କନକ ବ୍ୟୁରୋ: ବିପଦରେ ପୁରୀ ଜିଲ୍ଲା ଗୋପ ଅଞ୍ଚଳର କୁଶଭଦ୍ରା ନଦୀବନ୍ଧ । ବନ୍ଧର ସୁରକ୍ଷା ପାଇଁ ଟଫ୍ ୱାଲ୍ ନିର୍ମାଣ ଚାଲିଛି । ହେଲେ ନିମ୍ନ ମାନର କାମ ହେଉଥିବା ଲୋକ ଅଭିଯୋଗ କରିଛନ୍ତି । ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶକୁ ମଧ୍ୟ ପାଳନ କରାଯାଉନାହିଁ । ଫଳରେ ବନ୍ଧର ସ୍ଥାୟୀତ୍ବ ନେଇ ଲୋକ ସନ୍ଦେହ ପ୍ରକାଶ କରିଛନ୍ତି। 

Advertisment

ପୁରୀ ଜିଲ୍ଲା ଗୋପ ଅଞ୍ଚଳର ଷୋଳପୁରଠାରୁ ମଦରଙ୍ଗ ପର୍ଯ୍ୟନ୍ତ କୁଶଭଦ୍ରା ନଦୀବନ୍ଧର ସୁରକ୍ଷା  ପାଇଁ ଆରମ୍ଭ ହୋଇଛି ଟଫ୍‌ ୱାଲ୍‌ ନିର୍ମାଣ । ୨ ଶହ ମିଟର ଟଫ୍‌ ୱାଲ୍‌ ପାଇଁ ୧.୫୬ କୋଟି ବ୍ୟୟ ବରାଦ ହୋଇଛି । କିନ୍ତୁ ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ମିଶି ନିମ୍ନମାନର କାମ କରୁଥିବା ଲୋକ ଅଭିଯୋଗ କରିଛନ୍ତି । ନିମାପଡ଼ା ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଅଭିଯୋଗ ପାଇବା ପରେ କାର୍ଯ୍ୟ ତଦାରଖ କରିଥିଲେ। କନିଷ୍ଠ ଯନ୍ତ୍ରୀଙ୍କୁ ଦାୟିତ୍ବରୁ ହଟାଇବା ସହ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ନିର୍ଦ୍ଦେଶକୁ ଖାତିର ନକରି କନିଷ୍ଠ ଯନ୍ତ୍ରୀ ଓ ଠିକାଦାର କାମ କରୁଥିବା ଅଭିଯୋଗ ହୋଇଛି ।

କୁଶଭଦ୍ରା ନଦୀବନ୍ଧର ଦକ୍ଷିଣ ପାର୍ଶ୍ବ ଏବଂ ଗୋପ-ମଦରଙ୍ଗ କେନାଲର ଆଭ୍ୟନ୍ତରୀଣ ଅଂଶରେ ନିର୍ମାଣ ହେଉଛି ଏହି ଟଫ୍ ୱାଲ । ଏଥିରେ ପ୍ରତି ୬ ଇଞ୍ଚରେ ରଡ୍‌ ଓ ଏମ୍‌-୧୫ ଗୋଡ଼ି ବ୍ୟବହାର ପାଇଁ ନିର୍ଦ୍ଦେଶ ରହିଛି । ହେଲେ ୧୦ ଇଞ୍ଚରେ ରଡ୍‌  ଓ ଏମ୍-୩୦ ଗୋଡ଼ି ବ୍ୟବହାର ଅଭିଯୋଗ ହୋଇଛି । ତେଣୁ ବନ୍ଧର ସ୍ଥାୟୀତ୍ୱ ନେଇ ଲୋକ ପ୍ରଶ୍ନ କରିଛନ୍ତି । 

ତେବେ ନଦୀବନ୍ଧର ସୁରକ୍ଷା ପାଇଁ ନିମ୍ନମାନର ଟଫ୍‌ ୱାଲ୍‌କୁ ଭାଙ୍ଗି ପୁନଃ ନିର୍ମାଣ କରାନଗଲେ ଆନ୍ଦୋଳନ ନେଇ ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି ।