କନକ ବ୍ୟୁରୋ : ରାଜଧାନୀରେ ମାଳ ମାଳ ସୁଧାରଗୃହ I ହେଲେ ନିୟମ ଭିତରେ କିଏ? ଆଉ କିଏ ଭାଙ୍ଗୁଛି ନିୟମ? ଏନେଇ ଖୋଳତାଡ଼ ସହ ଆରମ୍ଭ ହେବ ଧରପଗଡ଼ I ଏସଓପି ମାନୁ ନଥିବା ସୁଧାର ଗୃହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି I ସେପଟେ ସୁଧାର ଗୃହ ମାନଙ୍କରୁ ଆସୁଛି ସାଙ୍ଘାତିକ ଚିତ୍ର I ସୀମା ଟପୁଛି ଅତ୍ୟାଚାର, ଗଡୁଛି ମୁଣ୍ଡ। ରାଜଧାନୀ ଉପକଣ୍ଠ ଖଣ୍ଡଗିରି ଥାନା ବାହାଦଲପୁର ଠାରେ ଅନ୍ତେବାସୀଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଛି ଛାନବିନ। ଦେଖନ୍ତୁ ଏହି ରିପୋର୍ଟ I
- ସୁଧାର ଗୃହରେ ଚାଲିଛି କଣ?
- ନିଶା ଛଡ଼ାଇବା ନାଁରେ ହେଉଛି କି ନିର୍ଦ୍ଧୁମ ମାଡ଼?
- ନିୟମର ସୀମାରେଖା ଡେଇଁ ଚାଲୁଛି କି ସୁଧାରକେନ୍ଦ୍ର?
ରାଜଧାନୀରେ ୩୬ ବର୍ଷୀୟ ଯୁବକ ସୁମନ ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ! ବାହଦଲପୁର ନିଶା ନିବାରଣ କେନ୍ଦ୍ର ବିରୋଧରେ ଆସିଛି ସଙ୍ଗିନ ଅଭିଯୋଗ। ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏହି ନିଶା ନିବାରଣ କେନ୍ଦ୍ରରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ମୃତକ ସୁମନ୍ତ ପଣ୍ଡା ୟୁନିଟ 6 ଅଞ୍ଚଳର। ମୃତକଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ, ଗତକାଲି ରାତିରେ ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଭୋରରୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ପାଇଥିଲେ। ତାଙ୍କୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ। ସନ୍ଦେହ ହେବା ପରେ ପୁରା ଘଟଣାର ଛାନଭିନ କରିଛି ପୋଲିସ । କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯାଇଛି ।
ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ଜରିଆରେ ଏନଜିଓ ଓ ସ୍ବେଛାସେବୀ ଅନୁଷ୍ଠାନ ଛତୁ ଫୁଟିବା ଭଳି ନିଶା ନିବାରଣ କେନ୍ଦ୍ର ଖୋଲୁଛନ୍ତି । ଠିକ୍ ସମୟରେ ଏସବୁର ତଦାରଖ ମଧ୍ୟ ହେଉ ନାହିଁ। ଅନଭିଜ୍ଞ କର୍ମଚାରୀ ଓ ସୁରକ୍ଷାରେ ଅଭାବ ଓ ସିସିଟିଭି ବ୍ୟବହାରକୁ ଗୁରୁତ୍ୱ ଦିଆଯାଉନାହିଁ । କିଛି ଦିନ ତଳେ 'ସ୍ୱୀକାର' ନାମକ କେନ୍ଦ୍ରରେ ଝରଣାସହିର କାଳୁ ନାୟକଙ୍କ ବି ମୃତ୍ୟୁ ଘଟିଥିଲା। ପୂର୍ବରୁ ଧଉଳି ଥାନା ଅନ୍ତର୍ଗତ ସରଦେଇପୁର ଠାରେ ଥିବା 'ଶ୍ରଦ୍ଧା' ନିଶା ନିବାରଣ ଗୃହ ବିରୋଧରେ ସମାନ ଅଭିଯୋଗ ଆସିଥିଲା । ପୂର୍ବରୁ ପାଣ୍ଡରା ଅଞ୍ଚଳରେ ଥିବା ସାଇକୃପା ଡିଆଡିକ୍ସନ ସେଣ୍ଟରରେ ସର୍ବେଶ୍ୱର ବେହେରାଙ୍କୁ ପିଟି ପିଟି ମାରିବା ଘଟଣାରେ ୩ ଜଣ ଗିରଫ ହୋଇଥିଲେ। ସେହିପରି ପାଣ୍ଡରା ଅଞ୍ଚଳରେ ଥିବା କୃପା ଫାଉଣ୍ଡେସନ ଓ ଉତ୍ତରା ରେ ଥିବା ଦିଶା ଫାଉଣ୍ଡେସନରେ ମଧ୍ୟ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ତେଣୁ ଏଭଳି ଘଟଣାରେ SOP କୁ କଡାକଡି ପାଳନ ସହ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।
ନିଶା ନିବାରଣ ନାଁ ରେ ନିର୍ଯ୍ୟାତନା ଦେଉଥିବା କିଛି ସଂସ୍ଥାକୁ ବ୍ଲାକ ଲିଷ୍ଟ କରିବା ସହ ସଂସ୍ଥା ମୁଖ୍ୟଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କଲେ ଏସବୁ ଘଟଣା ସାମ୍ନାକୁ ଆସନ୍ତା ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ।