କନକ ବ୍ୟୁରୋ: ଅର୍ଥନୀତି ଭଳି ଏକ କ୍ରୀଡ଼ା ସୁପରପାୱାର୍‌ ହେବା ଦିଗରେ ଭାରତ ଧୀରେଧୀରେ, ହେଲେ ଆତ୍ମବିଶ୍ବାସର ସହ ଆଗକୁ ଅଗ୍ରସର ହେଉଛି ବୋଲି ଅନେକ ସମୟରେ ଦାବି ହୁଏ । ହେଲେ ବିଶ୍ବର ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ‘ଫୁଟ୍‌ବଲ୍‌’ର ସ୍ଥିତି ଯେ ଭାରତରେ ଅତି ଦୟନୀୟ, ତାହା ନିକଟରେ ବିକ୍ରି ହୋଇଥିବା ଦେଶର ସର୍ବୋଚ୍ଚ ପେସାଦର ଫୁଟ୍‌ବଲ୍ ଲିଗ୍ ‘ଆଇଏସ୍‌ଏଲ୍‌’ର ପ୍ରସାରଣ ଅଧିକାରରୁ ସ୍ପଷ୍ଟ ବାରିହୁଏ । ଘରୋଇ ଓ ବିଦେଶର ଅନେକ ପ୍ରତିଭାବାନ ପେସାଦାର ଫୁଟ୍‌ବଲ୍‌ ତାରକାଙ୍କୁ ନେଇ ଆୟୋଜିତ ହେଉଥିବା ‘ଆଇଏସ୍‌ଏଲ୍‌’ର ଚଳିତ ଋତୁର ପ୍ରସାରଣ ଅଧିକାରକୁ ଫ୍ୟାନକୋଡ୍‌ ମାତ୍ର ୮.୬୨ କୋଟି ଟଙ୍କାରେ କିଣିଛି । ଏଥର ଲିଗ୍‌ର ଅବଧିକୁ ପୂର୍ବାପେକ୍ଷା ଛୋଟିଆ କରି ଦିଆଯାଇଥିଲା ବେଳେ ମୋଟ ୯୧ଟି ମ୍ୟାଚ୍‌ ଖେଳାଯିବାର ଅଛି । ସେହି ଅନୁସାରେ ‘ଆଇଏସ୍‌ଏଲ୍‌’ର ପ୍ରତ୍ୟେକ ମ୍ୟାଚ୍‌ ପାଇଁ ଫ୍ୟାନ୍‌କୋଡ୍‌ ମାତ୍ର ୯.୫ ଲକ୍ଷ ଟଙ୍କା ଦେବ । ଯାହା ଚକିତ କରିଦେଲାଭଳି କଥା । କାରଣ ଗତବର୍ଷ ଅର୍ଥାତ ‘ଆଇଏସ୍‌ଏଲ୍‌’ର ୨୦୨୪-୨୫ ଋତୁର ୧୬୩ ମ୍ୟାଚ୍‌ର ପ୍ରସାରଣ ଅଧିକାର ଲାଗି ଜିଓହଟ୍‌ଷ୍ଟାର୍‌ ୨୭୫ କୋଟି ଟଙ୍କା ଦେଇଥିଲା । ସେତେବେଳେ ପ୍ରତ୍ୟେକ ମ୍ୟାଚ୍‌ର ପ୍ରସାରଣ ଅଧିକାର ମୁଲ୍ୟ ପାଖାପାଖି ୧.୬୮ କୋଟ ଟଙ୍କା ରହିଥିଲା । ହେଲେ ଏଭଳି ଦର ଏବେ କେବଳ ଇତିହାସ ପାଲଟିଯାଇଛି । 

