କନକ ବ୍ୟୁରୋ: ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଙ୍ଗ ଜୋନ ଓ ପିଣ୍ଡି ନିର୍ମାଣ ହୋଇଛି। ଦୀର୍ଘ ବର୍ଷ ଧରି ବ୍ୟବହାର ନହେବାରୁ ଭାଙ୍ଗିରୁଜି ଗଲାଣି। ଦୋକାନ ଘର ଲୋକଙ୍କ ଶୌଚାଳୟରେ ପରିଣତ ହୋଇଯାଇଛି। ସେପଟେ ଉଠା ଦୋକାନି ରାଜରାସ୍ତାରେ ପସରା ମେଲାଇଛନ୍ତି। ଫଳରେ ଯାତାୟତ ଅସୁବିଧା ହେଉଥିବା ବେଳେ ପ୍ରଶାସନ ସବୁ ଦେଖି ନଦେଖିଲା ପରି ଚୁପ୍ ବସିଛି।

ରାୟଗଡା ସହରର ଶହୀଦ ଲକ୍ଷ୍ମଣ ନାୟକ ପ୍ରତିମୂର୍ତ୍ତି ପଛପଟେ ରହିଛି ଭେଣ୍ଡିଂ ଜୋନ୍। ବ୍ୟବହାର ନହୋଇ ଭାଙ୍ଗିରୁଜି ଗଲାଣି। ଗଛଲତା ଉଠି ଜଙ୍ଗଲରେ ପରିଣତ ହେଲାଣି। ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଡିଆଇସି କାର୍ଯ୍ୟାଳୟ ଛକରେ ଥିବା ଭେଣ୍ଡିଙ୍ଗ ଜୋନରେ ମଧ୍ୟ ସମାନ ଅବସ୍ଥା। ମାତ୍ର ୨ଟି ଘର ଦୋକାନିଙ୍କୁ ହସ୍ତାନ୍ତର କରାଯାଇଛି। ବାକି ସବୁଠି ତାଲା ଝୁଲୁଛି। ଶାରଳା ଛକରେ ନିର୍ମିତ ପିଣ୍ଡି ଉଠା ଦୋକାନୀଙ୍କୁ ହସ୍ତାନ୍ତର ହୋଇନଥିବା ଅଭିଯୋଗ ହୋଇଛି। ଓଭରବ୍ରିଜ୍ ତଳେ ନିର୍ମିତ ପିଣ୍ଡି ଅଳିଆ ଭାଙ୍ଗିରୁଜି ଗଲାଣି। ବଡ଼ ଆଶ୍ଚର୍ଯ୍ୟର କଥା, ଓଭରବ୍ରିଜ୍ ତଳେ ପିଣ୍ଡି କିଏ କରିଛି?। କେତେ ଖର୍ଚ୍ଚ ହୋଇଛି? ତା’ ହିସାବ ପୌର ସଂସ୍ଥା ପାଖରେ ନାହିଁ! କିନ୍ତୁ ଏହି ପିଣ୍ଡିରେ ପୌରପରିଷଦ ରାୟଗଡା ବୋଲି ଉଲ୍ଲେଖ ରହିଛି। 

ରାୟଗଡ଼ା ସହରର ଉଠା ଦୋକାନୀଙ୍କ ଥଇଥାନ ପାଇଁ ଭେଣ୍ଡିଂ ଜୋନ୍ ଓ ପିଣ୍ଡି କରାଯାଇଛି। କିନ୍ତୁ ଶୌଚାଳୟ ନାହିଁ କି ବିଦ୍ୟୁତ ସଂଯୋଗ ହୋଇନାହିଁ। ତେଣୁ ଉଠା ଦୋକାନୀ ଆଜି ବି ରାସ୍ତାକଡ଼ରେ ପସରା ମେଲାଇ ବସୁଛନ୍ତି। ଫଳରେ ପ୍ରତିଦିନ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଉପୁଜୁଛି, ଯାତାୟତରେ ଅସୁବିଧା ହେଉଛି। କିନ୍ତୁ ଜିଲ୍ଲା ପ୍ରଶାସନର ନିଘା ନଥିବା ଅଭିଯୋଗ ହୋଇଛି।

ଉଠା ଦୋକାନୀଙ୍କ ଥଇଥାନ ପାଇଁ ରାୟଗଡ଼ା ପୌରପରିଷଦ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷରେ ମୁକ୍ତା ଯୋଜନାରେ ୪୫ ଲକ୍ଷ ୫୧ ହଜାର ଟଙ୍କା ବ୍ୟୟରେ ୫୫ଟି ଭେଣ୍ଡିଂ ଜୋନ୍ ନିର୍ମାଣ ହୋଇଥିଲା। ସେହିପରେ ୯ ଲକ୍ଷ ୨୧ ହଜାର ଟଙ୍କାରେ ୨୦୧୯-୨୦ ଆର୍ଥିକ ବର୍ଷରେ ୩୦ଟି ପିଣ୍ଡି ନିର୍ମାଣ କରାଯାଇଛି। କିନ୍ତୁ ସେଗୁଡ଼ିକ କୌଣସି କାମରେ ଲାଗୁନଥିବାରୁ କ୍ଷୋଭ ପ୍ରକାଶ ପାଇଛି।