କନକ ବ୍ୟୁରୋ : ୨୦୨୫ ମସିହା ମେ’ ମାସରେ ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ଆକ୍ରମଣ ଅପରେସନ ସିନ୍ଦୂରରେ ଅଣ୍ଟାଭାଙ୍ଗି ଯାଇଥିବା ଦୁଇଟି ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା ଏବଂ ଜୈସ-ଏ-ମହମ୍ମଦ ଏକ ମେଣ୍ଟ ଗଠନ କରିବା ନେଇ ଚିନ୍ତା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ଅନୁସାରେ ଜୈଶର ଗଡ଼ରେ ଲସ୍କରର ଶୀର୍ଷ ଆତଙ୍କବାଦୀଙ୍କୁ ଠାବ କରାଯାଇଛି । ମଙ୍ଗଳବାର ଦିନ, ସମସ୍ତ ଶୀର୍ଷ ଲସ୍କର ଆତଙ୍କବାଦୀ ବାହାୱାଲପୁରର ଏକ ବଡ଼ ମଦ୍ରାସାରେ ଏକାଠି ହୋଇଥିଲେ । ବାହାୱାଲପୁରକୁ ଜୈସର ଗଡ଼ ବୋଲି ବିବେଚନା କରାଯାଇଥାଏ । ଜୈସ ମୁଖ୍ୟ ମାସୁଦ ଆଝାରର ମୁଖ୍ୟ ଶିବିର ସେଠାରେ ରହିଛି । ସୂତ୍ର ଅନୁଯାୟୀ, ବାହାୱଲପୁରରେ ହୋଇଥିବା ବୈଠକରେ ଲସ୍କରର ଶୀର୍ଷ ଆତଙ୍କବାଦୀ ହାଫିଜ୍ ସଇଦଙ୍କ ପୁଅ ତଲହା ସଇଦ, ଲସ୍କରର ଉପମୁଖ୍ୟ ସୈଫୁଲ୍ଲା କସୁରୀ ଏବଂ ହାଫିଜ୍ ଅବଦୁଲ ରଉଫ ଯୋଗ ଦେଇଥିଲେ । ଏହି ବୈଠକ ପରେ ଗୁଇନ୍ଦା ସଂସ୍ଥାଗୁଡ଼ିକ ହାଇ ଆଲର୍ଟରେ ଅଛନ୍ତି ।

Advertisment

ସୂତ୍ର ଅନୁଯାୟୀ ଲସ୍କର ଆତଙ୍କବାଦୀମାନେ ଜୈଶ ଆତଙ୍କବାଦୀଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ । ତେବେ ଏହାର ଫଟୋ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ଗୁଇନ୍ଦା ରିପୋର୍ଟ ଅନୁସାରେ ଜୈସ-ଏ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାର ଏବଂ ତାଙ୍କର ଡେପୁଟି ରଉଫ ଅସଗର ଭାରତରେ ଆତଙ୍କବାଦୀ ଆକ୍ରମଣ ଯୋଜନା ଏବଂ ପରିଚାଳନା କରୁଛନ୍ତି । ଗୁଇନ୍ଦା ସଂସ୍ଥାଗୁଡ଼ିକ ଚିନ୍ତା ପ୍ରକାଶ କରିଛନ୍ତି ଯେ, ଜୈସ ଭବିଷ୍ୟତରେ ଆଇଇଡି ଆକ୍ରମଣ କରିପାରେ । ଜୈସ-ଏ-ମହମ୍ମଦର ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ବିଷୟରେ ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କ କରାଇ ଦେଇଛନ୍ତି । ସେମାନେ କହିଛନ୍ତି, ଜୈସର ଅଲ୍-କାଏଦା, ତାଲିବାନ ଏବଂ ହକ୍କାନି ନେଟୱାର୍କ ସହିତ ଦୃଢ଼ ସମ୍ପର୍କ ଅଛି ଏବଂ ଏହି ସଂଗଠନଗୁଡ଼ିକ ମିଳିତ ଭାବରେ ଆଇଇଡି ଆକ୍ରମଣ ଯୋଜନା କରିଥାନ୍ତି ।

