କନକ ବ୍ୟୁରୋ : "ଯେତେବେଳେ କୌଣସି ପରୀକ୍ଷା ନାହିଁ, କଠିନ ପରିଶ୍ରମ କରିବାର ଅର୍ଥ କ'ଣ?" ଆଜି ହଜାର ହଜାର ଆଶାୟୀଙ୍କ ଆଖିରେ ଏହି ପ୍ରଶ୍ନ ଉଙ୍କି ମାରୁଛି । ବର୍ତ୍ତମାନ ଭାରତର ରାଜଧାନୀ ରାସ୍ତାରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଛି ତାହା ଭାରତୀୟ ନିଯୁକ୍ତି ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । କର୍ମଚାରୀ ଚୟନ ଆୟୋଗ (ଏସଏସସି)ର ଚୟନ ପଦବୀ ପରୀକ୍ଷା (ଫେଜ୍-୧୩)ରେ ହୋଇଥିବା ଅନିୟମିତତା ଏବଂ ଅବହେଳାକୁ ନେଇ କ୍ଷୁବ୍ଧ ଛାତ୍ରମାନେ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିବାକୁ ପହଞ୍ଚିଥିଲେ । ବଡ଼ କଥା ହେଉଛି ଛାତ୍ରଛାତ୍ରୀଙ୍କ ଏହି ଆନ୍ଦୋଳନରେ କୋଚିଂ ଦେଉଥିବା ଶିକ୍ଷକମାନେ ମଧ୍ୟ ପହଞ୍ଚିଥିଲେ । ନୀତୁ ମ୍ୟାମ,ଖାନ୍ ସାରଙ୍କ ପରି ଜଣାଶୁଣା ଶିକ୍ଷକ,ଶିକ୍ଷୟିତ୍ରୀ ମଧ୍ୟ ରାସ୍ତାକୁ ଓହ୍ଲାଇ ଛାତ୍ରମାନଙ୍କ ସମର୍ଥନରେ ଛିଡ଼ା ହୋଇଥିଲେ । ପରୀକ୍ଷାରେ ଅନିୟମିତତା ଏବଂ ବାତିଲ ହେବାକୁ ନେଇ କ୍ଷୁବ୍ଧ ଛାତ୍ରଛାତ୍ରୀ ଏସଏସସି ପରୀକ୍ଷାରେ ଅବ୍ୟବସ୍ଥାର ସମ୍ମୁଖୀନ ହୋଇଥିଲେ ।
/filters:format(webp)/kanak/media/media_files/2025/08/04/neetu-mam-in-ssc-protest-2025-08-04-11-01-07.jpg)
ଅନେକ ଛାତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଯେ ପରୀକ୍ଷା ବାତିଲ କରାଯାଇଛି । କେତେକ ସ୍ଥାନରେ ସିଷ୍ଟମ କ୍ରାସ୍ ହୋଇଯାଇଥିଲା, ତେଣୁ କମ୍ପ୍ୟୁଟର ଚାଲୁନଥିଲା । ଅନେକ ପ୍ରାର୍ଥୀଙ୍କୁ ଭୁଲ ପରୀକ୍ଷା କେନ୍ଦ୍ର ଆବଣ୍ଟନ କରାଯାଇଥିଲା । ରାଜସ୍ଥାନର ଆଶାୟୀଙ୍କୁ ଆଣ୍ଡାମାନ , ନିକୋବର ଭଳି ସ୍ଥାନରେ ସେଣ୍ଟର୍ ପକାଯାଇଥିଲା । ଏହି ସବୁ ଅବହେଳା ସେହି ପରୀକ୍ଷାରେ ହେଉଛି ଯେଉଁଥି ପାଇଁ ପ୍ରାର୍ଥୀମାନେ ମାସ ମାସ ନୁହେଁ ବର୍ଷ ବର୍ଷ ଧରି ପ୍ରସ୍ତୁତି କରନ୍ତି । କେହି କେହି ଚାକିରି ଛାଡ଼ି , ପରିବାରଠାରୁ ଦୂରରେ ରହି କେବଳ ଗୋଟିଏ ଆଶାରେ ପରିଶ୍ରମ କରିଛନ୍ତି କିନ୍ତୁ ଯେତେବେଳେ ପରୀକ୍ଷା ଦେବାକୁ ପହଞ୍ଚିଛନ୍ତି ସେତେବେଳେ ନିରାଶା ଓ ଅପମାନ ମିଳିଛି । ଏମିତିକି ଛାତ୍ରଛାତ୍ରୀଙ୍କ ହକ୍ ଉପରେ ସ୍ବର ଉଠାଉଥିବା ଶିକ୍ଷକ , ଶିକ୍ଷୟିତ୍ରୀଙ୍କୁ ମଧ୍ୟ ପୁଲିସ ଭ୍ୟାନରେ ବସାଇ ନେଇଥିବା ଦେଖାଯାଇଛି । ଏଥର ଛାତ୍ରମାନଙ୍କ ରାଗ କେବଳ ଏସଏସସି ଉପରେ ନୁହେଁ ବରଂ ଯେଉଁ ଏଜେନ୍ସିକୁ ପରୀକ୍ଷା ଆୟୋଜନ କରିବାର ଦାୟିତ୍ୱ ଦିଆଯାଇଛି ତାହା ଉପରେ ମଧ୍ୟ ଅଛି । ଛାତ୍ରମାନଙ୍କର ଦାବି ହେଉଛି ଯେ ଏସଏସସି ଏକ ନୂଆ ପରୀକ୍ଷା ଭେଣ୍ଡର ନିଯୁକ୍ତ କରିଛି ଯିଏ ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଛି ।
/filters:format(webp)/kanak/media/media_files/2025/08/04/khan-2025-08-04-11-01-40.jpg)
ଆଶାୟୀଙ୍କ କହିବାନୁସାରେ ଭେଣ୍ଡର ପୂର୍ବରୁ ମଧ୍ୟ UPSC ପରି ପରୀକ୍ଷାଗୁଡ଼ିକରେ ଖରାପ ପ୍ରଦର୍ଶନ କରିଥିଲା । ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ଯେ ଏସଏସସି ଏହି ଏଜେନ୍ସି ସହିତ ତୁରନ୍ତ ଚୁକ୍ତି ବାତିଲ କରୁ ନଚେତ୍ ଆଗାମୀ ପରୀକ୍ଷାଗୁଡ଼ିକ ମଧ୍ୟ ଏହିଭଳି ପ୍ରଭାବିତ ହେବାର ସମ୍ଭାବନା ରହିଛି । ଅନେକ ଛାତ୍ର କହିଛନ୍ତି ଯେ ସେମାନେ ପରୀକ୍ଷା ଦେବା ପାଇଁ ୪୦୦ ରୁ ୫୦୦ କିଲୋମିଟର ଦୂରରୁ ଯାତ୍ରା କରି ଆସିଥିଲେ । ନିଜ ପକେଟ ଖର୍ଚ୍ଚରୁ ରହିବା ଏବଂ ଖାଇବାର ବ୍ୟବସ୍ଥା କରିଥିଲେ କିନ୍ତୁ ପରୀକ୍ଷା ନ ଦେଇ ଫେରିବାକୁ ପଡ଼ିଲା । ଯେଉଁ ପରୀକ୍ଷାରେ ୧୦ ମିନିଟ୍ ବିଳମ୍ବ ହେଲେ ମଧ୍ୟ ସେଣ୍ଟର ଭିତରକୁ ପ୍ରବେଶ କରିବାକୁ ଦିଆଯାଏନାହିଁ ସେଠାରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ହିଁ ଦିଆଗଲା ନାହିଁ।" ଆନ୍ଦୋଳନରେ କିଛି ଦିବ୍ୟାଙ୍ଗ ଛାତ୍ରଙ୍କୁ ମଧ୍ୟ ଓହ୍ଲାଇଥିବାର ଦେଖାଯାଇଥିଲା । କଥା ନ କହି ପାରୁଥିଲେ ହେଁ ସେମାନଙ୍କ ମନର ବ୍ୟଥା ଏବଂ ରାଗ ଆନ୍ଦୋଳନରେ ଦେଖାଯାଇଥିଲା ।
