କନକ ବ୍ୟୁରୋ : ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତରେ ବିନା ଦ୍ୱିଧାରେ କୋଟିଆରେ ପ୍ରବେଶ କରୁଛି ଆନ୍ଧ୍ର । ୨୧ଟି ଗ୍ରାମପୁଞ୍ଜକୁ ନେଇ ଦଶନ୍ଧି ଧରି ରହିଛି ତିକ୍ତତା । ସୀମା ବିବାଦ ନେଇ ସୁପ୍ରିମ୍କୋର୍ଟକୁ ପୁଣି ଯାଇଛି ଓଡ଼ିଶା । କୋଟିଆ ମୋହ ଛାଡ଼ିପାରୁନି ଆନ୍ଧ୍ର, ଖଣିକୁ ଆଖି । ବାରମ୍ବାର କରୁଛି ମନମାନି, ଦାଦାଗିରି । ସରକାର ବଦଳିଲା, ପରିବର୍ତ୍ତନ ହେଲାନି ଆନ୍ଧ୍ର ଆଭିମୁଖ୍ୟ । ମିଛ ପ୍ରତିଶ୍ରୁତି ଦେଇ କବ୍ଜା କରିବାକୁ ଆନ୍ଧ୍ରର ଉଦ୍ୟମ । ଫି ଦିନ ଓଡ଼ିଶା ପ୍ରୀତି ତୁଟାଇବାକୁ ଚକ୍ରାନ୍ତ କରୁଛି । ଜଟିଳ ହେଉଛି କୋଟିଆ ବିବାଦ । ସମାଧାନ ପାଇଁ ଚାଲିଛି ଭାଷଣବାଜି । ସରକାରଙ୍କ ପାଖରେ ନାହିଁ ଠୋସ୍ ଯୋଜନା । ଆରୋପ ପ୍ରତ୍ୟାରୋପରେ ଅଟକିଛି କୋଟିଆ ଚର୍ଚ୍ଚା । ଭାଷଣ ବେଶି, ଯୋଜନା କମ୍। ଭାଗ୍ୟ ଫିଟୁନି କି ସମସ୍ୟା ତୁଟୁନି । ଡବଲ ଇଞ୍ଜିନ୍ ସରକାରରେ ସମାଧାନ ନୋହିଲା । ସବୁ ଦଳ ବୁଲିଥିଲେ କୋଟିଆ । ଉପମୁଖ୍ୟମନ୍ତ୍ରୀ କଲେଣି ଏକାଧିକ ଥର ଗସ୍ତ। ଗୁରୁତ୍ବ ବଢ଼ିଲା, ତଥାପି ଅନ୍ଧାରରେ କୋଟିଆ ଭାଗ୍ୟ । ବାରମ୍ବାର କୋଟିଆ ମାଡ଼ି ବସୁଛି ଆନ୍ଧ୍ର । ପଞ୍ଚାୟତ ନିର୍ବାଚନ ଲାଗି ଉଦ୍ୟମ କରୁଛି ପଡ଼ୋଶୀ , ବାଣ୍ଟୁଛି ରାସନ୍ ଓ ଆଧାର କାର୍ଡ । ନିର୍ମାଣ କରିଛି ଅଙ୍ଗନବାଡ଼ି କେନ୍ଦ୍ର । ପିଲାଙ୍କୁ ଶିଖାଉଛି ତେଲୁଗୁ ଭାଷା । ଦେଉଛି ଅନ୍ୟ ସରକାରୀ ସୁବିଧା ।
ଇତି ମଧ୍ୟରେ କୋଟିଆରେ ପୁଣି ତେଜିଛି ପ୍ରତିଶ୍ରୁତିର ରାଜନୀତି । କୋରାପୁଟ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କୋଟିଆରେ ଏବେ ଅନୁପ୍ରବେଶ ରୋକିବେ ସରକାର । ଆନ୍ଧ୍ରର ମନ ଇଚ୍ଛା ପ୍ରବେଶକୁ ଗୁରୁତ୍ବର ସହ ନେଇଛନ୍ତି ଓଡ଼ିଶା ସରକାର । ପଡ଼ିଶା ଆନ୍ଧ୍ର ଆଉ ଓଡ଼ିଶାରେ କରିପାରିବନି ମନମୁଖୀ ପ୍ରବେଶ । ଏଥିପାଇଁ କୋଟିଆରେ ଲାଗୁ ହେବ ଏସ୍ଆଇଆର । ଆନ୍ଧ୍ରର ଅନୁପ୍ରବେଶ ରୋକିବାକୁ ଏହି ନୂଆ ନୀତି ଆପଣାଇବାକୁ ଯାଉଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି ଖୋଦ୍ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀଙ୍କ ଘୋଷଣା ପରେ ଆନ୍ଧ୍ରକୁ ଲାଗିପାରେ ଝଟକା । ନିକଟରେ ପରବ ମହୋତ୍ସବ ଉପଲକ୍ଷେ କୋରାପୁଟ ଆସିଥିବା ଯୋଗାଣ ମନ୍ତ୍ରୀ ଦିନିକିଆ କୋଟିଆ ଗସ୍ତରେ ଯାଇ କୋଟିଆ ବାସୀଙ୍କୁ ଭେଟିଛନ୍ତି । ଏ ଅବସରରେ ମନ୍ତ୍ରୀ ମୌଳିକ ସୁବିଧାରୁ ବଞ୍ଚିତ କୋଟିଆର ବିକାଶ ପାଇଁ ପୁଣି ଦେଇଛନ୍ତି ପ୍ରତିଶ୍ରୁତି ।
ମୁଖ୍ୟତ ନେଟୱାର୍କ ନଥିବା ଯୋଗୁ କୋଟିଆବାସୀ ନାହିଁ ନଥିବା ହଇରାଣ ହେଉଥିବା ପ୍ରସଙ୍ଗ ମନ୍ତ୍ରୀଙ୍କ ସାମନାରେ ଉଠାଇଥିଲେ । ମନ୍ତ୍ରୀ ମଧ୍ୟ ଅତିଶୀଘ୍ର ତାର ସୁବିଧା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଗସ୍ତ ବେଳେ କୋଟିଆରେ ଏକ ବୈଠକ ଡାକି ଆଲୋଚନା କରିବା ସହ ୨୬ ଜଣ ହିତାଧିକାରୀଙ୍କୁ ରାସନ କାର୍ଡ ବି ବଂଟନ କରିଛନ୍ତି ଯୋଗାଣ ମନ୍ତ୍ରୀ । ଅନୁପ୍ରବେଶ ରୋକିବା ପାଇଁ ମନ୍ତ୍ରୀ କହିଛନ୍ତି ଯେ ଏସ୍ଆଇଆର ଅତି ଶୀଘ୍ର ଲାଗୁ ହେବ । ବାହାର ଦେଶର ଯଦି କେହି ଆସି ରାସନ କାର୍ଡ ହାତେଇଥିବେ, ତାକୁ ବରଦାସ୍ତ କରାଯିବ ନାହିଁ । ତେବେ ପୂର୍ବରୁ ରାଜସ୍ୱ ମନ୍ତ୍ରୀ ମଧ୍ୟ କୋଟିଆ ଗସ୍ତ କରି ଫେରିଛନ୍ତି । ଗସ୍ତ ବେଳେ ଆନ୍ଧ୍ରକୁ ମାଉସୀ ବୋଲି କହିଥିଲେ ରାଜସ୍ବ ମନ୍ତ୍ରୀ । ମା’ କେବେ ମାଉସି ହେବ ନାହିଁ, ମା’ ହେବାକୁ ଚେଷ୍ଟା ନ କରୁ ଆନ୍ଧ୍ର ବୋଲି କହିଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ଅଧିକ ପଢ଼ନ୍ତୁ---ବାଲେଶ୍ୱରରେ ଭୟ ବଢ଼ାଉଛି ମୁକୁଳା ସୀମା, ସୀମାନ୍ତ ନାକା ପୋଷ୍ଟରେ ନାହାଁନ୍ତି ପୁଲିସ, ଫାଇଦା ଉଠାଉଛନ୍ତି ବାଲି ମାଫିଆ
କୋଟିଆକୁ ନେଇ ଦୀର୍ଘ ବର୍ଷ ହେଲା ଉଭୟ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି । ଇତି ମଧ୍ୟରେ ସରକାର ମଧ୍ୟ ବଦଳିଛନ୍ତି । ଆସିଛି ଡବଲ ଇଞ୍ଜିନ ସରକାର । କୋଟିଆକୁ ଯେଉଁ ମନ୍ତ୍ରୀ ଓ ଅଧିକାରୀ ଆସୁଛନ୍ତି, ସମସ୍ତଙ୍କୁ ନାଚ ଗୀତରେ ସ୍ୱାଗତ କରି ଆପଣାର କରୁଛନ୍ତି ସ୍ଥାନୀୟବାସୀ କିନ୍ତୁ ତାଙ୍କୁ ମିଳୁଛି କଣ । ଯେତେ ମନ୍ତ୍ରୀ ଆସୁଛନ୍ତି କେବଳ ପ୍ରତିଶ୍ରୁତି ଦେଇ ଚାଲି ଯାଉଛନ୍ତି । କାର୍ଯ୍ୟକାରୀ ଶୂନ ବୋଲି କହିଛନ୍ତି ପଟାଙ୍ଗୀ ବିଧାୟକ ତଥା ବିଧାନସଭା କଂଗ୍ରେସ ଦଳର ବିରୋଧୀ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି । ସେହିପରି ପ୍ରତିବର୍ଷ ମାଳମାଳ ମନ୍ତ୍ରୀ କୋଟିଆ ଗସ୍ତ କରୁଛନ୍ତି । କିନ୍ତୁ ବିକାଶ କାମ ହୋଇ ପାରୁନାହିଁ । ତେଣୁ ଆମର ବିଶ୍ୱାସ ନାହିଁ ବୋଲି କହିଛନ୍ତି ସ୍ଥାନୀୟ ନେତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/23/kotia-2025-12-23-17-15-18.jpg)