କନକବ୍ୟୁରୋ : ବର୍ଷ ବଦଳିଲା କିନ୍ତୁ ବଦଳିଲାନି ଅନ୍ନଦାତାଙ୍କ ଭାଗ୍ୟ । ନୂଆବର୍ଷରେ ବି ଦୂର ହେଲାନାହିଁ ଚାଷୀଙ୍କ ସମସ୍ୟା । ଧାନ ଅମଳ ହେଲା ହେଲେ କେଉଁଠି ଟୋକନ ସମସ୍ୟା ତ କେଉଁଠି ମଣ୍ଡିରେ ଅବ୍ୟବସ୍ଥା ଚାଷୀଙ୍କ ଚିନ୍ତା ବଢ଼ାଇଛି । ନୂଆ ବର୍ଷ ଆରମ୍ଭରୁ ହିଁ ଅବହେଳିତ ଅବସ୍ଥାରେ ପଡ଼ି ରହିଛି ଚାଷୀଙ୍କ ପରିଶ୍ରମ ।  ଏ ହେଉଛି ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗାଁ କେରେଡ଼ା ଗାଁର ଚିତ୍ର ।  କେମିତି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡିରହିଛି ।

Advertisment

କାହାର ଧାନ ଜମିରେ ପଡ଼ି ରହିଛି ତ ଆଉ କାହାର ନିଜ ନିଜ ଗାଁର ରାସ୍ତା ଉପରେ ପକାଇ ରଖିଛନ୍ତି । କାରଣ ଅମଳ ହୋଇଥିବା ଧାନ ରଖିବା ପାଇଁ ଚାଷୀଙ୍କର ନିଜସ୍ୱ କୌଣସି ଜାଗା ନାହିଁ  । ଚାଷୀ ଭାବିଥିଲା ନିଜର ଅମଳ ଧାନକୁ ମଣ୍ଡିକୁ ନେଇ ବିକିବ । ହେଲେ ମଣ୍ଡି ଖୋଲିବାର ୧୫ ଦିନ ବିତିଥିଲେ ବି ଏ ପର୍ଯ୍ୟନ୍ତ ସେମାନଙ୍କୁ ଟୋକନ ମିଳୁନି । ଯାହାଫଳରେ ଚାଷୀ ଖୋଲା ଆକାଶ ତଳେ ନିଜ କଷ୍ଟ ଉପାର୍ଜିତ ଧାନକୁ ପକାଇରଖିଛି । 

ନଳପାଣି ନେଲା ୫ମାସ ଶିଶୁର ଜୀବନ : ଦୂଷିତ ପାଣି ଦ୍ବାରା ପ୍ରଭାବିତ ହେଲେଣି ୧୧୦୦ଲୋକ

ଖାଲି ରାୟଗଡ଼ା ନୁହେଁ ନବରଙ୍ଗପୁରରୁ ମଧ୍ୟ ଆସିଛି ମଣ୍ଡି ଅବ୍ୟବସ୍ଥାର ବିକଳ ଦୃଶ୍ୟ । ଏଠି ଦୁଇ ମାସ ବିଳମ୍ବରେ ଆରମ୍ଭ ହେଲା ମଣ୍ଡି କିନ୍ତୁ ମଣ୍ଡିରୁ ଉଠୁନି ଧାନ । ଶୀତ କାକରରେ ରାତି ଉଜାଗର ରହି ମଣ୍ଡିରେ ଧାନକୁ ଜଗି ବସିଛନ୍ତି ଚାଷୀ । ଧାନ ଅମଳ ପରେ ଚାଷୀଙ୍କୁ ଖୁସି ମିଳିବା କଥା ହେଲେ ଆଜି ଚାଷୀଙ୍କ ଜୀବନ ହେଇଯାଇଛି ଆଶଙ୍କା ଓ ଅନିଶ୍ଚିତତାର ଏକ ଗପ । ବର୍ଷ ସରିଗଲା, କ୍ୟାଲେଣ୍ଡର ପୃଷ୍ଠା ବଦଳିଲା; କିନ୍ତୁ ବଦଳିଲାନି ଚାଷୀଙ୍କ ଭାଗ୍ୟ ।