କନକ ବ୍ୟୁରୋ: ସ୍କୁଲ ମଧ୍ୟାହ୍ନ ଭୋଜନରେ ଅନିୟମିତତା । ଦିପ୍ରହରରେ ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯାଇଛି ମୁଢି, ପିଆଜ । ଏଭଳି ଘଟଣା ଘଟିଛି ଖୁଣ୍ଟା ବ୍ଲକ କରକଚିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ । ଏହି ଘଟଣା ଜଣାପଡିବା ପରେ ଅଭିଭାବକ ମାନେ ବିରକ୍ତ ହେବାରୁ ବିଦ୍ୟାଳୟରେ ଆରମ୍ଭ ହୋଇଥିଲା ରୋଷେଇ । ଆଉ ସନ୍ଧ୍ୟା ୫ ଟା ସମୟରେ ବିଦ୍ୟାଳୟ ଛୁଟି ସମୟ ପାର ହୋଇଯିବା ପରେ ୬୪ ଜଣ ଛାତ୍ରଛାତ୍ରୀଙ୍କୁ ଭାତ ଏବଂ ସୋୟାବଡି ତରକାରୀ ରୋଷେଇ କରି ଖାଇବାକୁ ଦିଆଯାଇଛି। ଖାଇବାକୁ ଦେବା ପରେ ସନ୍ଧ୍ୟା ସାଢେ ୫ ଟାରେ ବିଦ୍ୟାଳୟ ଛୁଟି କରାଯାଇଥିଲା ।
ଯାହାକୁ ନେଇ ବିଦ୍ୟାଳୟରେ ଅଭିଭାବକ ମାନଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି। ଏପରିକି ବିଦ୍ୟାଳୟର କର୍ମଚାରୀ ଓ ଅଭିଭାବକଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହିତ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ମଧ୍ୟାହ୍ନ ଭୋଜନରେ ଦି ପ୍ରହରରେ ମୁଢି ପିଆଜ ଖାଇବାକୁ ଦିଆଯିବା ଘଟଣାକୁ ନିଜେ ସ୍ୱୀକାର କରିଛନ୍ତି ପ୍ରଧାନଶିକ୍ଷକ।