କନକ ବ୍ୟୁରୋ: ରାଜ୍ୟରେ ଚାରି ଲେନ୍ ବିଶିଷ୍ଟ ୬୩୭.୭୨ କିଲୋମିଟରର ବିଜୁ ଏକ୍ସପ୍ରେସ୍ ୱେ’ କାର୍ଯ୍ୟକାରିତାରେ ହୋଇଥିବା ଅନେକ ତ୍ରୁଟି ବିଚ୍ୟୁତିକୁ ଧରିଛନ୍ତି ସିଏଜି । ଉତ୍ତର-ଦକ୍ଷିଣ କରିଡର୍ ବା ବିଜୁ ଏକ୍ସପ୍ରେସ୍‌ ୱେ ଲାଗି ସରକାର ଆବଶ୍ୟକ ଯୋଜନା ପ୍ରସ୍ତୁତ କରିନଥିଲେ । ବିଭିନ୍ନ ଯୋଜନା ମାଧ୍ୟମରେ କାମକୁ ଖଣ୍ଡ ଖଣ୍ଡ କରି କରାଯାଇଥିଲା। ଏହି କାରଣରୁ ରାସ୍ତା ଓ ସେତୁର ଆଲାଇନମେଣ୍ଟ ଓ ଜମି ଅଧିଗ୍ରହଣ ଇତ୍ୟାଦିରେ ସମସ୍ୟା ଦେଖାଦେଇଥିଲା । 

Advertisment

ରିପୋର୍ଟ ଅନୁସାରେ, ରାଉରକେଲା-ସମ୍ବଲପୁର ପିପିପି ପ୍ରକଳ୍ପରେ ୯୧୮.୪୧ କୋଟି ଟଙ୍କାର ମୂଲ୍ୟ ହ୍ରାସକୁ ଆଧାର କରି ରିହାତି ଅବଧିକୁ ଆନୁପାତିକ ଭାବରେ ୧୬ ବର୍ଷକୁ ହ୍ରାସ କରାଯିବା ଉଚିତ ଥିଲା। ଅଟକଳରେ ବୃଦ୍ଧି ଏବଂ ୬ ବର୍ଷର ରିହାତି ଅବଧି ବୃଦ୍ଧି ଯୋଗୁଁ କନ‌ସେସନେୟାର ଚୁକ୍ତିନାମା ଅନୁଯାୟୀ ୨୩୨୨.୧୯ କୋଟି ଟଙ୍କାର ନିଟ୍ ଲାଭ ସହ କନନ୍ସେସନେୟାର ଜନସାଧାରଣଙ୍କ ଠାରୁ ୪୮୭୬.୩୮ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିବେ ବୋଲି ସିଏଜି କହିଛନ୍ତି । ସିନାପାଲି-ଧରମଗଡ଼ ରାସ୍ତାର ୧୬ରୁ ୨୪ କିମି ପର୍ୟ୍ୟନ୍ତ ରାସ୍ତାକୁ ଦୁଇ ଲେନରେ ସଂମ୍ପ୍ରସାରଣ ଓ ସୁଦୃଢ଼ୀକରଣ କାର୍ଯ୍ୟକୁ ଠିକ୍ ଭାବରେ ଯୋଜନା କରାଯାଇନଥିଲା । ତେଣୁ, ରୂପାନ୍ତର କରିବା ସମୟରେ ରାସ୍ତାଟି ଆଲାଇନ୍ ହୋଇପାରିଲା ନାହିଁ। ଯାହାଫଳରେ ବ୍ୟୟ କରାଯାଇଥିବା ୨୧.୯୧ କୋଟି ଟଙ୍କାର କୌଣସି ଲାଭ ମିଳିନଥିଲା । 

ଶରଧାପାଲି ଗ୍ରାମରେ ଏକ ସର୍ଭିସ୍ ରୋଡ୍ ନିର୍ମାଣ ପାଇଁ ଜମିର ତ୍ରୁଟିପୂର୍ଣ୍ଣ ଚିହ୍ନଟ ଯୋଗୁଁ ବରଗଡ଼ର ତତ୍କାଳୀନ ଅଧିକ୍ଷଣ ଯନ୍ତ୍ରୀ ଲିଭିଭୂମି ପାଇଁ ୧.୧୩ କୋଟି ଟଙ୍କା ଅନିୟମିତ ଭାବେ ପ୍ରଦାନ କରିଥିଲେ।