Advertisment

ଏହା ବି ପଢ଼ନ୍ତୁ: ଭାରତ ଆୟୋଜନ କରିବ ଏଏଫ୍‌ସି କପ୍‌

ଆଶ୍ଚର୍ଯ୍ୟର କଥା ହେଉଛି  ଗୋଟିଏ ବର୍ଷ ଭିତରେ ଆଇଏସ୍‌ଏଲ୍‌ର ପ୍ରସାରଣ ଅଧିକାର ମୂଲ୍ୟ ୯୭ ପ୍ରତିଶତ ତଳକୁ ଖସିଯାଇଛି । ସର୍ବଭାରତୀୟ ଫୁଟ୍‌ବଲ୍‌ ସଂଘ (ଏଆଇଏଫ୍‌ଏଫ୍‌) ପାଖାପାଖି ୨୬୬.୩୮ କୋଟି ଟଙ୍କାର ରାଜସ୍ବ କ୍ଷତି ହୋଇଛି । ଖୋଦ୍ ଏଆଇଏଫ୍‌ଏଫ୍‌ର ଅପାରଗତା ଏହାର କାରଣ ବୋଲି କୁହାଯାଇପାରେ । ଗତଋତୁ ପରେ ଏଆଇଏଫ୍‌ଏଫ୍‌ ଏବଂ ‘ଆଇଏସ୍‌ଏଲ୍‌’ର ବାଣିଜ୍ୟିକ ସଂସ୍ଥା ଏଫ୍‌ଏସ୍‌ଡିଏଲ୍‌ ମଧ୍ୟରେ ବଡ଼ ଧରଣର ବିବାଦ ଦୃଷ୍ଟି ହେଲା । ଶେଷରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରାଳୟର ହସ୍ତକ୍ଷେପ ପାଇଁ ସେହି ବିବାଦର ସମାଧାନ ହେବା ସହ ଲିଗ୍‌ ଆୟୋଜନ ବାଟ ଫିଟିଥିଲା । ଏବେ ଏହା ଆସ୍ତନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ତେବେ ପ୍ରସାରଣ ଅଧିକାର ୧୦ କୋଟିରୁ କମ୍‌ ଟଙ୍କାରେ ବିକ୍ରି ହେବା ପରେ ଲିଗ୍‌ର ସ୍ଥାୟିତ୍ବ ନେଇ ବଡ଼ ଧରଣର ଆଶଙ୍କା ସୃଷ୍ଟି ହୋଇଛି । ଫୁଟ୍‌ବଲ୍‌ ବିଶେଷଜ୍ଞମାନେ ଏଥିଲାଗି ଏଆଇଏଫ୍‌ଏଫ୍‌ର ମାତ୍ରାଧିକ ଆତ୍ମବିଶ୍ବାସକୁ ଦାୟୀ କରିଛନ୍ତି । ଅଧିକ ରାଜସ୍ବ ପାଇବା ଲୋଭରେ ଏଆଇଏଫ୍‌ଏଫ୍‌ ଚଳିତ ଋତୁର ପ୍ରସାରଣ ଅଧିକାର ଲାଗି ବହୁ ଆଡ଼ମ୍ବରରେ ଟେଣ୍ଡର୍‌ ଆହ୍ବାନ କରିଥିଲା । ହେଲେ ଜଣେ ହେଲେ ବି ବିଡର ଏହାକୁ କିଣିବାକୁ ଆଗ୍ରହ ଦେଖାଇ ନଥିଲେ ।

ଅନ୍ୟକିଛି ଉପାୟ ନପାଇ ଶେଷରେ ଫାନ୍‌କୋଡ୍‌କୁ ଏଆଇଏଫ୍‌ଏଫ୍‌ ଶାଗମାଛ ଦରରେ ପ୍ରସାରଣ ଅଧିକାର ବିକ୍ରି କରିବାକୁ ବାଧ୍ୟ ହୋଇଥିଲା । ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି ଏବେ ଆଇଏସ୍‌ଏଲ୍‌ ପ୍ରସାରଣ ଅଧିକାର ଯେତିକି ଟଙ୍କାରେ ବିକ୍ରି ହୋଇଛି, ତାହା କେରଳରେ ଆୟୋଜିତ ରାଜ୍ୟସ୍ତରୀୟ ‘ସୁପର ଲିଗ୍ କେରଳା’ (ଏସ୍‌ଏଲ୍‌କେ)ଠାରୁ ବି କମ୍‌ । ଏସ୍‌ଏଲ୍‌କେ ତା’ର ପ୍ରସାରଣ ଅଧିକାର ୫ବର୍ଷ ପାଇଁ ୧୦୦ କୋଟି ଟଙ୍କା‌ରେ ବିକ୍ରି କରିଛି । ଋତୁପିଛା ଏହି ଲିଗ୍‌ର ୯୧ ମ୍ୟାଚ୍‌ ଖେଳାଯିବାର ଅଛି । ତଦନୁଯାୟୀ ପ୍ରତ୍ୟେକ ମ୍ୟାଚ୍‌ର ପ୍ରସାରଣ ଅଧିକାର ୨୨ ଲକ୍ଷ ଟଙ୍କା‌ରେ ବିକ୍ରି ହୋଇଛି । ଯାହା ଆଇଏସ୍‌ଏଲ୍‌ର ମ୍ୟାଚ୍‌ ପିଛା ପ୍ରସାରଣ ଅଧିକାର ଦରର ଦୁଇଗୁଣଠାରୁ ବି ଅଧିକ । ଏଥିରୁ ଜାତୀୟସ୍ତରରେ ଭାରତୀୟ ଫୁଟ୍‌ବଲ୍‌ର ସ୍ଥିତି ଏବଂ ଆଏସ୍‌ଏଲ୍‌ର ଭବିଷ୍ୟତ କେବେ ଉଜ୍ଜ୍ବଳ, ତାହା ଜଣାପଡ଼ିଯାଉଛି । 

