କନକ ବ୍ୟୁରୋ: କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମହାରାଷ୍ଟ୍ରର ଭଳି ଏକନାଥ ସିନ୍ଦେ ହୋଇ କଂଗ୍ରେସ ସରକାର ଭାଙ୍ଗିବ ବୋଲି ବିଜେପି ଭବିଷ୍ୟବାଣୀ କରିଛି । ଗତ କିଛି ଦିନ ଧରି ଡିକେଙ୍କ ସହ ବିଜେପିର ମିଳାମିଶା ନେଇ ଏଭଳି ଆକଳନ ଚାଲିଛି ।

Advertisment

ଏଭଳି ଭବିଷ୍ୟବାଣୀ କରି ରାଜନୈତିକ ମହଲରେ ଚହଳ ସୃଷ୍ଟି କରିଛନ୍ତି କର୍ଣ୍ଣାଟକ ବିରୋଧୀ ଦଳ ନେତା ଆର ଅଶୋକ । ଗତ କିଛି ଦିନ ଘଟଣାବଳୀକୁ ନେଇ ଏଭଳି ମତ ଦେଇଛନ୍ତିପ୍ରଦେଶ କଂଗ୍ରେସର ସଭାପତି ଥିବା ଡିକେ ଶିବକୁମାର ନିକଟରେ ମହାକୁମ୍ଭରେ ଯୋଗ ଦେଇଥିଲେ । ସେଠାରେ ବିଧି ସହାକାରରେ ପୂଜା କରିବା ସହ ଯୋଗୀ ସରକାରଙ୍କ ଦ୍ବାରା କରାଯାଇଥିବା ସମସ୍ତ ବନ୍ଦୋବସ୍ତକୁ ପ୍ରଶଂସା କରିଥିଲେ । ଏହାଛଡା ତାମିଲନାଡୁର କୋଏମ୍ବାଟୁରରେ ସଦଗୁରୁଙ୍କ ଶିବରାତ୍ରୀ ମହୋତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଶିବକୁମାରଙ୍କ ଯୋଗଦାନକୁ ନେଇ କର୍ଣ୍ଣାଟକରେ ହଇଚଇ ସୃଷ୍ଟି ହୋଇଛି ।

କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ ସମୟରେ ଉଭୟ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଶିବକୁମାର ଆଧା ଅଧା ସମୟ ରାଜ୍ୟର ମୁଖ୍ୟ ହେବେ ବୋଲି କଂଗ୍ରେସ ହାଇକମାଣ୍ଡ ଉପସ୍ଥିତରେ ଚୁକ୍ତି ହୋଇଥିଲା । ଯାହା ଆଧାରରେ ଏବର୍ଷ ଶେଷ ସୁଦ୍ଧା ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବା କଥା । ମାତ୍ର ସିଦ୍ଧରମୈୟା ଏତେ ସହଜରେ ମୁଖ୍ୟମନ୍ତ୍ରୀ ପଦ ଛାଡିବେ ବୋଲି ଡିକେ ଭାବୁ ନାହାଁନ୍ତି । ଏହାଛଡା ଦଳିତ ସମ୍ପ୍ରଦାୟର ସିଦ୍ଧରମୈୟାଙ୍କୁ ବାହାର କରିବାକୁ କଂଗ୍ରେସ ହାଇ କମାଣ୍ଡ ଚାହିଁ ନପାରନ୍ତି ତେଣୁ ହାଇକମାଣ୍ଡଙ୍କ ଆଗରେ ନିଜର ରାଜନୈତିକ ବିକଳ୍ପ ଖୋଲା ରଖିବାକୁ ଡିକେଙ୍କ ଏହା ପ୍ରୟାସ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ମାତ୍ର ଡିକେ ଏହାକୁ ଖଣ୍ଡନ କରିଛନ୍ତି । ନିଜକୁ ଜଣେ ସଚ୍ଚା ହିନ୍ଦୁ ବୋଲି ଅବିହିତ କରିବା ସହ କୌଣସି ସମୟରେ କଂଗ୍ରେସ ଛଡା ତାଙ୍କର ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଦୃଢ଼ ଭାବେ ମତ ଦେଇଛନ୍ତି ।