କନକ ବ୍ୟୁରୋ: ପହଲଗାମ ଆକ୍ରମଣକୁ ଏହାରି ଭିତରେ ୧୦ ଦିନରୁ ଅଧିକ ବିତିଯାଇଛି । ଏହାରି ଭିତରେ ଆକ୍ରମଣର ତଦନ୍ତ କରୁଥିବା ଏନଆଇଏ ହାତରେ ବଡ଼ ପ୍ରମାଣ ଲାଗିଛି । ଆତଙ୍କୀ ସଂଗଠନ ସହ ମିଶି ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚିଥିବା କଥା ସାମ୍ନାକୁ ଆସିଛି । ସେପଟେ ପହଲଗାମ ଆକ୍ରମଣର ପ୍ରତିଶୋଧ ଭାରତ କେମିତି ନେବ, ସେ କଥା ଚିନ୍ତା ଚିନ୍ତା କରି ବିଳିବିଳାଉଛି ପାକିସ୍ତାନ ।
ପହଲଗାମ ନରସଂହାର ମାମଲାରେ ଏନଆଇଏ ହାତରେ ଲାଗିଛି ବଡ଼ ପ୍ରମାଣ । ଖୋଲିବାରେ ଲାଗିଛି ପାକିସ୍ତାନର ମୁଖା । ଆକ୍ରମଣ ପଛରେ ରହିଛି ପାକିସ୍ତାନ ସେନା ଓ ଗୁଇନ୍ଦା ସଂସ୍ଥା 'ଆଇଏସଆଇ'ର ହାତ । ଆତଙ୍କୀ ସଂଗଠନ ଲସ୍କର ସହ ମିଶି ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚିବାର ସତ ଏବେ ସାମ୍ନାକୁ ଆସିଛି । ଏନଆଇଏ ରିପୋର୍ଟ କହୁଛି ପିଓକେରେ ହୋଇଛି ଆକ୍ରମଣର ବ୍ଲୁପ୍ରିଣ୍ଟ । ମାଷ୍ଟରମାଇଣ୍ଡ ହେଉଛନ୍ତି ଲସ୍କର ଆତଙ୍କୀ ହାସିମ ମୁସା ଓ ଅଲ୍ଲୀ ତଲହା । ଏମାନଙ୍କୁ ସହଯୋଗ କରିଛନ୍ତି ୨ଜଣ ସ୍ଥାନୀୟ ଆତଙ୍କୀ । ଓଭର ଗ୍ରାଉଣ୍ଡ ୱାର୍କରଙ୍କ ଜରିଆରେ ତଥ୍ୟ ସଂଗ୍ରହ କରିଛନ୍ତି । ଆକ୍ରମଣ ପୂର୍ବରୁ ୩ଟି ସ୍ଥାନରେ ରେକି କରିଥିଲେ । ୧୪ ଆତଙ୍କୀଙ୍କ ତାଲିକା କରିଛି ଏନଆଇଏ । ଗୃହ ବିଭାଗକୁ ତଦନ୍ତ ରିପୋର୍ଟ ପଠାଇବ ଏନଆଇଏ । ୟୁଏନ୍ ଓ ଏଫ୍ଏଟିଏଫ୍କୁ ପ୍ରମାଣ ଦିଆଯିବ । ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନକୁ ଏକଘରିକିଆ କରିବାକୁ ଭାରତର ଯୋଜନା ।
ପହଲଗାମ ଆକ୍ରମଣର କିଭଳି ପ୍ରତିଶୋଧ ନେବ ଭାରତ ତାହା ବୁଝିପାରୁନି ପାକିସ୍ତାନ । ଚାପ ବଢୁଥିବା ବେଳେ ସତ ମାନୁଛନ୍ତି ଜଣଙ୍କ ପରେ ଜଣେ ନେତା । ପୂର୍ବରୁ ଆତଙ୍କବାଦୀଙ୍କୁ ଶରଣ ଦେଉଥିବା କହିଥିଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ । ଏବେ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି । ଦେଶର ଇତିହାସ ଆତଙ୍କବାଦରେ ଭରା ବୋଲି ସ୍କାଏ ନ୍ୟୁଜକୁ ସାକ୍ଷାତକାରରେ କହିଛନ୍ତି । ଅନ୍ୟପଟେ ଏକ ରାଲିରେ ଯୁଦ୍ଧ ନେଇ ଚେତାବନୀ ଦେଇଛନ୍ତି । ଯାହାର କଡ଼ା ଜବାବ ରଖିଛି ଭାରତ ।
ସୁଧୁରୁନି ପାକିସ୍ତାନ । ବାରମ୍ବାର ଭାରତ ବିରୋଧରେ ଷଡ଼ଯନ୍ତ୍ର କରି ପଠାଉଛି ଆତଙ୍କବାଦୀ । ଏବେ କିନ୍ତୁ ଇଟାର ଜବାବ ପଥରରେ ଦେବାକୁ ଯୋଜନା ପ୍ରସ୍ତୁତି କରୁଛି ଭାରତ । କେବଳ ଆକ୍ସନକୁ ଅପେକ୍ଷା ।