କନକ ବ୍ୟୁରୋ: ରାଜନୀତିରେ ପାଦ ଦେଇ ପଶ୍ଚାତାପ କରୁଛନ୍ତି କି କଙ୍ଗନା ରାଣାୱତ । ବିଜେପି ସାଂସଦ ଓ ଅଭିନେତ୍ରୀଙ୍କ ଏକ ବୟାନକୁ ନେଇ ଏହି ପ୍ରଶ୍ନ ଉଠିଛି । କେବଳ ସେତିକି ନୁହେଁ, ରାଜନୀତିକୁ ନେଇ ସେ ଦେଇଥିବା କଡ଼ା ଟିପ୍ପଣୀ ମଧ୍ୟ ବେଶ୍ ଚର୍ଚ୍ଚା ସାଉଁଟୁଛି ।
ରାଜନୀତି ଏକ କଷ୍ଟକର ବ୍ୟାପାର । ଯେଉଁଠି ପଇସା ଉଡ଼େ ଓ ମାନସିକ ଚାପ ବଢ଼େ । ଏହା ସବୁଠୁ ଅଧିକ ଦୁର୍ବ୍ୟବହାରପୂର୍ଣ୍ଣ ବୃତ୍ତି । ଏକ ଜାତୀୟ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଏଭଳି କିଛି ବୟାନ ଦେଇ କଙ୍ଗନା ଏକଥା ପରୋକ୍ଷରେ ଇଙ୍ଗିତ କରିଛନ୍ତି ଯେ ରାଜନୀତିରେ ଯେ ସେ ଖୁସି ନାହାଁନ୍ତି । ଏଥିସହ ଅଭିନେତ୍ରୀ ତଥା ସାଂସଦ ଏକଥା ମଧ୍ୟ କହିଛନ୍ତି ଯେ ଯେଉଁ ସମୟରେ ସେ ରାଜନୀତିରେ ପାଦ ଦେଲେ ତାଙ୍କୁ ଏହି ଦୁନିଆ କିଛି ଭିନ୍ନ ଲାଗୁଥିଲା । ସାଂସଦଭାବେ ୬୦ରୁ ୭୦ଦିନ ଦାୟିତ୍ବ ତୁଲାଇବାକୁ ପଡ଼ିବ ବୋଲି ଟିକେଟ୍ ଦେବା ସମୟରେ ତାଙ୍କୁ କୁହାଯାଇଥିଲା । ଭାବିଥିଲେ ନିଶା ଓ ପେସାକୁ ଏକାଠି ନେଇ କାମ କରିବେ । ଅର୍ଥାତ ରାଜନୀତି ଓ ଅଭିନୟକୁ ଆବଶ୍ୟକ ମୁତାବକ ସମୟ ଦେଇପାରିବେ, କିନ୍ତୁ ବାସ୍ତବରେ ସେଭଳି କିଛି ଦେଖିବାକୁ ମିଳୁନି । ତେବେ ସାଂସଦ ମ୍ୟାଡାମଙ୍କ ଏହି ବୟାନ ଶୁଣିବାକୁ ଯେତିକି ରୋଚକ ଲାଗୁଛି ସେତିକି ପ୍ରଶ୍ନ ମଧ୍ୟ ଉଠାଇଛି କ’ଣ ପ୍ରକୃତିରେ ରାଜନୀତିରେ ଖୁସି ନାହାଁନ୍ତି କି କଙ୍ଗନା ।
ନିକଟରେ ବିରୋଧୀ କଙ୍ଗନାଙ୍କୁ ତାଙ୍କ ଅବହେଳା ଦର୍ଶାଇ ଟାର୍ଗେଟ୍ କରିଥିଲେ । ମଣ୍ଡିର ସାଂସଦ ହେବା ସତ୍ତ୍ବେ ବନ୍ୟା ପ୍ରଭାବିତଙ୍କୁ ନା ଭେଟୁଛନ୍ତି ନା ସାହାଯ୍ୟ କରୁଛନ୍ତି ବୋଲି ହିମାଚଳପ୍ରଦେଶ କଂଗ୍ରେସ ପ୍ରଶ୍ନ କରିଥିଲା । ତେବେ କଙ୍ଗନାଙ୍କ ଉତ୍ତର ବେଶ୍ ତାଜୁବ କରିଥିଲା । ତାଙ୍କ ପାଖରେ ଅନ୍ୟ ନେତାଙ୍କ ପରି ନା କ୍ୟାବିନେଟ୍ ପାହ୍ୟା ଅଛି ନା କୌଣସି ଏନ୍ଜିଓ । ତେଣୁ ସେ ଚାହିକି ମଧ୍ୟ ଜନତାଙ୍କୁ ସାହାଯ୍ୟ କରିପାରୁନଥିବା କହିଥିଲେ । ତେବେ ଜଣେ ସାଂସଦ ଭାବେ ଯାହା ସମ୍ଭବ ସେ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ଭିତରେ ରାଜନୀତିକୁ ନେଇ କଙ୍ଗନାଙ୍କ ବୟାନ ଚର୍ଚ୍ଚାରେ ଯେତିକି, ବିବାଦ ଘେରରେ ମଧ୍ୟ ସେତିକି ।