କନକବ୍ୟୁରୋ : ଶଶାଙ୍କାସନ ଆସନଦ୍ବାରା ପିଠି ମାଂସପେଶୀ ପ୍ରସାରିତ ହୁଏ। ପ୍ରତ୍ୟେକ କଶେରୁକ ଅନ୍ୟ କ‌େଶରୁକଠାରୁ ଛାଡ଼ି ରହିବାରୁ ଚକ୍ରିକା ଉପରେ ଚାପ ପଡ଼େ ନାହିଁ। ପ୍ରାୟତଃ ମେରୁଦଣ୍ଡରୁ ବାହାରିଥିବା ସ୍ନାୟୁ ଚକ୍ରିକା ଦ୍ବାରା ଚାପି ହୋଇ ବିଭିନ୍ନ ପ୍ରକାର ପିଠି ଦରଜ ସୃଷ୍ଟି ହୋଇଥାଏ। ଆସନଦ୍ବାରା ଏହି ରୋଗରୁ ଉପକାର ମିଳେ, ଚକ୍ରିକାଗୁଡ଼ିକ ନିଜ ଜାଗାରେ ଠିକ୍‌ ରହେ। ଆଡ୍ରିନାଲ୍‌ ଗ୍ରନ୍ଥିର କାର୍ଯ୍ୟକୁ ନିୟନ୍ତ୍ରଣ କରେ।

Advertisment

ଶ୍ରୋଣୀ ମାଂସପେଶୀ, ସାଇଟିକା ସ୍ନାୟୁ ମଧ୍ୟ କାର୍ଯ୍ୟକ୍ଷମ ହୁଏ। ସ୍ତ୍ରୀ ଲୋକଙ୍କ ଶ୍ରୋଣୀର ଆକାରରେ ଉନ୍ନତି ହୁଏ । ପୁରୁଷ ଓ ସ୍ତ୍ରୀ ଉଭୟଙ୍କ ପ୍ରଜନନ ଅଙ୍ଗଗୁଡିକ ସୁଧୁରିଯାଏ । ଆସନର ପ୍ରତ୍ୟେହ ଅଭ୍ୟାସ ଦ୍ବାରା କୋଷ୍ଠକାଠିନ୍ୟ ଦୂର ହୁଏ । ଆସନର ଶେଷସ୍ଥିତିରେ ଉଜ୍ଜୟୀ ପ୍ରାଣାୟମ ସହ ଅଭ୍ୟାସ କଲେ କ୍ରୋଧ ପ୍ରସମିତ ହୁଏ ଏବଂ ମସ୍ତିଷ୍କ ଥଣ୍ଡା ରହେ ବୋଲି କହିଛନ୍ତି ଯୋଗଗୁରୁ ଗଣେଶ୍ବର ଗୋଚ୍ଛିକାର । 

ଏହି ଆସନ କରିବା ପାଇଁ,
•    ହାତ ଜଙ୍ଘ ଉପରେ ରଖି ବଜ୍ରାସନରେ ବସନ୍ତୁ
•    ଆଖି ବନ୍ଦ କରନ୍ତୁ, ଦେହ ଢ଼ିଲା ରଖନ୍ତୁ। ମେରୁଦଣ୍ଡ ଓ ମୁଣ୍ଡ ସିଧା ରହିବ
•     ନିଶ୍ବାସ ନେଇ ହାତ ମୁଣ୍ଡ ଉପରକୁ ଉଠାନ୍ତୁ, ହାତ ସିଧା ରହିବ କାନ୍ଧ ଛଡ଼ାରେ
•    ନିଶ୍ବାସ ଛାଡ଼ିଲାବେଳେ ସାମନାକୁ ଅଣ୍ଟା ଭାଙ୍ଗନ୍ତୁ। ମୁଣ୍ଡ ଓ ହାତ ଆଗକୁ ଅଣ୍ଟା ସିଧାରେ ରହିବ
•    ଆସନର ଶେଷ ସ୍ଥିତିରେ ହାତ ଓ କପାଳ ଆଣ୍ଠୁ ସାମନାରେ ଭୂଇଁ ଉପରେ ରହିବ
•    ସମ୍ଭବ ହେଲେ କପାଳ ଓ ହାତ ଭୂଇଁକୁ ଏକା ସଙ୍ଗେ ଛୁଇଁବ
•    ହାତ ସାମାନ୍ୟ ଭାଙ୍ଗ ଯେମିତି ପୂରା ଢିଲା ରହେ, କହୁଣୀ ଭୂଇଁରେ ଲାଗିବ
•    ଆସନର ଏହି ଶେଷ ସ୍ଥିତିରେ ନିଶ୍ବାସକୁ ଛାଡ଼ି ୫ ସେକେଣ୍ଡ ରହିବ
•    ତା’ପରେ ଏକାସଙ୍ଗେ ନିଶ୍ବାସ ନେବେ ଏବଂ ହାତ ଓ ଦେହ ଉପରକୁ ଟେକିବ
•    ହାତ, ମୁଣ୍ଡ ଓ ଦେହ ସିଧା ରହିବ
•    ନିଶ୍ବାସ ଛାଡ଼ନ୍ତୁ, ହାତ ତଳକୁ ଆଣି ଆଣ୍ଠୁ ଉପରେ ରଖନ୍ତୁ
•    ଏହାକୁ ୩ରୁ ୫ ଥର ଅଭ୍ୟାସ କରନ୍ତୁ

ଆରମ୍ଭରୁ ଧୀରେ ଅଭ୍ୟାସ ସମୟ ବଢ଼ାଇବେ, ଶେଷରେ ଖୁବ୍‌ କମ୍‌ରେ ଅତି ୩ ମିନିଟ୍‌ ପାଇଁ ଆରାମରେ ବସିହେବ। 
ଅଧିକ ରକ୍ତଚାପ ଭୋଗୁଥିବା କିମ୍ବା ସ୍ଲିପଡ଼ ଡିସ୍କ ବା ମୁଣ୍ଡ ଘୂରାଇବାରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଏହି ଆସନ ମନା।