କନକ ବ୍ୟୁରୋ : ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ISI ଭାରତ ବିରୁଦ୍ଧରେ ଏକ ନୂଆ ଏବଂ ବିପଜ୍ଜନକ ଷଡ଼୍‌ ଯନ୍ତ୍ର ରଚୁଛି । ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ , ISI ବର୍ତ୍ତମାନ ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ବଦଳରେ ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ହାଇ-ଟେକ୍ ବୈଷୟିକ ଜ୍ଞାନକୌଶଳରେ ଯୋଗାଇବାକୁ ଯୋଜନା କରୁଛି । ଏହି ଦିଗରେ ଜୈସ-ଏ-ମହମ୍ମଦ ସବୁଠାରୁ ଆଗରେ ରହିଛି, ଯାହା ଆଗାମୀ ଦିନରେ କ୍ୱାଡକପ୍ଟର ଏବଂ ଆଧୁନିକ ଡ୍ରୋନ୍ ହାସଲ କରିପାରେ । ସୁରକ୍ଷା ଏଜେନ୍ସିମାନଙ୍କ କହିବା କଥା ଯେ ଯଦି ଜୈସ ଏହି ବୈଷୟିକ ଜ୍ଞାନକୌଶଳ ପାଏ, ତେବେ ସୀମା ପାର୍ଶ୍ୱରୁ ଆତଙ୍କବାଦୀ ଆକ୍ରମଣର ବିପଦ ଅନେକ ଗୁଣ ବଢ଼ିଯିବ ।

Advertisment

ସୂଚନା ଅନୁସାରେ, ଜୈସ-ଏ-ମହମ୍ମଦର ଆତଙ୍କବାଦୀମାନଙ୍କୁ ପାକିସ୍ତାନୀ ସେନା ଦ୍ୱାରା ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ତାଲିମ ଦିଆଯିବ । ଜୈସ ପୂର୍ବରୁ ବ୍ଲାକ ମାର୍କେଟରୁ ମେସିନ ଗନ୍, ରକେଟ ଲଞ୍ଚର ଏବଂ ମୋର୍ଟାର ଭଳି ଅସ୍ତ୍ରଶସ୍ତ୍ର କିଣୁଛି, ଏବଂ ଏଥିରେ ତାକୁ ISI ର ଖୋଲା ସମର୍ଥନ ମିଳିଛି । ବର୍ତ୍ତମାନ ଡ୍ରୋନ୍ ଏବଂ କ୍ୱାଡକପ୍ଟର ଆସିବା ପରେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣରୁ ଆରମ୍ଭ କରି ଆକ୍ରମଣ କରିବା ପର୍ଯ୍ୟନ୍ତ, ଭାରତ ସାମ୍ନାରେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ।

ଜୈସ-ଏ-ମହମ୍ମଦର ଆର୍ଥିକ ଶକ୍ତି ମଧ୍ୟ ବର୍ତ୍ତମାନ ଡିଜିଟାଲ ଦୁନିଆ ଉପରେ ଆଧାରିତ ହୋଇଛି । ସଂଗଠନକୁ ପ୍ରତିବର୍ଷ ୮୦୦-୯୦୦ ମିଲିୟନ ପାକିସ୍ତାନୀ ଟଙ୍କା ଫଣ୍ଡିଂ ମିଳିଥାଏ । ଯେଉଁଥିରେ ଅଧିକାଂଶ ଅଂଶ ଗଲ୍ଫ ଦେଶର ଡୋନର୍ସଙ୍କ ଠାରୁ ଆସିଥାଏ । ଏହି ଟଙ୍କା ବର୍ତ୍ତମାନ ଡିଜିଟାଲ ୱାଲେଟ୍ ମାଧ୍ୟମରେ ଆସୁଛି ଏବଂ ପ୍ରାୟ ୫୦% ଫଣ୍ଡିଂ ଆଧୁନିକ ଅସ୍ତ୍ରଶସ୍ତ୍ର କିଣିବାରେ ଖର୍ଚ୍ଚ କରାଯାଉଛି ।

ଜୈସର ତେହେରିକ-ଏ-ତାଲିବାନ ପାକିସ୍ତାନ (TTP) ସହିତ ମଧ୍ୟ ଗଭୀର ସମ୍ପର୍କ ରହିଛି । TTP ପୂର୍ବରୁ ଡ୍ରୋନ୍ ଆକ୍ରମଣର ବ୍ୟବହାର କରିସାରିଛି ଏବଂ ବର୍ତ୍ତମାନ ସେହି ବୈଷୟିକ ଜ୍ଞାନକୌଶଳ ଜୈସକୁ ମଧ୍ୟ ମିଳିପାରେ । ଅପରେସନ୍‌ ସିନ୍ଦୂରରେ ନିଜର ଠିକଣା ନଷ୍ଟ ହେବା ପରେ ଜୈସର ମୁଖ୍ୟ ମସୁଦ ଅଝର ବିଚଳିତ ହୋଇପଡିଛି । ପାକିସ୍ତାନର ବାହାୱାଲପୁରରେ ଥିବା ଜୈସର ମୁଖ୍ୟାଳୟକୁ ପୁନର୍ଗଠନ କରିବାକୁ ପ୍ରସ୍ତୁତି ଚାଲିଛି । ଲସ୍କର-ଏ-ତୋଇବା, ଜୈସ ଏବଂ ହିଜବୁଲ ଭଳି ଆତଙ୍କବାଦୀ ସଂଗଠନ ନିଜର ଧ୍ୱସ୍ତ ମୁଖ୍ୟାଳୟ ଏବଂ ଲଞ୍ଚ ପ୍ୟାଡ୍ ପୁନର୍ଗଠନ କରିବା ପାଇଁ ଚାନ୍ଦା ମଧ୍ୟ ମାଗୁଛନ୍ତି ।

ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ , ହାଇ-ଟେକ୍ ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ ବୈଷୟିକ ଜ୍ଞାନକୌଶଳ ଆତଙ୍କବାଦୀ ନେଟୱର୍କକୁ ପୂର୍ବ ଅପେକ୍ଷା ଅଧିକ ବିପଜ୍ଜନକ କରିପାରେ । କିନ୍ତୁ ଭାରତୀୟ ସୁରକ୍ଷା ବାହିନୀ ଏହି ନୂତନ ଆତଙ୍କବାଦୀ ଯୋଜନା ବିଷୟରେ ସତର୍କ ଅଛନ୍ତି ଏବଂ ଏହାକୁ ରୋକିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଡିଜିଟାଲ ଫଣ୍ଡିଂ ଏବଂ ହାଇ-ଟେକ୍ ଅସ୍ତ୍ରଶସ୍ତ୍ରର ବ୍ୟବହାରକୁ ରୋକିବା ପାଇଁ କଠୋର ନିୟମ ପ୍ରଣୟନ କରାଯାଉଛି ଏବଂ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।