କନକ ବ୍ୟୁରୋ : ଇରାନ ଓ ଲେବାନନର ଆକ୍ରଣ ପରେ ବଡ଼ ଆକ୍ରମଣ ପାଇଁ ଯୋଜନା କରୁଛି ଇସ୍ରାଏଲ । କୌଣସି ମୁହୁର୍ତ୍ତରେ ବଡ଼ ଆକ୍ରମଣ କରିପାରେ ଇସ୍ରାଏଲ । ଟାର୍ଗେଟରେ ଇରାନର ପରମାଣୁ କେନ୍ଦ୍ର । ୟୁରାନିଅମ୍ ଖଣି, ସାମରିକ ଘାଟିକୁ ଧ୍ବଂସ କରିବାକୁ ଯୋଜନା କରିଛି ଆଇଡିଏଫ । ଶୁକ୍ରବାର ନିହତ ହୋଇଥିବା ହିଜବୁଲ୍ଲା ମୁଖ୍ୟ ନସରୁଲ୍ଲାର ଅନ୍ତିମ ସଂସ୍କାର ହେବାର ଅଛି । ଏହି ଦିନ ଲେବାନନ ପଟୁ ବଡ଼ଧରଣର ରକେଟ ମାଡ଼ ହେବାର ଆଶଙ୍କା ରହିଛି । ଇସ୍ରାଏଲ ନିଜର ନାଗରିକଙ୍କୁ ବମ୍ ସେଲଟର ବା କ୍ଷେପଣାସ୍ତ୍ର ପ୍ରତିରୋଧ ପାଇଁ ସ୍ବତନ୍ତ୍ର ଭାବେ ତିଆରି ହୋଇଥିବା ଶିବିରକୁ ଚାଲିଯିବାକୁ କହିଛି । ବିଶେଷକରି ଇସ୍ରାଏଲର ଉତ୍ତର ଭାଗରେ ଥିବା ନାଗରିକମାନଙ୍କୁ ନେତାନ୍ୟାହୁ ସରକାର ପରାମର୍ଶ ଦେଇଛି । 

Advertisment

ସେପଟେ ଲେବାନନ ସମର୍ଥନରେ ଛିଡ଼ା ହୋଇଛି କାତାର । ଲେବାନନକୁ ସବୁ ପ୍ରକାର ସହାୟତା ଯୋଗାଇବାକୁ କାତାରର ଶେଖ ଘୋଷଣା କରିଛନ୍ତି । ସେପଟେ ଇରାନରେ ପୁଣି ଥରେ ବିମାନ ଚଳାଚଳ ଆରମ୍ଭ ହୋଇଛି । ଇସ୍ରାଏଲ ଉପରେ ମଙ୍ଗଳବାର କ୍ଷେପଣାସ୍ତ୍ର ମାଡ଼ କରିଥିଲା ତେହେରାନ, ସେହିଦିନ ଠାରୁ ଇରାନରେ ବିମାନ ଚଳାଚଳକୁ ବନ୍ଦ ରଖାଯାଇଥିଲା ।

ଯୁଦ୍ଧ ସ୍ଥିତି ବଢ଼ୁଥିବା ବେଳେ ଇସ୍ରାଏଲ ସମର୍ଥନରେ ଛିଡ଼ା ହୋଇଛି ଆମେରିକା । ଉଭୟ ଆମେରିକା ଓ ଇସ୍ରାଏଲ ମିତ୍ର ରାଷ୍ଟ୍ର । ଏବେ ଇସ୍ରାଏଲ ବିଭିନ୍ନ ଫ୍ରଣ୍ଟରେ ଯୁଦ୍ଧ ଲଢ଼ୁଛି । ଗୋଟିଏ ପଟେ ହମାସ ସହ ଲଢ଼େଇ ଚାଲିଛି । ଲେବାନନର ହିଜବୁଲ୍ଲା ଗୋଷ୍ଟୀ ସହ ବି ଆକ୍ରମଣ ପ୍ରତିଆକ୍ରମଣ ଚାଲିଛି । ସେପଟେ ଇରାନ ମଧ୍ୟ ଆକ୍ରମଣର ଧମକ ଦେଉଛି । ଏପରି ସ୍ଥିତି ନେତାନ୍ୟାହୁ ସରକାରର ସମର୍ଥନରେ ବାହାରିଛନ୍ତି ଆମେରିକାର ଜୋ ବାଇଡେନ ସରକାର । ଇରାନ ଉପରେ ବଡ଼ ଧରଣର ଆକ୍ରମଣ ପାଇଁ ଇସ୍ରାଏଲ ଯୋଜନା କରିଛି । ବିଶେଷକରି ଇରାନର ତୈଳ ଡିପୋ ଉପରେ ଇସ୍ରାଏଲ ଆକ୍ରମଣ କରିପାରେ । ଏନେଇ ନେତାନ୍ୟାହୁ ଓ ବାଇଡେନଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି । ଇରାନ ମଙ୍ଗଳବାର ଇସ୍ରାଏଲ ଉପରେ ପ୍ରାୟ ୨ ଶହ ରକେଟ ମାଡ଼ କରିଥିଲା, ଅବଶ୍ୟ ଇସ୍ରାଏଲର କ୍ଷେପଣାସ୍ତ୍ର ପ୍ରତିରୋଧୀ ଆଇରନ୍ ଡୋମ୍ ଏଥିରୁ ଅଧିକାଂଶକୁ ନଷ୍ଟ କରିବାରେ ସଫଳ ହୋଇଥିଲା । ଏହାପରେ ଇରାନକୁ ଏହାର କଡ଼ା ଜବାବ ଦିଆଯିବ ବୋଲି ନେତାନ୍ୟାହୁ ସରକାର କହିଥିଲା ।