କନକ ବ୍ୟୁରୋ: ଆଇପିଏଲ ୨୦୨୫ରେ ଦେଖିବାକୁ ମିଳିଛି ଇଶାନ କିଷନଙ୍କ ଦୁର୍ଦ୍ଧର୍ଷ ରୂପ । ସେ ଚଳିତ ଆଇପିଏଲରେ ପ୍ରଥମ ଶତକ ହାସଲ କରିଛନ୍ତି । ଆଉ ଏମିତି ହାସଲ କରିଛନ୍ତି ଯାହା ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ । ଯେତେବେଳେ ଟିମ ଇଣ୍ଡିଆକୁ ଫେରିବାକୁ ସେ ସଂଘର୍ଷ କରୁଥିଲେ, ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ସେ ବାଦ ପଡିଥିଲେ, ମୁମ୍ବାଇ ତାଙ୍କ ହାତ ଛାଡିଦେଇଥିଲା । ଠିକ ସେତିକି ବେଳେ ଆଇପିଏଲ ୨୦୨୫ରେ ସେ ଏମିତି କମାଲ କଲେ ଯେ ସମସ୍ତଙ୍କ ଆଖି ଖୋଲିଦେଲେ ।
ଇଶାନ କିଷନ ନିଜ ଶେଷ ଅନ୍ତର୍ଜାତୀୟ ମ୍ୟାଚ ୨୦୨୩ରେ ଖେଳିଥିଲେ । ଏହାପରେ ତାଙ୍କ ଚୟନ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ହୋଇଥିଲା । ହେଲେ ସେଥିରୁ ସେ ତାଙ୍କ ନାଁ ଫେରାଇ ଆଣିଥିଲେ । ଏହାପରେ ବିସିସିଆଇ ଏମିତି ରାଗିଥିଲା ଯେ ତାଙ୍କ ନାଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ବି ରଖିନଥିଲା । ଏହାପରେ ଟିମ ଇଣ୍ଡିଆକୁ ଫେରିବା ତାଙ୍କ ପାଇଁ କାଠିକରପାଠ ହୋଇଯାଇଥିଲା । ଘରୋଇ ଟିମରେ କ୍ରିକେଟ ଖେଳିବାକୁ କୁହାଯାଇଥିଲା, ହେଲେ ଇଶାନ କିଷନ ଖେଳିନଥିଲେ । ଏହାପରେ ସବୁ ସିରିଜରୁ ତାଙ୍କୁ ବାଦ ଦିଆଗଲା । କହିବାକୁ ଗଲେ ଚୟନକର୍ତ୍ତାଙ୍କ ଆଖିରୁ ହଜିଯାଇଥିଲେ ଏହି ଯୁବ ପ୍ରତିଭା ।
ଏମିତି କମ ଖେଳାଳି ଅଛନ୍ତି ଯେଉଁମାନେ ଦିନିକିଆ କ୍ରିକେଟରେ ଦ୍ୱିଶତକ ହାସଲ କରିଛନ୍ତି । ଯେଉଁ ରେକର୍ଡ ବଡ ବଡ କ୍ରିକେଟରଙ୍କ ନାଁରେ ରହିଛି, ସେହି ରେକର୍ଡକୁ ନିଜ ନାଁରେ କରିପାରିଛନ୍ତି ଇଶାନ କିଷନ । ସୀମିତ ଓଭର କ୍ରିକେଟରେ ଦୁର୍ଦ୍ଦଶ ବ୍ୟାଟିଂ କରୁଥିବା ଏହି ଖେଳାଳିଙ୍କୁ କେମିତି ବିସିସିଆଇ ଅଣଦେଖା କରିପାରେ ତାକୁ ନେଇ ବି ପ୍ରଶ୍ନ ଉଠିଥିଲା । ଜଣେ ଉଦୀୟମାନ ଯୁବ ପ୍ରତିଭା ଦଳରୁ ବାଦ ପଡିବାକୁ ସହଜରେ ଗ୍ରହଣ କରିପାରୁନଥିଲେ କ୍ରିକେଟପ୍ରମୀ ।
୨୦୨୪ ଆଇପିଏଲରେ ମୁମ୍ୱାଇ ଇଣ୍ଡିଆନ୍ସ ଟିମରେ ଥିଲେ ଇଶାନ କିଷାନ । ୧୪ ମ୍ୟାଚରେ ୧୪୮.୮୪ ଷ୍ଟ୍ରାଇକ ରେଟରେ ସେ ୩୨୦ ରନ କରିଥିଲେ, ଏଥିରେ ଗୋଟିଏ ଅର୍ଦ୍ଧଶତକ ସାମିଲ ଥିଲା । ଏହାପରେ ମେଗା ଅକ୍ସନରେ ମୁମ୍ୱାଇ ତାଙ୍କ ହାତ ଛାଡିଦେଇଥିଲା । ହେଲେ ୨୦୨୫ ଆଇପିଏଲ ମେଗା ଅକ୍ସନରେ ତାଙ୍କ ଉପରେ ପ୍ରବଳ ନିଲାମୀ ଲାଗିଥିଲା । ଆଉ ହାଇଦ୍ରାବାଦ ତାଙ୍କୁ ୧୧.୨୫ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା । ଯାହା ତାଙ୍କ କ୍ୟାରିୟରକୁ ଗୋଟିଏ ନୂଆ ଦିଗ ଦେଇଥିଲା । ସେ ପ୍ରମାଣ କରିପାରିଛନ୍ତି ଯେ ସେ ହେଉଛନ୍ତି ଭାରତୀୟ କ୍ରିକେଟର ଷ୍ଟାର ମାନଙ୍କ ମଧ୍ୟରୁ ଜଣେ ।
ଗତ ବର୍ଷ ବିସିସିଆଇ ତାଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ହଟାଇ ଦେଇଥିଲା । କାରଣ ବିସିସିଆଇକୁ ଲାଗିଥିଲା କି ସେ ରଣଜୀ ଟ୍ରଫିକୁ ଗୁରୁତ୍ୱ ଦେଉନାହାନ୍ତି । ସେତେବେଳେ ଇଶାନ କିଷାନ, ରିଷଭ ପନ୍ତ ଓ ସଞ୍ଜୁ ସାମସନଙ୍କ ସହ ଦେଶର ୩ ପ୍ରମୁଖ ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ ଥିଲେ । ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ ପଡିବା ପରେ ତାଙ୍କ ପାଖରେ ବହୁତ ସମୟ ଥିଲା ନିଜକୁ ପ୍ରସ୍ତୁତ କରିବା ପାଇଁ । ସେ ପ୍ରସ୍ତୁତ ହେଲେ, ଆଉ ଏମିତି ଫେରିଲେ ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।
ହାଇଦ୍ରାବାଦ ତାଙ୍କ ରାଜସ୍ଥାନ ବିପକ୍ଷ ପ୍ରଥମ ମ୍ୟାଚରେ ସୁଯୋଗ ଦେଇଥିଲା । ୩ ନମ୍ୱରରେ ବ୍ୟାଟିଂ କରି ସେ ଦଳକୁ ବିଜୟୀ କରାଇଥିଲେ । ଆରମ୍ଭରୁ ଶେଷ ଯାଏଁ ସେ ବୋଲରଙ୍କୁ ନିର୍ଦ୍ଦୁମ ପିଟି ବିସ୍ଫୋରକ ଶତକ ହାସଲ କରିବା ସହ ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ । ଆଉ ହାଇଦ୍ରାବାଦ ଏହି ମ୍ୟାଚକୁ ୪୪ ରନରେ ଜିତି ନେଇଥିଲା ।