କନକ ବ୍ୟୁରୋ: ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହରିଲୁଟ । ବ୍ରହ୍ମପୁରରେ ଏଭଳି ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛି ଭାରତୀୟ ବିକାଶ ପରିଷଦ । ବ୍ରହ୍ମପୁରର ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ଦାୟିତ୍ୱ ନେଇଥିବା ଏନଜିଓ ୨୬୯ ବର୍ଗଫୁଟ ବଦଳରେ ୧୫୦ ବର୍ଗ ଫୁଟର ଘର କରି ହିତାଧିକାରୀଙ୍କୁ ଦେଉଛି । ହିତାଧିକାରୀଙ୍କୁ ମିଳୁଥିବା ୧ ଲକ୍ଷ ୬୨ ହଜାର ଟଙ୍କାରେ ଘର ନିର୍ମାଣ କରିବା ପରିବର୍ତ୍ତେ ହିତାଧିକାରୀଙ୍କଠାରୁ ଟଙ୍କା ନେଉଥିବା ଅଭିଯୋଗ ହୋଇଛି । 

  • ବ୍ରହ୍ମପୁରରେ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅବ୍ୟବସ୍ଥା
  • ସରକାରୀ ନିୟମକୁ ଫୁ, ହରିଲୁଟ ଅଭିଯୋଗ 
  • କାମ ହାତକୁ ନେଇଥିବା ଏନଜିଓର ମନମାନି

ବ୍ରହ୍ମପୁର ସହରର ୧ ନମ୍ବର ଓ୍ବାର୍ଡ଼ର ଉତ୍ତରମୁଖୀ ବସ୍ତିବାସିନ୍ଦାଙ୍କ ପାଇଁ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର । ୩୦ଟି ଘର ପାଇଁ ଅର୍ଥ ମଞ୍ଜୁର ହୋଇଛି । ସହର ପରିବର୍ତ୍ତନ ନାମକ ଏନଜିଓ ଏହି ଦାୟିତ୍ୱ ନେଇଛି । ନୂଆଘର ପାଇଁ ପୁରୁଣା ଘର ଭାଙ୍ଗିବାକୁ କହିଥିଲା ସଂପୃକ୍ତ ସଂସ୍ଥା । କୋଠାଘରେ ରହିବା ଆଶାରେ ପୁରୁଣା ଘରକୁ ଭାଙ୍ଗି ଦେଲେ, ହେଲେ ଏନ୍‌ଜିଓ ପକ୍ଷରୁ ଟଙ୍କା ମିଳିଲା ନାହିଁ । ସରକାର ଦେଉଥିବା, ଘର ବାବଦରେ ୧ ଲକ୍ଷ ୫୦ ହଜାର ଓ ଶୌଚାଳୟ ବାବଦ ୧୨ ହଜାର ଟଙ୍କା ମିଳିନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ତେଣୁ ଧାରଉଦ୍ଧାର କରି ଘର ଭଙ୍ଗାଠାରୁ ଆରମ୍ଭ କରି ରଙ୍ଗ ସବୁ କରିଛନ୍ତି ହିତାଧିକାରୀ । କେବଳ ଏତିକି ନୁହେଁ ନିୟମ ଅନୁସାରେ ୨୬୯ ସ୍କୋୟାର ଫୁଟ ସ୍ଥାନରେ ଘର କରାଯିବ । ହେଲେ ସଂପୃକ୍ତ ଏନଜିଓ ୧୫୦ ବର୍ଗଫୁଟରେ ଘର କରାଉଥିବା ଅଭିଯୋଗ ହୋଇଛି । 
 

ଏନଜିଓ ହିତାଧିକାରୀଙ୍କ ଟଙ୍କାକୁ ହରିଲୁଟ କରୁଛି । ତେଣୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଏନଜିଓ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଭାରତୀୟ ବିକାଶ ବରିଷଦ । ସେପଟେ ବିଏମସି କମିଶନର କହିଛନ୍ତି, ଯେଉଁ ଏନଜିଓ ଘର ନିର୍ମାଣ ଦାୟିତ୍ୱ ନେଇଛି ତାକୁ ବିଏମସି ନିଯୁକ୍ତି କରିନାହିଁ । କି ଟଙ୍କା ନେଣଦେଣ କରୁନାହିଁ । ତଥାପି ଏକ ଟିମ ତଦନ୍ତ କରି ପୁରା ପ୍ରକ୍ରିୟାର ତଦାରଖ କରାଯିବ । ଅଭିଯୋଗ ନେଇ ଏନଜିଓ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।