/filters:format(webp)/kanak/media/media_files/2025/08/04/ssc_protest-2025-08-04-11-02-17.jpg)
ଛାତ୍ରମାନେ ଦାବି କରିଥିଲେ ଯେ ପରୀକ୍ଷା ଆୟୋଜନରେ ହୋଇଥିବା ଅନିୟମିତତାର ତଦନ୍ତ ହେଉ । ଭେଣ୍ଡରକୁ ହଟାଯାଉ ଏବଂ ନୂଆ ଏଜେନ୍ସି ନିଯୁକ୍ତ କରାଯାଉ । ବାତିଲ ହୋଇଥିବା ପରୀକ୍ଷାର ନୂଆ ତାରିଖ ତୁରନ୍ତ ଘୋଷଣା କରାଯାଉ । ପରୀକ୍ଷା କେନ୍ଦ୍ରଗୁଡ଼ିକର ତଦାରଖ ଏବଂ ଉତ୍ତରଦାୟିତ୍ୱ ସ୍ଥିର କରାଯାଉ । ଛାତ୍ର ଏବଂ ଶିକ୍ଷକମାନଙ୍କ ଉପରେ ହୋଇଥିବା ଲାଠିଚାର୍ଜର ତଦନ୍ତ ହେଉ । ସରକାର ଏହି ମାମଲାରେ ସିଧାସଳଖ ହସ୍ତକ୍ଷେପ କରନ୍ତୁ । ତେବେ ସୋସିଆଲ ମିଡିଆ ବର୍ତ୍ତମାନ ଛାତ୍ରମାନଙ୍କ ସ୍ୱର ପାଲଟିଛି । ଏକ୍ସ , ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ପରି ପ୍ଲାଟଫର୍ମ ଏହି ବିରୋଧର ମୁଖ୍ୟ ମଞ୍ଚ ପାଲଟିଛି । ପ୍ରତି ପ୍ଲାଟଫର୍ମରେ ହାସଟ୍ୟାଗ୍ ଟ୍ରେଣ୍ଡ କରୁଛି । ଅନେକ ଛାତ୍ର ଭିଡିଓ ମାଧ୍ୟମରେ ନିଜର ଅସୁବିଧାକୁ କହୁଛନ୍ତି , ଯେଉଁଥିରେ ପରୀକ୍ଷା କେନ୍ଦ୍ରଗୁଡ଼ିକର ଦୁର୍ଦ୍ଦଶା ସ୍ପଷ୍ଟ ଭାବରେ ଦେଖାଯାଉଛି ।
ଏହି ଆନ୍ଦୋଳନର ମହତ୍ତ୍ବପୂର୍ଣ୍ଣ କଥା ହେଉଛି କୋଚିଂ ଏବଂ ଗାଇଡେନ୍ସ ଦେଉଥିବା ଶିକ୍ଷକମାନେ ନିଜେ ଛାତ୍ରମାନଙ୍କ ସହିତ ଛିଡ଼ା ହୋଇଛନ୍ତି । ନୀତୁ ମ୍ୟାମ୍ , ଖାନ୍ ସାରଙ୍କ ସମେତ ୟୁଟ୍ୟୁବ ଏଜୁକେଟର୍ସ, ଅଫଲାଇନ କୋଚିଂ ଇନଷ୍ଟିଚ୍ୟୁଟ୍ସ ଏବଂ ଅନୁଷ୍ଠାନ ଏସଏସସିକୁ ସମାଲୋଚନା କରିବା ସହ ସରକାରଙ୍କୁ ସିଧାସଳଖ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ତେବେ ବିରକ୍ତିକର ବିଷୟ ହେଉଛି ଏପର୍ଯ୍ୟନ୍ତ ଏସଏସସି ଏହି ମାମଲାରେ ପାଟି ଫିଟାଇନାହିଁ । ଯେଉଁଥିପାଇଁ ଛାତ୍ରଛାତ୍ରୀଙ୍କ ମନରେ ଅଧିକ ଅସନ୍ତୋଷ ବଢ଼ୁଛି । ଯଦି ପ୍ରତିଟି ପରୀକ୍ଷାରେ ଏମିତି ଚାଲିଥିବ ତେବେ ପରୀକ୍ଷାର୍ଥୀ ତଥା ଆଶାୟୀଙ୍କ ଭବିଷ୍ୟତ କ’ଣ ହେବ ଅନୁମାନ କରିପାରୁଥିବେ ।