କନକ ବ୍ୟୁରୋ: ରାଜଧାନୀର ପାରା ୪୦ ପାର୍‌। ତାତି ବଢୁଛି, ଚିନ୍ତା ବଢ଼ାଉଛି। ଆଉ ଏଭଳି ସମୟରେ କ୍ୟାପିଟାଲ  ହସ୍ପିଟାଲରୁ ଆସିଛି ବିକଳ ଚିତ୍ର । ଡହଡହ ଖରାରେ ହନ୍ତସନ୍ତ ହେଉଛନ୍ତି ଲୋକ । ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ଲୋକମାନେ କ୍ୟାପିଟାଲ ହସ୍ପିଟାଲ ଉପରେ ନିର୍ଭରଶୀଳ । ପ୍ରତିଦିନ ହଜାର ହଜାର ଲୋକ ହସ୍ପିଟାଲକୁ ଆସନ୍ତି । ସକାଳୁ ଲାଇନ୍ ଲଗାନ୍ତି । ହେଲେ ଏବେ ଘଣ୍ଟା ଘଣ୍ଟା ଛିଡ଼ା ହେବା କଷ୍ଟକର । ଖରାର ପ୍ରତିକାର ପାଇଁ ବିଶେଷ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ଜାହିର କରିଛନ୍ତି ଲୋକ ।  

Advertisment

ଓପିଡ଼ି ଟିକେଟ କାଉଣ୍ଟର ହେଉ କିମ୍ବା ନିରାମୟ କେନ୍ଦ୍ର । ସକାଳ ପହରୁ ଏମିତି ଧାଡ଼ିରେ ଛିଡ଼ା ହୋଇଛନ୍ତି ଲୋକ । ମୁଣ୍ଡ ଉପରେ ଟିଣ ଚାଦର । ଟାଣ ଖରାରେ ଅବସ୍ଥା ଅସମ୍ଭାଳ । କୋଉଠି ପଙ୍ଖା ଚାଲୁନି ତ କେଉଁଠି ପାଣି ମିଳୁନି । ଖରାରେ ଡହଳ ବିକଳ ରୋଗୀ ଓ ସଂପର୍କୀୟ । ଯେଉଁଠି ପଙ୍ଖା ଚାଲୁଛି, ସେଠି  ଝାଞ୍ଜି ପବନ ମାଡ଼ରେ ବେହାଲ ଅବସ୍ଥା । ଏହାରି ଭିତରେ ରୋଗୀ ଦେଖେଇବୁ କଣ ବରଂ ନିଜେ ରୋଗୀ ହୋଇଯିବୁ ବୋଲି କହିଛନ୍ତି ରୋଗୀଙ୍କ ସମ୍ପର୍କୀୟ । 

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ କହିବା କଥା, ଗ୍ରୀଷ୍ମ ପ୍ରସ୍ତୁତିକୁ ନେଇ ଆମେ ସମ୍ପୂର୍ଣ୍ଣ ସଜାଗ, ଟିଣ ଚାଦରରେ ସିଲିଂ ହୋଇଛି, ପାଣି ଏବଂ ଓଆର୍‌ଏସ୍‌ର ବ୍ୟବସ୍ଥା କରାଯାଇଛି । ଆଗକୁ ହସ୍ପିଟାଲର ବିଭିନ୍ନ ଜାଗାରେ ସବୁଜ କପଡା ଆଚ୍ଛାଦିତ କରି ରଖାଯିବା ନେଇ ବ୍ୟବସ୍ଥା କରାଯାଉଛି। ମାର୍ଚ୍ଚ ସରିବାକୁ ବସିଲାଣି, ରାଜଧାନୀର ପାରା ବି ବଢ଼ିଲାଣି। ଏବେ ଦେଖିବା କଥା ମେଡିକାଲ କର୍ତ୍ତୃପକ୍ଷ କେତେ ଶୀଘ୍ର ପଦକ୍ଷେପ ନେଉଛନ୍ତି ।