କନକ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ସଙ୍କଟ ଘନେଇବାରେ ଲାଗିଛି । ଗାଜା ଏବଂ ଇରାନ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ଇସ୍ରାଏଲ ବର୍ତ୍ତମାନ ସିରିଆକୁ ଟାର୍ଗେଟ କରିଛି । ନିକଟରେ ଇସ୍ରାଏଲ ସିରିଆ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛି । ସିରିଆର ରାଜଧାନୀ ଡାମାସ୍କସ୍ ଉପରେ ଆକାଶ ମାର୍ଗରୁ ଜୋରଦାର ଆର୍କମଣ କରିଛି ଇସ୍ରାଏଲ । ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଟାର୍ଗେଟ କରାଯାଇଥିଲା । ସୋମବାରଠାରୁ ଇସ୍ରାଏଲ ସିରିଆର ଇସଲାମିକ ନେତୃତ୍ୱାଧୀନ ସରକାରଙ୍କ ସେନାକୁ ଟାର୍ଗେଟ କରିଆସୁଛି ।
ଆକ୍ରମଣର ମୁଖ୍ୟ କାରଣ: ସିରିଆରେ ଇରାନର ଉପସ୍ଥିତି
ବର୍ଷ ବର୍ଷ ଧରି ଇସ୍ରାଏଲ ସିରିଆରେ ଥିବା ଇରାନ-ସମର୍ଥିତ ସାମରିକ ଘାଟି ଏବଂ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଲକ୍ଷ୍ୟ କରି ଆକ୍ରମଣ କରିଆସୁଛି । ଇରାନ ନିଜର ପ୍ରଭାବ ବଢ଼ାଇବା ପାଇଁ ସିରିଆକୁ ଏକ ମଞ୍ଚ ଭାବରେ ବ୍ୟବହାର କରୁଛି । ସେଠାରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ ଏବଂ ହିଜବୁଲ୍ଲା ଭଳି ସଂଗଠନ ସକ୍ରିୟ ଅଛନ୍ତି । ଏମାନେ ସିରିଆ ମାଟିରୁ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରୁଛନ୍ତି । ଇସ୍ରାଏଲର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇରାନକୁ ତା'ର ସୀମା ନିକଟରେ ଏକ ସ୍ଥାୟୀ ସାମରିକ ଉପସ୍ଥିତି ସ୍ଥାପନ କରିବାକୁ ନ ଦେବା । ନିକଟରେ ଡାମାସ୍କସ୍ରେ ଥିବା ଇରାନର କନସୁଲେଟ ଉପରେ ହୋଇଥିବା ଆକ୍ରମଣ ପରେ ପରିସ୍ଥିତି ଅଧିକ ଜଟିଳ ହୋଇଥିଲା, ଯେଉଁଥିରେ ଇରାନର କିଛି ବରିଷ୍ଠ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା । ଏହାର ପ୍ରତିଶୋଧ ସ୍ୱରୂପ ଇରାନ ସିଧାସଳଖ ଇସ୍ରାଏଲ ଉପରେ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏହି ଘଟଣା ପରେ ଇସ୍ରାଏଲ ସିରିଆରେ ନିଜର ଆକ୍ରମଣକୁ ଆହୁରି ଜୋରଦାର କରିଛି ।
ଗାଜା ଯୁଦ୍ଧର ପ୍ରଭାବ
୨୦୨୩, ଅକ୍ଟୋବର ୭ରେ ହମାସର ଆକ୍ରମଣ ପରେ ଗାଜାରେ ଆରମ୍ଭ ହୋଇଥିବା ଯୁଦ୍ଧ ସମଗ୍ର ମଧ୍ୟପ୍ରାଚ୍ୟର ପରିସ୍ଥିତିକୁ ବଦଳାଇ ଦେଇଛି । ଏହି ଯୁଦ୍ଧ ପରେ ଇରାନ-ସମର୍ଥିତ ଗୋଷ୍ଠୀଗୁଡ଼ିକ, ଯେପରିକି ଲେବାନନର ହିଜବୁଲ୍ଲା ଏବଂ ୟେମେନର ହୁଥି ବିଦ୍ରୋହୀମାନେ, ଇସ୍ରାଏଲ ବିରୋଧରେ ବିଭିନ୍ନ ମୋର୍ଚ୍ଚାରେ ସକ୍ରିୟ ହୋଇଉଠିଛନ୍ତି । ଇସ୍ରାଏଲର ଆଶଙ୍କା ଯେ ସିରିଆ ଏକ ନୂଆ ଏବଂ ଗୁରୁତ୍ୱପୂର୍ଣ୍ଣ ମୋର୍ଚ୍ଚା ଭାବେ ଉଭା ହୋଇପାରେ।
ସିରିଆର ଆଭ୍ୟନ୍ତରୀଣ ପରିସ୍ଥିତି ଏବଂ ଇସ୍ରାଏଲର ସୁଯୋଗ
ସିରିଆରେ ଦୀର୍ଘ ଦିନ ଧରି ଚାଲିଥିବା ଗୃହଯୁଦ୍ଧ ଏବଂ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କ ସରକାରର ଦୁର୍ବଳ ସ୍ଥିତି ଇସ୍ରାଏଲ ପାଇଁ ଏକ ସୁଯୋଗ ସୃଷ୍ଟି କରିଛି । ନିକଟରେ ଅସଦ ସରକାରର ପତନ ପରେ ସିରିଆରେ ରାଜନୈତିକ ଅସ୍ଥିରତା ବଢ଼ିଯାଇଛି । ଇସ୍ରାଏଲ ଏହି ସୁଯୋଗରେ ସିରିଆର ସାମରିକ ଭିତ୍ତିଭୂମି, ବିଶେଷକରି ଏହାର ବାୟୁସେନା ଏବଂ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି, ଯାହାଫଳରେ ଭବିଷ୍ୟତରେ ଏହା ଇସ୍ରାଏଲ ପାଇଁ କୌଣସି ବିପଦ ସୃଷ୍ଟି କରିପାରିବ ନାହିଁ । ଇସ୍ରାଏଲର ଏହି ଆକ୍ରମଣାତ୍ମକ ପଦକ୍ଷେପ ମଧ୍ୟପ୍ରାଚ୍ୟରେ ଏକ ବ୍ୟାପକ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି । ଗାଜା, ଲେବାନନ ପରେ ଏବେ ସିରିଆ ଏକ ନୂଆ ଯୁଦ୍ଧକ୍ଷେତ୍ର ପାଲଟିଛି । ଯଦି ଏହି ସଂଘର୍ଷ ବ୍ୟାପକ ହୁଏ, ତେବେ ଏଥିରେ ତୁର୍କୀ ଏବଂ ରୁଷିଆ ଭଳି ଦେଶ ମଧ୍ୟ ଜଡିତ ହେବାର ସମ୍ଭାବନା ରହିଛି, ଯାହା ପରିସ୍ଥିତିକୁ ଆହୁରି ଜଟିଳ କରିପାରେ ।