଯାଇଥିଲା ଏବଂ ଚାରିଆଡେ ଧ୍ୱଂସର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଘଟଣାରେ ଅନେକ ଶିଶୁ ଏବଂ ମହିଳାଙ୍କ ସମେତ ବହୁ ସାମ୍ବାଦିକ ଓ ଡାକ୍ତରୀ ଦଳର ସଦସ୍ୟ ପ୍ରାଣ ହରାଇଥିଲେ । ଏହି ଆକ୍ରମଣ ପାଇଁ ପାଲେଷ୍ଟାଇନ ପକ୍ଷରୁ ଇସ୍ରାଏଲକୁ ସିଧାସଳଖ ଦାୟୀ କରାଯାଇଛି । ସେମାନେ ଏହାକୁ "ଯୁଦ୍ଧ ଅପରାଧ" ବୋଲି ଅଭିହିତ କରିଛନ୍ତି । ଅନ୍ୟପଟେ, ଇସ୍ରାଏଲ ପ୍ରଥମେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା ଏବଂ କହିଥିଲା ଯେ ପାଲେଷ୍ଟାଇନୀ ଆତଙ୍କବାଦୀ ଗୋଷ୍ଠୀ "ଇସଲାମିକ୍ ଜିହାଦ"ର ଏକ ବିଫଳ ରକେଟ୍ ମାଡ଼ ଯୋଗୁଁ ଏହି ବିସ୍ଫୋରଣ ଘଟିଛି ।

ତେବେ  ଚର୍ଚ୍ଚା ଚାଲିଛି ଯେ, ଅନ୍ତର୍ଜାତୀୟ ସ୍ତରରେ ଚାପ ବଢ଼ିବା ପରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏକ ଭିଡିଓ ବାର୍ତ୍ତା ଜାରି କରି ଏହି ଘଟଣାକୁ ଏକ ଦୁଃଖଦ "ଭୁଲ୍" ବୋଲି କହିଛନ୍ତି । ସେ କହିଛନ୍ତି, "ଯୁଦ୍ଧ ସମୟରେ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଥାଏ । ଆମେ ଏହାର ଗଭୀରତାର ସହ ତଦନ୍ତ କରୁଛୁ । ଆମର ଉଦ୍ଦେଶ୍ୟ କେବେବି ସାଧାରଣ ନାଗରିକଙ୍କୁ କ୍ଷତି ପହଞ୍ଚାଇବା ନୁହେଁ । ଯେଉଁମାନେ ଏଥିରେ ପ୍ରାଣ ହରାଇଛନ୍ତି, ସେମାନଙ୍କ ପରିବାର ପ୍ରତି ମୋର ସମବେଦନା ।" ଏହି ଘଟଣା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବଢ଼ିଯାଇଛି । ଆରବ ଦେଶଗୁଡ଼ିକ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି ଏବଂ ଇସ୍ରାଏଲ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ମାନବିକ ଅଧିକାର ସଂଗଠନଗୁଡ଼ିକ ମଧ୍ୟ ଏକ ନିରପେକ୍ଷ ଅନ୍ତର୍ଜାତୀୟ ତଦନ୍ତ ଦାବି କରିଛନ୍ତି । ନେତାନ୍ୟାହୁଙ୍କ ଏହି ତଦନ୍ତ ପ୍ରତିଶ୍ରୁତି ପରେ ମଧ୍ୟ ବିବାଦ ଥମିବାର ନାଁ ନେଉନାହିଁ, କାରଣ ଏହି ଯୁଦ୍ଧରେ ମାନବିକତାର ସବୁ ସୀମା ଉଲ୍ଲଂଘନ ହେଉଥିବା ଅଭିଯୋଗ ହେଉଛି ।