କନକ ବ୍ୟୁରୋ: ବହୁଦିନର ଅନିଶ୍ଚିତତା ଏବଂ ଅସ୍ବାଭାବିକ ସଂଶୟ ଓ ଦ୍ବନ୍ଦ୍ବ ପରେ କଳିଙ୍ଗ ଷ୍ଟାଡିୟମ୍କୁ ପୁଣି ଥରେ ଆଇଏସ୍ଏଲ୍ ଫେରିବାକୁ ଯାଉଛି । ରାଜ୍ୟର ଏକମାତ୍ର ପେସାଦାର ଫୁଟ୍ବଲ୍ କ୍ଲବ୍ ‘ଓଡ଼ିଶା ଏଫ୍ସି’ ମଙ୍ଗଳବାରଠାରୁ ତା’ର ଆଇଏସ୍ଏଲ୍ ଅଭିଯାନ ଏଠାରେ ଆରମ୍ଭ କରିବ । କଳିଙ୍ଗ ଷ୍ଟାଡିୟମ୍ରେ ଖେଳିବାକୁ ଥିବା ପ୍ରଥମ ମ୍ୟାଚ୍ରେ ଆଇଲିଗ୍ ବିଜେତା ଇଣ୍ଟର କାଶୀ ଦଳକୁ ଭେଟିବ । ଏହି ପ୍ରତୀକ୍ଷିତ ମୁକାବିଲା ରାତି ୭ଟା ୩୦ରୁ ଆରମ୍ଭ ହେବ । ଯାହା ଘରୋଇ ଫୁଟ୍ବଲ୍ପ୍ରେମୀଙ୍କ ପାଇଁ ଖୁସିର ଖବର ହୋଇଛି । ଆଇଏସଏଲ୍ର ପ୍ରଥମ ସପ୍ତାହରେ ଓଡ଼ିଶା ଏଫ୍ସି କୌଣସି ମ୍ୟାଚ୍ ଖେଳି ନଥିଲା ।
ଏହା ବି ପଢ଼ନ୍ତୁ: ଆଇଟି ପ୍ରିମିୟର୍ ଲିଗ୍ ଉଦ୍ଯାପିତ
ଇଣ୍ଟର କାଶୀ ଅନ୍ୟପକ୍ଷରେ ନିଜ ପ୍ରଥମ ସପ୍ତାହର ପ୍ରଥମ ମ୍ୟାଚ୍ରେ ସୁପର କପ୍ ବିଜେତା ଏଫ୍ସି ଗୋଆକୁ ଭେଟିଥିଲା । ଏହି ମ୍ୟାଚ୍ରେ ଦମଦାର୍ ପ୍ରଦର୍ଶନ କରି ୧-୧ରେ ମ୍ୟାଚ୍ ଅମୀମାଂସିତ ରଖିବା ସହ ଏଫ୍ସି ଗୋଆକୁ ପଏଣ୍ଟ୍ ବାଣ୍ଟିବାକୁ ବାଧ୍ୟ କରିଥିଲା । ଏଣୁ ମଙ୍ଗଳବାର ମ୍ୟାଚ୍ ତୀବ୍ର ସଂଘର୍ଷପୂର୍ଣ୍ଣ ଓ ଉତ୍କଣ୍ଠାଭରା ରହିବ ବୋଲି ଆଶା କରାଯାଉଛି । ଇଣ୍ଟର କାଶୀ ଅପେକ୍ଷା ଓଡ଼ିଶା ଏଫ୍ସି ପାଇଁ କିନ୍ତୁ ଏହି ମ୍ୟାଚ୍ ନୂଆ ପରୀକ୍ଷା ନେଇ ଆସିବ । କାରଣ ଗତ ୧୦ ମାସ ହେବ ଦଳ କୌଣସି ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଫୁଟ୍ବଲ୍ ଖେଳି ନଥିଲା ବେଳେ ଏହି ମ୍ୟାଚ୍ ଲାଗି ପ୍ରସ୍ତୁତି କରିବାକୁ ମାତ୍ର ୬ ଦିନର ସମୟ ପାଇଛି । ଓଡ଼ିଶା ଏଫ୍ସି ମଧ୍ୟ ଏକମାତ୍ର ଆଇଏସ୍ଏଲ୍ ଦଳ ଭାବେ ଏଆଇଏଫ୍ଏଫ୍ ସୁପର କପ୍ରେ ଅଂଶଗ୍ରହଣ କରି ନଥିଲା । ଶେଷ ଦଳ ଭାବେ ୨୦୨୫-୨୬ ଋତୁରେ ଅଂଶଗ୍ରହଣ କରିବା ନିଶ୍ଚିତ କରିଥିଲା । ସେହିଭଳି କଳିଙ୍ଗ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳିବା ଓ ଅଭ୍ୟାସ କରିବା ଲାଗି ସରକାରୀ ମଞ୍ଜୁରି ମଧ୍ୟ ଏହି ଦଳକୁ ଗତ ୧୮ ତାରିଖରେ ହିଁ ମିଳିଥିଲା ।
ମୁଖ୍ୟ ପ୍ରଶିକ୍ଷକ ସର୍ଗିଓ ଲୋବେର ଦଳ ଛାଡ଼ି ଦେଇଥିଲା ବେଳେ ୬ଜଣ ବିଦେଶୀ ଖେଳାଳିଙ୍କ ମଧ୍ୟରୁ ୫ଜଣ ଆଉ ଦଳରେ ନାହାନ୍ତି । ଆମି ରନୱାଡେ, ଜେରି ମାୱିଆ, ଜେରି ଶର୍ଲିନଜୁଲାଙ୍କ ଭଳି ଘରୋଇ ଖେଳାଳି ମଧ୍ୟ ଦଳ ଛାଡ଼ି ଦେଇଛନ୍ତି । ଏଣୁ ଦଳୀୟ ଖେଳାଳିଙ୍କ ମଧ୍ୟରେ ତାଳମେଳ ଓ ସମନ୍ବୟ ମୁଖ୍ୟ ସମସ୍ୟା ହେବାକୁ ଯାଉଛି । ଟିଜି ପୁରୁଷୋଥମନ ଦଳର ନୂଆ ପ୍ରବନ୍ଧକ ଓ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଦଳ ମଧ୍ୟ ୭ଜଣ ନୂଆ ବିଦେଶୀ ଖେଳାଳିଙ୍କୁ ଦଳରେ ସାମିଲ କରିଛି । ଦଳରେ ବହୁ ସମସ୍ୟା ଥିବା ସୋମବାର ପ୍ରାକ୍ ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ ପୁରୁଷୋଥମନ ସ୍ବୀକାର କରିଛନ୍ତି । ତଥାପି ସେମାନେ ଇଣ୍ଟର କାଶୀ ଦଳକୁ କଡ଼ା ଟକ୍କର ଦେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ପ୍ରମୁଖ ଖେଳାଳି କାର୍ଲୋସ୍ ଡେଲଗାଡୋ ମଧ୍ୟ ଓଡ଼ିଶା ଏଫ୍ସି ବିଜୟରୁ ଅଭିଯାନ ଆରମ୍ଭ କରିବ ବୋଲି ଆଶା ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/23/capture-1-2026-02-23-21-54-26.jpg)