କନକ ବ୍ୟୁରୋ : ବିଜେଡିରେ ରାଜା ସ୍ବାଇଁଙ୍କ ଚିଠି ବାଣ । ୱାକଫ ବିଲ ଓ ସଙ୍ଗଠନ ନେଇ ଅସନ୍ତୋଷ ଜାହିର କରି ଦଳର ସୁପ୍ରିମୋଙ୍କୁ ଚିଠି ଲେଖିଛନ୍ତି ଆଠଗଡର ବରିଷ୍ଠ ବିଧାୟକ । ଦଳକୁ ହାଇଜ୍ୟାକ କରିବାକୁ ଦିଆନଯାଉ ଓ ୱାକଫ ବିଲ୍ ଦଳର ଧର୍ମନିରପେକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ବୋଲି ରାଜା ଲେଖିଛନ୍ତି । ଆଉ ଜଣକ ପରେ ଜଣେ ନେତାଙ୍କ ପ୍ରଶ୍ନ ଉଠାଇବା ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । 

Advertisment

ୱାକଫକୁ  ନେଇ ବିଜେଡିରେ କନ୍ଦଳ ଥମୁନାହିଁ । ଏହାରି ଭିତରେ ବରିଷ୍ଠ ବିଜେଡି ନେତା ରାଜା ସ୍ବାଇଁଙ୍କ ଭିତିରିଆ ଚିଠି ଦଳରେ ପୁଣି ଆଲୋଡନ ସୃଷ୍ଟି କରିଛି । ଚିଠିରେ ବିଜେଡି ହାଇଜ୍ୟାକର ଗନ୍ଧ ବାରିଛନ୍ତି ଆଠଗଡ ବିଧାୟକ । ରାଜା ସ୍ବାଇଁ ଲେଖିଛନ୍ତି, କିଛି ଲୋକଙ୍କୁ ଦଳର ସଙ୍ଗଠନକୁ ହାଇଜ୍ୟାକ କରିବାକୁ ଦିଆନଯାଉ । ୱାକଫ ବିବାଦ ବିଜେଡିର ଧର୍ମନିରପେକ୍ଷତାରେ ପ୍ରଶ୍ନ ଚିହ୍ନ ଲଗାଇଦେଇଛି । ତେଣୁ ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ପଦକ୍ଷେପ ନିଆଯାଉ । ଚର୍ଚ୍ଚା ହେଉଛି, ଦଳର ସଙ୍ଗଠନରେ କିଛି ପାଣ୍ଡିଆନ ମାର୍କା ନେତାଙ୍କୁ ଥଇଥାନ କରିବାକୁ ଯୋଜନା ହେଉଛି । ତେଣୁ ତା ପୂର୍ବରୁ ଏଭଳି ଗୁଗଲି ମାରିଛନ୍ତି ରାଜା । 

କିଛି ଦିନ ତଳେ  ବିଜେଡି ମୁଖିଆ ନବୀନ ପଟ୍ଟନାୟକ ବରିଷ୍ଠ ନେତାଙ୍କୁ ନାଲି ଆଖି ଦେଖାଇ ଚୁପ ରହିବାକୁ କହିଥିଲେ । କିନ୍ତୁ ଦଳରେ ଏହାର ପ୍ରଭାବ ପଡିନାହିଁ । ରାଜାଙ୍କ ଚିଠିରୁ ସ୍ପଷ୍ଟ ହୋଇଛି ୱାକଫ ନେଇ ବିଜେଡି ସାଂସଦଙ୍କ ଆଭିମୁଖ୍ୟରେ ରାଜା ଅସନ୍ତୁଷ୍ଟ ଅଛନ୍ତି । ସେଥିପାଇଁ ସଙ୍ଗଠନରେ ସଂରକ୍ଷଣ ରଖିବାକୁ ଦଳର ମୁଖିଆଙ୍କୁ ପ୍ରସ୍ତାବ ଦେଇଛନ୍ତି । ରାଜାଙ୍କ ଚିଠି ଦଳର ନେତା ପଦ୍ମନାଭ ବେହେରାଙ୍କୁ ହଜମ ହୋଇନାହିଁ । ବିଜେଡି କନ୍ଦଳ ଭିତରେ ବିଜେପି ପାଖରେ ନବୀନ ଆତ୍ମସମର୍ପଣ କରିଛନ୍ତି କହି ଟାର୍ଗେଟ କରିଛନ୍ତି ପିସିସି ସଭାପତି ।

ରାଜା ସ୍ବାଇଁଙ୍କ ଚିଠି ବାଣ ଭିତରେ ପ୍ରଶ୍ନ ଉଠୁଛି,
-କିଏ ବିଜେଡିକୁ ହାଇଜ୍ୟାକ କରିବାକୁ ଚାହୁଁଛି ?
- କାହା ପାଖରେ କ୍ଷମତା ଠୁଳ ହୋଇ ରହିଛି?
-ସୁପ୍ରିମୋଙ୍କୁ କାହିଁକି ମାଗିଲେ ସ୍ପଷ୍ଟିକରଣ ?