କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ମହୁଲପାଟଣା ଘାଟି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ରାସ୍ତାର ଖରାପ ଅବସ୍ଥା ଯୋଗୁଁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ ଆସିଛି । ଫଳରେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଚୁପ ବସିଛି ପ୍ରଶାସନ । ମୁଖିଗୁଡ଼ାରୁ ଥୁଆମୂଳ-ରାମପୁର ବ୍ଲକ ଓ ନବରଙ୍ଗପୁରର ଖାତିଗୁଡ଼ା ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତା ଏବେ ବିପଦରେ । ଯୁଆଡ଼େ ଆଖି ବୁଲାଇବ ସିଆଡ଼େ ବଡ଼ବଡ଼ ଖାଲ । ଲଗାଣ ବର୍ଷାରେ ଧୋଇଯାଇଛି ଘାଟି ରାସ୍ତା । ଫଳରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ! ତଥାପି ବିକଳ୍ପ ନପାଇ ବିପଦସଙ୍କୁଳ ଅବସ୍ଥାରେ ଗଡ଼ୁଛି ଶହଶହ ଗାଡ଼ି ।
ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମୟରେ ଘାଟି ରାସ୍ତା ନିର୍ମାଣ କରାଯାଇଥିଲା । ପ୍ରକଳ୍ପ କର୍ତ୍ତୃପକ୍ଷ ଏବଂ ଅନେକ ଗାଁର ଗମନାଗମନର ଏକମାତ୍ର ମାଧ୍ୟମ ଏହି ରାସ୍ତା । ଇନ୍ଦ୍ରାବତୀ ପ୍ରକଳ୍ପ ଓ ଡ୍ୟାମ୍ ଦେଖିବା ପାଇଁ ବର୍ଷସାରା ଲୋକଙ୍କ ଭିଡ଼ ଲାଗେ । ରାସ୍ତାର ଦୁରବସ୍ଥା ଯୋଗୁଁ ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସବୁ ଜାଣି ବି ହାତ ଟେକି ଦେଇଛନ୍ତି ଇନ୍ଦ୍ରାବତୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ । କୋଟି କୋଟି ରାଜସ୍ୱ ଦେଉଥିବା ଅଞ୍ଚଳର ରାସ୍ତାର ଏଭଳି ସ୍ଥିତିକୁ ଦେଖି ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିବା ସହ ମରାମତି ଦାବି କରିଛନ୍ତି ।