କନକ ବ୍ୟୁରୋ: ପାଠପଢ଼ା ବୟସରେ ପିଲା କରୁଛନ୍ତି ଆତ୍ମହତ୍ୟା । କଟକରେ ଗତ ପାଞ୍ଚବର୍ଷରେ ୧୯ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି, କୋମଳମତି ପିଲାମାନେ କାହିଁକି କରୁଛନ୍ତି ଆତ୍ମହତ୍ୟା । ପାଠପଢ଼ା ଚାପ ନା ଅଭିଭାବକଙ୍କ ଚାପ । ମାନସିକ ସ୍ଥିରତା ପାଇଁ ଶିକ୍ଷାନୁଷ୍ଠାନ ଗୁଡ଼ିକ କଣ ପଦକ୍ଷେପ ନେଉଛନ୍ତି ।

Advertisment

ପିଲାଙ୍କ ଉପରେ ପଡ଼ୁଛି କି ପାଠପଢ଼ା ଚାପ?  
       କାହିଁକି ବଢ଼ୁଛି ଆତ୍ମହତ୍ୟା?, କେମିତି ଲାଗିବ ରୋକ୍‌  

ଫେବୃୟାରୀ ୧୨ରେ କଟକର ଏକ ଘରୋଇ ସ୍କୁଲର ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ପରଦିନ ପୁଣି ଏକ ସରକାରୀ ସ୍କୁଲ ଛାତ୍ରୀଙ୍କ ଆତ୍ମହତ୍ୟା । ଏହି ଘଟଣା ପରେ ଅନ୍ତେବାସୀମାନେ ହଷ୍ଟେଲ ଛାଡ଼ିଛନ୍ତି। ମୁଣ୍ଡ ଉପରେ ପରୀକ୍ଷା, କିନ୍ତୁ ଅଭିଭାବକ ପିଲାଙ୍କୁ ନେଇ ଘରକୁ ବାହାରିଛନ୍ତି। ହଷ୍ଟେଲ ୱାର୍ଡେନଙ୍କ କହିବା କଥା ଛାତ୍ରୀ ଜଣକ ପାଠପଢ଼ାରେ ଦୁର୍ବଳ, ମାଟ୍ରିକ ପରୀକ୍ଷା ଚାପରେ ଛାତ୍ରୀଜଣକ ଏଭଳି ନିଷ୍ପତି ନେଇଥାଇ ପାରନ୍ତି । ସେପଟେ ବୁଦ୍ଧିଜୀବୀଙ୍କ କହିବା କଥା ପିଲାଙ୍କୁ ଚାପ ମୁକ୍ତ କରିବା ପାଇଁ ସ୍କୁଲରେ କାଉନସେଲିଂ ବ୍ୟବସ୍ଥା କରାଯାଉ ।

କଟକରେ ଗତ ପାଞ୍ଚବର୍ଷରେ ୧୯ଜଣ ପିଲା ଆତ୍ମହତ୍ୟା କରିଛନ୍ତି । ମନସ୍ତତ୍ୱବିତ୍ତଙ୍କ କହିବା କଥା, ପିଲାଙ୍କୁ ଚାପମୁକ୍ତ କରିବାରେ ବାପା ମାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ପିଲା ଉପରେ ପାଠପଢ଼ାର ଚାପ ପକାନ୍ତୁ ନାହିଁ । ନିଜର ଆଶା ଆକାଂକ୍ଷା ପିଲା ଉପରେ ଲଦନ୍ତୁ ନାହିଁ । ପିଲାର ମନକଥା ବୁଝନ୍ତୁ, ପିଲା ଯଦି ଚାପଗ୍ରସ୍ତ ରହୁଛି ତା ସହ କଥା ହୁଅନ୍ତୁ । ସ୍କୁଲରେ ପିଲାମାନେ କିପରି ମାନସିକ ଚାପରୁ ମୁକ୍ତ ରହିବେ ସେନେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତାଲିମ ଦିଆଯାଉ । ଛାତ୍ରଛାତ୍ରୀମାନେ ପାଠପଢା ଚାପରେ ଭାରାକ୍ରାନ୍ତ ହୋଇ ଯେମିତି ଭୁଲ୍ ନିଷ୍ପତି ନ ନିଅନ୍ତି ସେଦିଗରେ ଉଦ୍ୟମ କରିବାର ଆବଶ୍ୟକତା ରହିଛି ।