Education Photograph: (Kanak News)
କନକ ବ୍ୟୁରୋ : ଶିକ୍ଷା ଅଭିବୃଦ୍ଧି ପାଇଁ ସବୁ ଦିନ ନୂଆ ନିୟମ, ମଧ୍ୟାହ୍ନ ଭୋଜନ, ଡ୍ରେସ, ବହି ସବୁ ମାଗଣା, ସ୍କୁଲକୁ ପିଲାଙ୍କୁ ଆଣି ସଂଖ୍ୟା ବୃଦ୍ଧି ପାଇଁ ପିଲାଙ୍କୁ ଟାର୍ଗେଟ, କିନ୍ତୁ ସ୍କୁଲ ଆସିଲେ ଶିକ୍ଷକ ଅଭାବ, ହେଉଛି ଶିକ୍ଷା ବ୍ୟବସ୍ଥା ।
କେନ୍ଦ୍ରାପଡ଼ା ବ୍ଲକର ସୁଜନ ନଗର ବିଦ୍ୟାଳୟ । ଯେଉଁଠି ୫ଟି ଶ୍ରେଣୀରେ ୫୦ ପିଲା ପଢ଼ୁଛନ୍ତି । ଆଉ ଏମାନଙ୍କୁ ପଢ଼ାଇବାକୁ ଅଛନ୍ତି ମାତ୍ର ଜଣେ ଶିକ୍ଷକ । ସରକାରୀ ବାବୁଙ୍କ ପ୍ରତିକ୍ରିୟା ନେବାରୁ ଆଉ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଅନ୍ୟଟି ଗୁଲନଗର ପଞ୍ଚାୟତର ସାହାଡ଼ା ସୁନ୍ଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସ୍କୁଲରେ ଷଷ୍ଠ, ସପ୍ତମ ଶ୍ରେଣୀ ପାଇଁ ଜଣେ ଶିକ୍ଷକ ଅଛନ୍ତି । ସିଏ ହିଁ ଇଂରାଜୀ, ଗଣିତ ସବୁ ବିଷୟ ପଢ଼ାନ୍ତି । ବିଡମ୍ବନାର କଥା, ଶିକ୍ଷକ ଜଣକ ଶାରୀରିକ ଅସୁସ୍ଥ । ଗରିବ ଶ୍ରେଣୀର ହୋଇଥିବାରୁ ଛାତ୍ରଛାତ୍ରୀ ଅନ୍ୟ କେଉଁଠିକି ଯାଇପାରୁନାହାନ୍ତି । ବାଧ୍ୟ ହୋଇ ଏଇଠି ନିଜ ଭବିଷ୍ୟତ ଗଢ଼ୁଛନ୍ତି ।
ଅଧିକ ପଢ଼ନ୍ତୁ :
ତେବେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଯୋଗାଯୋଗ କଲେ ଦେଖାମିଳୁନି । ବ୍ଲକ ଶିକ୍ଷା ଅଧିକାରୀ କହିବା କଥା, ସୁଜନ ନଗରକୁ ଜଣେ ଶିକ୍ଷକଙ୍କୁ ପଠା ଯାଇଥିଲା ସେ ଗଲେନାହିଁ । ଆଉ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ଆଉ ଅନ୍ୟ ବିଦ୍ୟାଳୟଟି ବ୍ଲକ୍ଗ୍ରାଣ୍ଟ ହୋଇଥିବାରୁ ଏଠାରେ ଅବସର ପରେ ପୁନଃନିଯୁକ୍ତି ହୋଇପାରୁନି ।
ଶିକ୍ଷା ବିଭାଗ କରୁଛି କ’ଣ ? ଗ୍ରାମାଞ୍ଚଳ ବିଦ୍ୟାଳୟକୁ ଅଣଦେଖା କରାଯାଉଛି କି ? ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି କିଏ ? ଜଣେ ଶିକ୍ଷକଙ୍କ ଉପରେ ୫୦ରୁ ଅଧିକଙ୍କ ଭାଗ୍ୟ, ଏପରି ସ୍ଥିତି ଗୁଣାତ୍ମକ ଶିକ୍ଷା ମିଳିବ କେମିତି ? ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।
Follow Us