କନକ ବ୍ୟୁରୋ : ଆଜିର ଡିଜିଟାଲ୍ ଯୁଗରେ ସ୍ମାର୍ଟଫୋନ୍ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଯୋଗାଯୋଗଠାରୁ ଆରମ୍ଭ କରି ମନୋରଞ୍ଜନ ଓ ଅନଲାଇନ୍ କାମ ପର୍ଯ୍ୟନ୍ତ, ସବୁକିଛି ଏବେ ହାତମୁଠାରେ । କିନ୍ତୁ ଏହି ସୁବିଧା ଏବେ ଏକ ବଡ଼ ସମସ୍ୟାରେ ପରିଣତ ହୋଇଛି, ବିଶେଷକରି ଯୁବପିଢ଼ିଙ୍କ ପାଇଁ । ବର୍ତ୍ତମାନ ସମସ୍ତେ ମୋବାଇଲ୍ ନିଶାରେ ବୁଡ଼ି ରହିଛନ୍ତି । ଏହି ଅଭ୍ୟାସ କେବଳ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁନାହିଁ, ବରଂ ସାମାଜିକ ଓ ପାରିବାରିକ ସମ୍ପର୍କକୁ ମଧ୍ୟ ନଷ୍ଟ କରୁଛି ।

Advertisment

ଶସ୍ୟ ଶ୍ୟାମଳା, କଳା ଓ ସଂସ୍କୃତିରେ ପରିପୂର୍ଣ୍ଣ ଓଡ଼ିଶାର ଗାଁଠୁ ସହର । କିନ୍ତୁ ବର୍ତ୍ତମାନ ସବୁଠି ଏକ ନୂଆ ଜାଲ ବିଛେଇ ହୋଇଯାଇଛି ,ଯାହା କବଳରୁ ମୁକୁଳିବା ମୁସ୍କିଲ୍‌ । ତାହା ହେଉଛି ମୋବାଇଲର ମାୟା ଜାଲ । ଏହି ଜାଲରେ ଛନ୍ଦି ହୋଇପଡ଼ିଛନ୍ତି ଯୁବପିଢ଼ି, ବୟସ୍କ..ଏପରିକି ଛୋଟ ପିଲାମାନେ ମଧ୍ୟ । କିଛି ଯୁବପିଢ଼ି ମୋବାଇଲର ମାୟାରେ ବାନ୍ଧି ହୋଇ ନିଜର ବର୍ତ୍ତମାନ ଓ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲି ଦେଉଛନ୍ତି ।

ମୋବାଇଲ୍‌ ଯୋଗୁଁ ସନ୍ଧ୍ୟା ହେଲେ ଗାଁ ଛକରେ ଆଉ ଆଗ ପରି ତାସ୍‌ ଖେଳ ଜମୁନି କି ଭାଗବତ ଟୁଙ୍ଗିରେ କୀର୍ତ୍ତନ ଶୁଭୁନି । ଆଇ ମାଆ କାହାଣୀ ପ୍ରତି ଛୋଟ ଛୋଟ ପିଲାମାନଙ୍କର ଆଗ୍ରହ ମଧ୍ୟ ନାହିଁ । ନିଜ ନିଜ କାମରୁ ଫେରିବା ପରେ ସମସ୍ତେ ବୁଡ଼ି ରହୁଛନ୍ତି ସେହି ମୋବାଇଲ୍‌ ଭିତରେ । ଗୋଟିଏ ପରିବାର ଭିତରେ ଥାଇ ମଧ୍ୟ ଆଉ ଭାବର ଆଦାନ ପ୍ରଦାନ ହୋଇପାରୁନି । ପାରିବାରିକ ସମ୍ପର୍କକୁ ଗିଳିବାକୁ ବସିଲାଣି ଏହି ମାୟାଜାଲ ।

ବିଶେଷଜ୍ଞଙ୍କ ମତରେ, ଅତ୍ୟଧିକ ମୋବାଇଲ୍ ବ୍ୟବହାର ଯୁବପିଢ଼ିଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ଗଭୀର କୁପ୍ରଭାବ ପକାଉଛି । ଘଣ୍ଟା ଘଣ୍ଟା ଧରି ମୋବାଇଲ୍ ସ୍କ୍ରିନ୍‌କୁ ଚାହିଁବା ଦ୍ୱାରା ଆଖିର ଦୃଷ୍ଟିଶକ୍ତି କମିଯିବା, ମୁଣ୍ଡବିନ୍ଧା, ନିଦ୍ରାହୀନତା ଏବଂ ମାନସିକ ଅବସାଦ ଭଳି ସମସ୍ୟା ବୃଦ୍ଧି ପାଉଛି । ପିଲାମାନେ ପାଠପଢ଼ାରେ ଅମନଯୋଗୀ ହେଉଛନ୍ତି, କାରଣ ସେମାନଙ୍କର ଅଧିକାଂଶ ସମୟ ଅନଲାଇନ୍ ଗେମ୍ ଓ ସୋସିଆଲ ମିଡିଆରେ କଟୁଛି । ଏହା ସେମାନଙ୍କର ସାମାଜିକ ବିକାଶରେ ମଧ୍ୟ ବାଧା ସୃଷ୍ଟି କରୁଛି । ସେମାନେ ପରିବାର ଓ ସାଙ୍ଗସାଥୀଙ୍କ ସହ ମିଳାମିଶା କରିବା ପରିବର୍ତ୍ତେ ଏକ ଭର୍ଚୁଆଲ୍ ଦୁନିଆରେ ବଞ୍ଚିବାକୁ ପସନ୍ଦ କରୁଛନ୍ତି । 

ଏହି ସମସ୍ୟା ଏତେ ଗମ୍ଭୀର ହୋଇଛି ଯେ ଏହା ପାରିବାରିକ କଳହ ଏବଂ ଅପରାଧକୁ ମଧ୍ୟ ଜନ୍ମ ଦେଉଛି । କେଉଁଠି ମୋବାଇଲ୍ ଫୋନ୍ ପାଇଁ କିଏ କାହାକୁ ହତ୍ୟା କରୁଛି ତ ଆଉ କେଉଁଠି ନିଜେ ଆତ୍ମହତ୍ୟା ମଧ୍ୟ କରୁଥିବା ଘଟଣା ସାମ୍ନାକୁ ଆସୁଛି । ସେହିପରି, ଅନଲାଇନ୍ ଗେମିଂ ନିଶାରେ ପଡ଼ି ଋଣ ଭାରରେ ବୁଡ଼ି ଓଡ଼ିଶାର ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ମଧ୍ୟ ହୋଇଛି । ଅପରାଧୀମାନେ ମଧ୍ୟ ମୋବାଇଲକୁ ବ୍ୟବହାର କରି ହତ୍ୟା, ନିଶା କାରବାର ଓ ଠକେଇ ଭଳି ଜଘନ୍ୟ କାଣ୍ଡ ଘଟାଉଛନ୍ତି । ଏପରିକି ଖୋଦ୍‌ ମୁଖ୍ୟମନ୍ତ୍ରୀ ମଧ୍ୟ ମୋବାଇଲ୍ କିପରି ସାମାଜିକ ସମ୍ପର୍କକୁ ନଷ୍ଟ କରୁଛି, ସେନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବାରେ ଓଡ଼ିଶା ଚତୁର୍ଥ ସ୍ଥାନରେ ଅଛି । 

ଯଦିଓ ଟେକ୍ନୋଲୋଜିର ଆବଶ୍ୟକତା ରହିଛି, ତେବେ ଏହାର ଅତ୍ୟଧିକ ବ୍ୟବହାର ଏକ ବଡ଼ ବିପଦ ସୃଷ୍ଟି କରିଛି । ଅଭିଭାବକମାନେ ସଚେତନ ହେବା ସହ ନିଜ ପିଲାମାନଙ୍କର ମୋବାଇଲ୍ ଦେଖା ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ । ସରକାରୀ ଓ ବେସରକାରୀ ସ୍ତରରେ ଏନେଇ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ଡିଜିଟାଲ୍ ନିଶାମୁକ୍ତି କେନ୍ଦ୍ରର ଆବଶ୍ୟକତା ମଧ୍ୟ ରହିଛି । ନଚେତ୍ ଓଡ଼ିଶାର ଭବିଷ୍ୟତ ଏହି ମୋବାଇଲ୍ ଜାଲରେ ଛନ୍ଦି ହୋଇ ରହିଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।