ଅଧିକ ପଢ଼ନ୍ତୁ--ପୋଙ୍ଗଲ ଉପହାର ମାଧ୍ୟମରେ ତାମିଲ ନେତାଙ୍କ ନିର୍ବାଚନୀ ପ୍ରଚାର

ରିପୋର୍ଟରେ ଉଲ୍ଲେଖ କରାଯାଇଛି, ଜୈସ କମାଣ୍ଡର ମହମ୍ମଦ ମୁସାଦ୍ଦିକ ଏବଂ ମାସୁଦ କାଶ୍ମୀରୀ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ବିଭିନ୍ନ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ମହମ୍ମଦ ମୁସାଦ୍ଦିକ ସୀମା ପାର କରାଇ ଭାରତରେ ଜୈସ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ମଧ୍ୟ କାମ କରୁଥିବା ଗୁଇନ୍ଦା ରିପୋର୍ଟ ପ୍ରକାଶ ପାଇଛି । ସେହିପରି ଆତଙ୍କବଦାୀ ମାସୁଦ ଇଲିଆସ କାଶ୍ମୀରୀ, ଓରଫ ଆବୁ ମହମ୍ମଦ, ଜୈସର ଅମୀର ଯୁବ ପାକିସ୍ତାନୀଙ୍କୁ ଜୈଶ ସଂଗଠନରେ ଭର୍ତ୍ତି କରି ସେମାନଙ୍କୁ ତାଲିମ ପାଇଁ ଆତଙ୍କବାଦୀ ଶିବିରକୁ ପଠାଉଛନ୍ତି ।

ଜୈସ ଏବଂ ଲସ୍କର-ଏ-ତୈବା ମଧ୍ୟରେ ମେଣ୍ଟ ହେବାର କଳ୍ପନାଜଳ୍ପନା ମଧ୍ୟରେ, ଲସ୍କର କମାଣ୍ଡର ଆବୁ ମୁସାରଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ଏହି ଭିଡିଓଟି ନିୟନ୍ତ୍ରଣ ରେଖା ନିକଟରେ ରାୱାଲକୋଟ ଜିଲ୍ଲାର ପୁଞ୍ଚ ଅଞ୍ଚଳର ହାଜିରା ତହସିଲର ତାତ୍ରିନୋଟେର । ଭିଡିଓରେ, ଲସ୍କର-ଏ-ତୈବା ସହିତ ଜଡିତ ସଂଗଠନ ଜେକେୟୁଏମ୍‌ର ଜଣେ କୁଖ୍ୟାତ ଆତଙ୍କବାଦୀ କମାଣ୍ଡର ଆବୁ ମୁସାର କାଶ୍ମୀରୀ ଖୋଲାଖୋଲି ଘୃଣା ଏବଂ ହିଂସା ପ୍ରସାର କରୁଥିବା ଦେଖାଯାଉଛି । ତାଙ୍କ ଭାଷଣରେ, ଆବୁ ମୁସା କହୁଥିାର ଶୁଣାଯାଉଛି,କାଶ୍ମୀରର ସ୍ୱାଧୀନତା ଭିକ୍ଷା ମାଗି ନୁହେଁ, ବରଂ ହିନ୍ଦୁମାନଙ୍କର ମୁଣ୍ଡ କାଟି ହାସଲ କରାଯିବ । 

ଏହା ବ୍ୟତୀତ, ସେ ଏହି ବାର୍ତ୍ତାଗୁଡ଼ିକୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଏବଂ ଅନ୍ୟାନ୍ୟ ମନ୍ତ୍ରୀମାନଙ୍କୁ ଜଣାଇଥିବାର ଦାବି କରିଛନ୍ତି । ସେ ସ୍ପଷ୍ଟ ଭାବରେ କହୁଛନ୍ତି, କାଶ୍ମୀର ସମସ୍ୟା କେବଳ ଆତଙ୍କବାଦ ଏବଂ ତଥାକଥିତ ଜିହାଦ ମାଧ୍ୟମରେ ସମାଧାନ ହେବ । ଆତଙ୍କବାଦୀ ସଂଗଠନର ଏଭଳି ଭିଡିଓ ନେଇ ଭାତତୀ ଗୁଇନ୍ଦା ସଂସ୍ଥାଗୁଡ଼ିକ ପକ୍ଷରୁ ହାଇ ଆର୍ଲଟ ଜାରି କରାଯାଇଛି । ଏହା ସହିତ ସୀମାପାର ଆତଙ୍କବାଦୀ ଅନୁପ୍ରବୋ ରୋକିବା ପାଇଁ ଏଲଓସିରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି ।