କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଦଳକୁ ଧମାକାଦାର ପ୍ରତ୍ୟାବର୍ତନ କରିଥିବା ଈଶାନ କିଶନ ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି । ୨୦୨୩ ମସିହା ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ଦଳର ବ୍ୟବସ୍ଥା ଭିତରେ ରହିଥିବା ଏହି ବାମହାତୀ ଯୁବ ବ୍ୟାଟର୍ ପରବର୍ତ୍ତୀ ୨ ବର୍ଷ ବିଭିନ୍ନ କାରଣରୁ ବାହାରେ ବସିଥିଲେ । ଏହା ଭିତରେ ଈଶାନ ନିଜକୁ ସଙ୍କଳ୍ପ, ପ୍ରତିଜ୍ଞା ଓ ଶୃଙ୍ଖଳାର ନୂଆ ସ୍ତରକୁ ନେଇଯିବା ସହ ଫଳପ୍ରଦ ପ୍ରତ୍ୟାବର୍ତନ କରିଛନ୍ତି । ଈଶାନ ନିଜ ପ୍ରତ୍ୟାବର୍ତନକୁ ନିଜ ପ୍ରାଧାନ୍ୟଭରା ପ୍ରଦର୍ଶନ ଜରିଆରେ କରାଇଛନ୍ତି। ଘରୋଇ କ୍ରିକେଟ୍ରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ଚୟନକର୍ତା ମାନେ ବାଧ୍ୟ ହୋଇଥିଲେ ତାଙ୍କୁ ଭାରତୀୟ ଦଳକୁ ଡାକିବାକୁ। କିନ୍ତୁ ବିରତିର ଦୁଇ ବର୍ଷ ଯେ ଈଶାନ କିଶନଙ୍କୁ ଅନେକ କିଛି ଶିଖାଇଛି ଏବଂ ଅଧିକ ପରିପକ୍ବ କରାଇଛି ଏଥିରେ ଆଉ କେହି ଦ୍ବିମତ ହେବେ ନାହିଁ।
ପ୍ରତ୍ୟାବର୍ତନ ପରଠାରୁ ଈଶାନ ଏତେ ଭୋକିଲା ଓ ନିର୍ଭୟରେ ଖେଳୁଛନ୍ତି ଯେ ପ୍ରଶଂସକମାନେ ବି ତାଜୁବ ହୋଇଛନ୍ତି । ସଂଜୁ ସାମସନ୍ଙ୍କ ଲଗାତାର ବିଫଳତା ତାଙ୍କୁ ସୁଯୋଗ ଦେଇଛି ସତ, କିନ୍ତୁ ଏହି ୱିକେଟକିପର୍ ବ୍ୟାଟର୍ ଏହାକୁ ଦୁଇ ହାତରେ ମାଡ଼ି ବସିଛନ୍ତି। ଏପରିକି ଅନ୍ୟତମ ବାମହାତୀ ଓପନର୍ ଅଭିଷେକ ଶର୍ମାଙ୍କ ଉପରେ ବି ଚାପ ପଡ଼ିଛି ଲଗାତାର ଭଲ କରିବାକୁ।ଭାରତୀୟ ଦଳକୁ ଈଶାନ ଏତେ ସହଜରେ ପ୍ରତ୍ୟାବର୍ତନ କରିନାହାନ୍ତି। ଝାଡ଼ଖଣ୍ଡ ପାଇଁ ରଣଜୀ ଟ୍ରଫି, ସୟଦ ମୁସ୍ତାକ ଅଲୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ପ୍ରଚୁର ରନ୍ କରିବା ପରେ ହିଁ ସେ ଦାବି ଉପସ୍ଥାପନ କରିଥିଲେ। ଶୁବମନ ଗିଲଙ୍କୁ ଟ୍ବେଣ୍ଟି-୨୦ ଦଳରୁ ବି ବାଦ ଦେବାକୁ ପଡ଼ିଲା ଈଶାନଙ୍କ ବିକଳ୍ପ ମିଳିଯିବାରୁ। ଦିନିକିଆରେ ଦ୍ବିଶତକ ମାରି ସାରିଥିବା ଏବଂ ୨୦୨୩ ଏସିଆ କପ୍ରେ ପାକିସ୍ତାନ ବିପକ୍ଷରେ ଭାରତର ସଂଘର୍ଷ ସମୟରେ ଲଢ଼ୁଆ ୮୨ ରନ୍ କରିଥିବା ଈଶାନଙ୍କୁ ବି ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇନଥିଲେ ଚୟନକର୍ତା।
ଆହୁରି ପଢ଼ନ୍ତୁ... ରାଇଜିଂ ଷ୍ଟାର୍ସ ମହିଳା ଏସିଆ କପ୍, ଭାରତୀୟ ମହିଳାଙ୍କ ଦ୍ବିତୀୟ ବିଜୟ
ଏବେ ବିଶ୍ବକପ୍ରେ ପାକିସ୍ତାନ ବିପକ୍ଷରେ ୪୦ ବଲ୍ ୭୭ ରନ୍ କରିବା ପରେ ଈଶାନ ୨.୦ ରୂପ ଆସିଛି। ୨୦୨୩ ଓ ୨୦୨୬ ମସିହାର ଦୁଇ ଈଶାନଙ୍କ ମଧ୍ୟରେ ଯେ ବଡ଼ ପ୍ରଭେଦ ରହିଛି ଏହା ଅନେକ ଅନୁଭବ କରି ସାରିଛନ୍ତି। ନିଜ ଆଭିମୁଖ୍ୟ ଓ ବ୍ୟାଟିଂ ଆଚରଣରେ ସେ ବଡ଼ ବିଚାରବନ୍ତ ହୋଇଯାଇଛନ୍ତି। ‘ମୁଁ ମୋ ଅଫସାଇଡ୍ ଗେମ୍ ଉପରେ ଅଧିକ କାମ କରିଛି। ମୋ ବ୍ୟାଟିଂ ଶକ୍ତିରେ ସେମାନେ ବୋଲିଂ କରିପାରନ୍ତି। ପ୍ରେମଦାସାରେ ବଡ଼ ଗ୍ରାଉଣ୍ଡ୍ ଥିବାରୁ ମୁଁ ମଧ୍ୟ ଫାଙ୍କା ଦେଖି ଖେଳିଥିଲି। ଦୁଇ ରନ୍ ମଧ୍ୟ ନେବାକୁ ଚେଷ୍ଟା କରୁଥିଲି’। ଈଶାନଙ୍କ ଏଭଳି କଥାରୁ ସେ ନିଜ ଯୋଜନା ପ୍ରତି କେତେ ଯତ୍ନଶୀଳ ଏହା ଜଣାପଡୁଛି। ‘ଈଶାନ ଜଣେ ନିର୍ଭୟ କ୍ରିକେଟର୍’ ବୋଲି ପାକିସ୍ତାନର ମୁଖ୍ୟ ପ୍ରଶିକ୍ଷକ ମାଇକ୍ ହେସନ୍ ବି ମାନିଛନ୍ତି।
ଈଶାନଙ୍କ ୨.୦ ପ୍ରଭାବ ମଧ୍ୟ ତାଙ୍କ ପରିସଂଖ୍ୟାନରେ ପରିଷ୍ଫୁଟ ହୋଇଛି। ଏ ପର୍ଯ୍ୟନ୍ତ ଈଶାନ ୩୯ଟି ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳି ୩୦.୭୬ ହାରାହାରି ଓ ୧୪୩.୭୮ ଷ୍ଟ୍ରାଇକ୍ ରେଟ୍ରେ ୧୧୬୯ ରନ୍ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୧ ଶତକ, ୯ ଅର୍ଦ୍ଧଶତକ ଓ ୬୨ ଛକା ରହିଛି। ୨୦୨୪ ଓ ୨୦୨୫ ମସିହାର ବିରତି ପରେ ସେ ଚଳିତ ବର୍ଷ ପ୍ରତ୍ୟାବର୍ତନ କରି ୭ ଟ୍ବେଣ୍ଟି-୨୦ରୁ ୫୩.୨୮ ହାରାହାରି ଓ ୨୧୫.୬୦ ଷ୍ଟ୍ରାଇକ୍ ରେଟ୍ରେ ଖେଳିଛନ୍ତି। ଏହା ମଧ୍ୟରେ ନ୍ୟୁଜିଲାଣ୍ଡ୍ ବିପକ୍ଷ ଶୃଙ୍ଖଳାରେ ଶତକ ସହ ୩ ଅର୍ଦ୍ଧଶତକ ଓ ୨୬ ଛକା ମାରିଛନ୍ତି। ଚଳିତ ବିଶ୍ବକପ୍ରେ ଈଶାନ ଖେଳିଥିବା ୩ ପାଳିରେ ଯଥାକ୍ରମେ ୨୦, ୬୧, ୭୭ ରନ୍ର ପାଳି ଖେଳିଛନ୍ତି। ତାଙ୍କ ହାରାହାରି ୫୨.୬୬, ଷ୍ଟ୍ରାଇକ୍ ରେଟ୍ ୧୯୭.୫୦ ଏବଂ ଛକା ସଂଖ୍ୟା ୧୦ ରହିଛି। ଈଶାନଙ୍କ ପ୍ରଦର୍ଶନ ତାଙ୍କ ବ୍ୟାଟ୍ କହୁଛି, ହାରାହାରି କହୁଛି, ଷ୍ଟ୍ରାଇକ୍ ରେଟ୍ ଦର୍ଶାଉଛି ଓ ଛକା ସଂଖ୍ୟା ବି ଦେଖାଇଦେଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/17/ishan-kishan-2026-02-17-15-55-03.jpg)