କନକ ବ୍ୟୁରୋ: ସରକାରଙ୍କ ଅଧୀନରେ କମ୍ପାନି ନା କମ୍ପାନି ଅଧୀନରେ ସରକାର? ଶିଳ୍ପସଂସ୍ଥାରେ କାର୍ଯ୍ୟରତ ସ୍ଥାନୀୟ କର୍ମଚାରୀଙ୍କ ସଂଖ୍ୟା ଜାଣି ନାହାଁନ୍ତି ସରକାର? ପୂର୍ବରୁ ମୁଖ୍ୟମନ୍ତ୍ରୀ, ଦୁଇ ମନ୍ତ୍ରୀ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାକୁ କମ୍ପାନିକୁ ତାଗିଦ୍ କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦକୁ ଫୁ କରି ଉଡ଼ାଇ ଦେଇଛନ୍ତି ସମ୍ୱଲପୁର ରେଙ୍ଗାଳି ଅଞ୍ଚଳର ସମସ୍ତ ଶିଳ୍ପସଂସ୍ଥା ।
ଏହା ବି ପଢ଼ନ୍ତୁ: ବ୍ଲଗରଙ୍କ ହତ୍ୟା ପଛରେ କିଏ, କାହିଁକି ଯବାନ ପାଲିଟିଲା ଜହ୍ଲାଦ
ଯେକୌଣସି ସ୍ଥାନରେ ଶିଳ୍ପସଂସ୍ଥା ଗଢ଼ିଉଠିଲେ ଦୁଇଟି ପ୍ରମୁଖ ପ୍ରତିଶ୍ରୁତି ଦିଆଯାଏ। ଗୋଟିଏ ଅଞ୍ଚଳର ବିକାଶ ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, ଅନ୍ୟଟି ପରିବେଶ ସୁରକ୍ଷା। ହେଲେ ସରକାରଙ୍କ ତାଗିଦ୍ ସତ୍ତ୍ୱେ ଏହି ଦୁଇଟି ପ୍ରତିଶ୍ରୁତି ପୂରଣ କରିବାରେ ଫେଲ୍ ମାରିଛନ୍ତି ସମ୍ୱଲପୁର ରେଙ୍ଗାଲି ଅଞ୍ଚଳର ସମସ୍ତ ଶିଳ୍ପସଂସ୍ଥା । ଲୋକଙ୍କ ସରକାର କିନ୍ତୁ ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ କେତେ ତତ୍ପର ବିଧାନସଭାରେ ଶ୍ରମ ମନ୍ତ୍ରୀଙ୍କ ଉତ୍ତର ସ୍ପଷ୍ଟ କରିଛି। ଆଶ୍ଚର୍ଯ୍ୟର କଥା ହିଣ୍ଡାଲକୋ ଓ ଏହାର ଅନୁବନ୍ଧିତ କମ୍ପାନିରେ କେତେ ସ୍ଥାନୀୟବାସିନ୍ଦାଙ୍କୁ ନିଯୁକ୍ତି ମିଳିଛି ତାହା ସରକାରଙ୍କୁ ଜଣାନାହିଁ।
ହିଣ୍ଡାଲକୋ ଓ ଅନୁବନ୍ଧିତ କମ୍ପାନିଗୁଡ଼ିକରେ ପ୍ରାୟ ୧୫,୦୦୦ ନୂଆ ନିଯୁକ୍ତି ମଧ୍ୟରୁ ସ୍ଥାନୀୟ ଲୋକଙ୍କ ଭାଗ ନାମକୁ ମାତ୍ର । କିନ୍ତୁ ଏନେଇ ସରକାରଙ୍କ ପାଖରେ ତଥ୍ୟ ନଥିବା ସଙ୍କେତ ଦେଉଛି, ସରକାର ଶିଳ୍ପ ନୀତିକୁ କଡ଼ାକଡ଼ି କରିବାକୁ ଚାହୁଁନାହାନ୍ତି। କମ୍ପାନି ପ୍ରୀତି ଏମିତି ଯେ ସ୍ଥାନୀୟବାସିନ୍ଦାଙ୍କୁ ନିଯୁକ୍ତିକୁ ଗୁରୁତ୍ୱର ଦେଉନାହାନ୍ତି। କେବଳ ସରକାର ନୁହେଁ ଜିଲ୍ଲାପ୍ରଶାସନ ମଧ୍ୟ ସ୍ଥାନୀୟଲୋକଙ୍କ ନିଯୁକ୍ତିକୁ ନେଇ ମୁହଁଖୋଲୁନଥିବା ଅଭିଯୋଗ ଆଣିଛନ୍ତି ରେଙ୍ଗାଳି ବିଧାୟକ।
ଅଞ୍ଚଳର ଖଣି ନେଉଛନ୍ତି, ପାଣି ନେଉଛନ୍ତି, କିନ୍ତୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଉନାହାଁନ୍ତି । ଶିଳ୍ପନୀତିର ଧଜ୍ଜିଆ ଉଡାଉଛି କମ୍ପାନି। ଶିଳ୍ପନୀତି ଅନୁଯାୟୀ ୮୦ ଭାଗ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବା କଥା। କିନ୍ତୁ ସରକାରଙ୍କ ପାଖରେ ତଥ୍ୟ ନଥିବାରୁ କମ୍ପାନିଗୁଡ଼ିକ ଶିଳ୍ପନୀତିକୁ ବାଟବଣା କରୁଛନ୍ତି। ଅନ୍ୟପଟେ ରେଙ୍ଗାଲି ଶିଳ୍ପାଞ୍ଚଳ ପାଇଁ ଜଳ, ଜମି ଜଙ୍ଗଲ ଦେଇଥିବା ସ୍ଥାନୀୟ ଲୋକଙ୍କୁ ଚାକିରି ବଦଳରେ ପ୍ରଦୂଷଣ ଓ ରୋଗ ମିଳୁଛି । ରେଙ୍ଗାଳି ଅଞ୍ଚଳର ଲୋକଙ୍କ ସ୍ୱାର୍ଥକୁ ଅଣଦେଖା କରି କମ୍ପାନିକୁ ପ୍ରତି ସରକାରଙ୍କ ଅହେତୁକ ଅନୁକମ୍ପା ଅଞ୍ଚଳରେ ଅସନ୍ତୋଷ ବଢ଼ାଇଛି ।
Follow Us