କନକ ବ୍ୟୁରୋ : ପାୱାର ପାଇବା ପରେ ବାଉଳି ହେଉଛନ୍ତି ପାକିସ୍ତାନ ସେନାମୁଖ୍ୟ ଆସିମ୍ ମୁନିର୍ । ପାକିସ୍ତାନ ପାଖରେ ଆଣବିକ ଶକ୍ତି ଅଛି ଏ କଥା ସମସ୍ତଙ୍କୁ ଜଣା । ହେଲେ ତାହାକୁ ନେଇ ବାରମ୍ବାର ଭାରତକୁ ନାଲିଆଖି ଦେଖାଇବାର କୌଣସି ଆବଶ୍ୟକତା ନଥିବା ବେଳେ ଏକଥା ସହଜରେ ଗ୍ରହଣ କରିପାରୁନାହାନ୍ତି ଆସିମ । ବୋଧହୁଏ ସେଇଥି ଲାଗି ବାରମ୍ବାର ବାଉଳି ହେଉଛନ୍ତି ଆସିମ । ଯାହାକୁ ନେଇ ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହେଉଛି ।
ପାକିସ୍ତାନକୁ କଡା ଜବାବ ଦେଲା ଭାରତ । ବାରମ୍ବାର ଆଣବିକ ଅସ୍ତ୍ରଶସ୍ତ୍ରର ଧମକ ଦେଉଥିବା ପାକିସ୍ତାନ ଅପରେସନ୍ ସିନ୍ଦୂରରେ ବୁଦ୍ଧି ଶିଖିଥିଲା । କିନ୍ତୁ ଏହାପରେ ପୁଣି ଥରେ ପୁରୁଣା ରୋଗ ବାହାରିଥିବା କୁହାଯାଉଛି । ଯାହା ଆଗାମୀ ଦିନରେ ପାକିସ୍ତାନକୁ ମହଙ୍ଗା ପଡ଼ିପାରେ ।
ଆମେରିକା ଗସ୍ତରେ ଥିବା ସମୟରେ ଜେନେରାଲ୍ ମୁନିର୍ ଏକ ବିବାଦୀୟ ବୟାନ ଦେଇଥିଲେ । ସେ କହିଥିଲେ ଯେ ଯଦି ପାକିସ୍ତାନ ନିଜର ଅସ୍ତିତ୍ୱ ପାଇଁ କୌଣସି ବିପଦର ସମ୍ମୁଖୀନ ହୁଏ, ତେବେ ଏହା "ଅଧା ଦୁନିଆକୁ ନିଜ ସହ ନେଇ ବୁଡ଼ିଯିବ"। ତାଙ୍କର ଏହି ପରୋକ୍ଷ ପରମାଣୁ ଆକ୍ରମଣର ଧମକକୁ ଭାରତ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛି । ଏହାସହ ସେ ସିନ୍ଧୁ ଜଳ ଚୁକ୍ତିକୁ ନେଇ ମଧ୍ୟ ସେ ଭାରତକୁ ଧମକ ଦେଇଥିଲେ। ଯାହାର ଜବାବ୍ ଦେଇଛି ଭାରତ ।
ଏହାପୂର୍ବରୁ ଜେନେରାଲ୍ ମୁନିର୍ କାଶ୍ମୀରକୁ ପାକିସ୍ତାନର "ଜୀବନ ଧମନୀ" ବୋଲି ବର୍ଣ୍ଣନା କରିଥିଲେ । ଏହାର ଜବାବରେ ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଥିଲେ ଯେ "କୌଣସି ବିଦେଶୀ ବସ୍ତୁ କେମିତି କାହାର ଧମନୀ ହେବ । ଏହାକେବଳ ସ୍ବପ୍ନ ବାସ୍ତବତା ନୁହେଁ । କଥାହେଲା ପାକ୍ ଅଧିକୃତ କଶ୍ମୀରକୁ ନେଇ ପାକିସ୍ତାନ ଅନେକ ସ୍ବପ୍ନ ଦେଖୁଛି । ହେଲେ ସେ ଭୁଲିଯାଇଛି କି ପାକ୍ ଅଧିକୃତ କାଶ୍ମୀର ଭାରତର । ଭାରତ ଯେବେ ଇଚ୍ଛା କରିବ ପିଓକେକୁ ଭାରତ ଫେରାଇ ଆଣିବ । ହେଲେ ପାକିସ୍ତାନ ଏହାକୁ ନେଇ ସୁନେଲୀ ସ୍ବପ୍ନ ଦେଖି ମନେମନେ ଖୁସି ହେବା ପରି ମନେ ହେଉଛି ।
ଏପଟେ, ପାକିସ୍ତାନ ସେନା ମୁଖ୍ୟଙ୍କ ଏପରି ମନ୍ତବ୍ୟ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତାକୁ ଆହୁରି ବଢ଼ାଇ ଦେଇଛି । ବିଶେଷକରି ୨୦୧୯ରେ ଭାରତ ସରକାର ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରଠାରୁ ସମ୍ପର୍କ ଅଧିକ ତିକ୍ତତା ଥିବା ବେଳେ ପହଲଗାମ୍ ଆକ୍ରମଣ ପରେ ସମ୍ପର୍କରେ ଆହୁରି ତିକ୍ତତା ଆସିଛି । ହେଲେ ଏହାରି ଭିତରେ ଆସିମ୍ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।
ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ,ପାକିସ୍ତାନର ବାରମ୍ବାର ପରମାଣୁ ଧମକ ଦେବାର ଅଭ୍ୟାସ ଅନ୍ତର୍ଜାତୀୟ ସୁରକ୍ଷା ପାଇଁ ଏକ ବଡ଼ ଚିନ୍ତାର ବିଷୟ । ପାକିସ୍ତାନର "ପ୍ରଥମେ ବ୍ୟବହାର ନକରିବା" ନୀତି ନଥିବାରୁ ଏବଂ ଛୋଟ, ଯୁଦ୍ଧକ୍ଷେତ୍ରରେ ବ୍ୟବହାରଯୋଗ୍ୟ ପରମାଣୁ ଅସ୍ତ୍ର ଉପରେ ଗୁରୁତ୍ୱ ଦେଉଥିବାରୁ ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ିଛି। ସେପଟେ ଭାରତ ସରକାର ସ୍ପଷ୍ଟ କରିଛନ୍ତି, ଭାରତ ଆଗେ କାହା ସହ ଲାଗିବ ନାହିଁ ହେଲେ ଭାରତ ସହ ଯଦି ଆଗେ କେହି ଲାଗେ ତେବେ ଭାରତ ଛାଡ଼ିବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/11/asim-munir-2025-08-11-14-57-50.jpg)