ବିସିସିଆଇ ଆୟୋଜନ କରୁଥିବା ଆଇପିଏଲ୍‌ର ପ୍ରସାରଣ ଅଧିକାର ସହ ଯଦି ଆଇଏସ୍‌ଏଲ୍‌ର ପ୍ରସାରଣ ଅଧିକାର ମୂଲ୍ୟକୁ ତୁଳନା କରାଯାଏ, ତେବେ ଏହାର ଯେମିତି କୌଣସି ମୂଲ୍ୟ ନଥିବା ଭଳି ମନେ ହେବ । ୨୦୨୩-୨୦୨୭ ଚକ୍ର ପାଇଁ ଆଇପିଏଲ୍‌ର ପ୍ରସାରଣ ଅଧିକାର ୪୮,୩୯୦ କୋଟି ଟଙ୍କାରେ ବିକିଛି ବିସିିସିଆଇ । ଆଇପିଏଏଲ୍‌ର ଋତୁ ପିଛା ୭୪ ମ୍ୟାଚ୍‌ ଖେଳାଯିବାର ଅଛି । ଅର୍ଥାତ୍‌ ଆଇପିଏଲ୍‌ର ପ୍ରତ୍ୟେକ ମ୍ୟାଚ୍‌ରୁ ବିସିସିଆଇ ୧୩୧ କୋଟି ଟଙ୍କା ପାଉଛି । ସେହି ଅନୁସାରେ ଗୋଟିଏ ଆଇପିଏଲ୍‌ ମ୍ୟାଚ୍‌ରୁ ୯ଟି ଆଇଏସ୍‌ଏଲ୍‌ ଋତୁର ଆୟୋଜନ ହୋଇପାରିବ । ଏଣୁ ଆଇଏସ୍‌ଏଲ୍‌ ସହ ଆଇପିଏଲ୍‌ର ତୁଳନା କେବଳ ଲଜ୍ଜାଜନକ ପ୍ରୟାସ ବୋଲି କୁହାଯାଇପାରେ । ଇଂଲିସ୍‌ ପ୍ରିମିୟର୍‌ ଲିଗ୍‌ ଭଳି ବିଶ୍ବର ଅନ୍ୟ ଚର୍ଚ୍ଚିତ ଫୁଟ୍‌ବଲ୍‌ ଲିଗ୍‌ର ଗୋଟିଏ ମ୍ୟାଚ୍‌ର ପ୍ରସାରଣ ଅଧିକାର ତ ଆଇପିଏଲ୍‌ଠାରୁ ଅଧିକ ଦରରେ ବିକ୍ରି ‌ହେଉଛି । ୨୦୨୫-୨୦୨୯ ଚକ୍ର ପାଇଁ ଇଂଲିସ୍‌ ପ୍ରିମିୟର ଲିଗ୍‌ (ଇପିଏଲ୍‌)ର ପ୍ରସାରଣ ଅଧିକାର ୬.୭ ବିଲିୟନ ପାଉଣ୍ଡ୍‌ ବା ୮୩,୦୫୮ କୋଟି ଟଙ୍କାରେ ବିକ୍ରି ହୋଇଛି ।  ଏଣୁ ଇପିଏଲ୍‌ର ଗୋଟିଏ ଗୋଟିଏ ମ୍ୟାଚ୍‌ ଆଇଏସ୍‌ଏଲ୍‌ର ୫୦ରୁ ଅଧିକ ସଂସ୍କରଣ ଆୟୋଜନ ପାଇଁ ଯଥେଷ୍ଟ ।