କନକ ବ୍ୟୁରୋ : ଫେରୁଛି କୋଭିଡ, ବଢିଲା ଚିନ୍ତା । ଏସିଆ ମହାଦେଶର ଅନେକ ଦେଶରେ ହୁ ହୁ ବଢିଚାଲିଛି କୋଭିଡ ସଂକ୍ରମିତଙ୍କ ସଂଖ୍ୟା । ଥାଇଲାଣ୍ଡ, ହଂକଂ, ଚୀନ ଏବଂ ସିଙ୍ଗାପୁରରେ କାୟା ବଢାଉଛି ମହାମାରୀ । ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ହଂକଂ ଏବଂ ସିଙ୍ଗାପୁରରେ ସ୍ଥିତି ଅଧିକ ସଂଗୀନ ରହିଛି । ଏପରିକି ସିଙ୍ଗାପୁରରେ ଗତ ସପ୍ତାହ ଭିତରେ ୧୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଶତାଧିକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଯଦିଓ ଭାରତରେ ନୁଆ କେଶ ଏଯାବତ ନଜରକୁ ଆସିନାହିଁ । ତଥାପି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।
ଏପଟେ କୋଭିଡ ପ୍ରତ୍ୟାବର୍ତ୍ତନ ଖବର ମିଳିବା ପରେ ସଜାଗ ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ଅଲୋଚନା କରାଯାଇଛି । ଏବେ ଯାଏଁ ରାଜ୍ୟରେ କୌଣସି ନୁଆ ମାମଲା ରିପୋର୍ଟ ହୋଇନାହିଁ । କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରାଜ୍ୟ ଥିବା ବେଳେ ଆଲର୍ଟ ରହିବାକୁ କୁହାଯାଇଛି । ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ର ଓ ମେଡିକାଲ କଲେଜରେ ଟେଷ୍ଟିଂ କରାଯାଉଛି ଏବଂ ନୁଆ କେଶ କୌଣସି ଆସିନଥିବା କହିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।
୨୦୧୯ ଡିସେମ୍ବର ୧୯ରେ ଚୀନର ହ୍ୟୁଆନ ସହରରେ ପ୍ରଥମେ ଚିହ୍ନଟ ହୋଇଥିଲା ନୋଭେଲ କୋରୋନା ଭାଇରସ୍ । ଏହାର ଠିକ ମାସେ ପରେ ଜାନୁଆରୀ ୩୦ ରେ ଭାରତର କେରଳରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ତାପରେ ୨୦୨୧ ରେ ଦ୍ବିତୀୟ ଲହର, ୨୦୨୨ ଏବଂ ୨୦୨୩ ଯାଏଁ ସମଗ୍ର ଦେଶରେ ଆତଙ୍କ ଖେଳାଇଥିଲା ମହାମାରୀ । ଆଉ ଏବେ ପୁଣି କୋଭିଡ୍ ଫେରୁଥିବା କଥା ସମସ୍ତଙ୍କ ମନରେ ଛନକା ସୃଷ୍ଟି କରିଛି।