କଟକ ଖାନନଗର ଶ୍ମଶାନରେ ନାହିଁନଥିବା ସମସ୍ୟା ; ଖୋଲୁନି ଶବଦହ ଚୁଲା

ଉଦ୍‌ଘାଟନକୁ ୬ମାସ ପୁରିଲାଣି ।  ଖୋଲୁନି ଖାନନଗର ଗ୍ୟାସଚୁଲା ଶ୍ମଶାନ। ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଥିଲା ୪ କୋଟି । କେବେ ଲାଗିବ ଲୋକଙ୍କ କାମରେ । ମେୟର କହିଲେ ଖୁବଶୀଘ୍ର ହେବ କାର୍ୟ୍ୟକ୍ଷମ ।

khannagar

khannagar Photograph: (kanakNews)

କନକ ବ୍ୟୁରୋ: କଟକ ଖାନ୍ ନଗର ଶ୍ମଶାନରେ ଗ୍ୟାସ୍ ଚୁଲା ଉଦଘାଟନର ୬ ମାସ ପରେ ମଧ୍ୟ କାର୍ୟ୍ୟକାରୀ ହୋଇପାରୁନାହିଁ। କୋଟିକୋଟି ଟଙ୍କା ପାଣିରେ ପଡ଼ିଛି । କେବଳ ଏହି ଗ୍ୟାସ୍ ଚୁଲା ପ୍ରକଳ୍ପ ନୁହେଁ, କଟକ ସହରରେ ଅନେକ ପ୍ରକଳ୍ପ ଉଦଘାଟନ ପରେ ବି କାର୍ୟ୍ୟକାରୀ ହେଉନାହିଁ।  ଲୋକଙ୍କ ବ୍ୟବହାରରେ ଏସବୁ ଲାଗୁ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।
 
୨୦୨୨ ମସିହା ଫେବ୍ରୁଆରି ମାସରେ କଟକ ଖାନନଗର ଶ୍ମଶାନରେ ଗ୍ୟାସଚୁଲା ପ୍ରକଳ୍ପ କାମ ଆରମ୍ଭ ହୋଇ ୨୦୨୪ ଜୁନ୍ ମାସରେ ଶେଷ ହୋଇଥିଲା। ୨୦୨୪ ଅଗଷ୍ଟ ମାସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଥିଲେ। ୬ ମାସ ହୋଇ ଯାଇଥିଲେ ମଧ୍ୟ ଆଜି ଯାଏଁ ଏହା କାର୍ୟ୍ୟକାରୀ ହୋଇନାହିଁ । ପାଖରେ ଥିବା ପୁରୁଣା କାଠ ଚୁଲାରେ କଟକ ସହରବାସୀ ଶବ ଦାହ କରୁଛନ୍ତି । ୪ କୋଟି ୨୫ ଲକ୍ଷ ଟଙ୍କାରେ ନିର୍ମିତ ଖାନନଗର ଗ୍ୟାସଚୁଲା କାହିଁକି କାର୍ୟ୍ୟକାରୀ  ହେଉନାହିଁ? 

କଟକ ସହରରେ ପ୍ରକଳ୍ପ ଉଦଘାଟନ ହୋଇ ଖୋଲା ନଯିବା କେବଳ ଏଇ ଗୋଟିଏ ନୁହେଁ, ଅନେକ ପ୍ରକଳ୍ପ ଉଦଘାଟନ ପରେ ଖୋଲା ଯାଇନାହିଁ। ନେତାଜୀ ସ୍ମାରକୀ ପ୍ରତିଷ୍ଠାନ ମଧ୍ୟ ଉଦ୍‌ଘାଟନ ହେବାର ଅନେକ ଦିନ ପର୍ୟ୍ୟନ୍ତ ତାଲା ପଡ଼ି ରହିଥିଲା। ଅସନ୍ତୋଷ ବଢିବାରୁ ଏବେ ଖୋଲାଯାଇଛି। ସେହିପରି କଟକ ବିଜୁ ପଟ୍ଟନାୟକ ପାର୍କ ଉଦଘାଟନ ହେବାର ୯ ଦିନ ବିତି ଯାଇଥିଲେ ମଧ୍ୟ ଆଜି ଯାଏଁ ଖୋଲା ହେଉନାହିଁ। ସିଏମ୍‌ସି ଓ ସିଡିଏ ତରବରିଆ ଭାବେ ନେତା, ମନ୍ତ୍ରୀଙ୍କ ଦ୍ୱାରା ବଡ଼ବଡ଼ ପ୍ରକଳ୍ପ ଉଦ୍‌ଘାଟନ କରୁଥିଲେ ମଧ୍ୟ ତାହା ଖୋଲୁ  ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe