କନକ ବ୍ୟୁରୋ: କୁହାଯାଏ ଇଛା ଥିଲେ ଉପାୟ ଆପେ ଆପେ ଆସେ । ଆଗକୁ ବଢ଼ିବାକୁ ରାସ୍ତା ଦେଖାଏ । ଯାହାର ଉଦାହରଣ ହେଉଛନ୍ତି ନବରଙ୍ଗପୁର ତାରାଗାଁର ଇରଫାନ୍ ଖାନ। ଶିକ୍ଷାଗତ ଯୋଗ୍ୟତା- ଏମ୍ବିଏ । ଚାକିରି ପଛରେ ନପଡ଼ି ସ୍ବାବଲମ୍ବୀ ହେବାର ସଂକଳ୍ପ ନେଇ ସେ ଗୋପାଳନ କରୁଛନ୍ତି । ଉନ୍ନତ ପ୍ରଣାଳୀରେ ଡାଏରୀ ଫାର୍ମ କରି ଲାଭବାନ ହେଉଛନ୍ତି । ଶିକ୍ଷାକୁ କିପରି କୃଷି କ୍ଷେତ୍ରରେ ବିନିଯୋଗ କରାଯାଇ ରଯୋଗାରକ୍ଷମ କରିହେବ ତାହା ପ୍ରମାଣିତ କରିଛନ୍ତି ଇରଫାନ ।
ଇରଫାନଙ୍କ ଡାଇରୀ ଫାର୍ମରେ ୬୦ରୁ ଅଧିକ ଗାଈ ଅଛନ୍ତି । ପ୍ରତିଦିନ ୫୦୦ ଲିଟର କ୍ଷୀର ଉତ୍ପାଦନ ହେଉଛି । ବାର୍ଷିକ କ୍ଷୀର ବ୍ୟବସାୟରୁ ତାଙ୍କୁ ୧୨ରୁ ୧୫ ଲକ୍ଷ ଟଙ୍କା ଲାଭ ମିଳୁଛି । ବ୍ରହ୍ମପୁରରେ ପଢ଼ା ଶେଷ କରି ୨୦୦୫ରୁ ଗୋ-ପାଳନ ଓ ମାଛଚାଷ ଆରମ୍ଭ କରିଛନ୍ତି ଇରଫାନ । ଏଥିରେ କିଛି ଲାଭ ମିଳିବାରୁ ୨୦୧୩ ମସିହାରୁ ଅତ୍ୟାଧୁନିକ ଗୋଶାଳା କରି ଜର୍ସି ଓ ଏଚ୍ଏଫ୍ ଜାତୀୟ ଗାଈ ଓ ମଇଁଷି ପାଳନ କଲେ । ମେସିନ ମାଧ୍ୟମରେ କ୍ଷୀର କାଢ଼ିବା ସହିତ ତାହାକୁ ଶୀତଳ କରି କାଚ ବୋତଲରେ ପ୍ୟାକିଂ ବଜାରରେ ବିକ୍ରି କରୁଛନ୍ତି ।
ଫାର୍ମ ପରିଚାଳନା ଓ କ୍ଷୀର ବାଣ୍ଟିବା ଆଦି କାମ ପାଇଁ ୧୦ ଜଣଙ୍କୁ ନିୟୋଜିତ କରିଛନ୍ତି । ମାତ୍ର ୪ଟି ଗାଈରୁ ଫାର୍ମ ଆରମ୍ଭ କରିଥିଲେ । ଏବେ ତାଙ୍କ ଡାଏରୀ ଫାର୍ମରେ ୬୦ରୁ ଅଧିକ ଗାଇ । ଗାଈଙ୍କୁ ପୁଷ୍ଟିକର ଓ ପ୍ରାକୃତିକ ଖାଦ୍ୟ ଉପରେ ଗୁରୁତ୍ବ ଦେଇ ନିଜ ଫାର୍ମରେ ମକା ଓ ଘାସ ଚାଷ କରିଛନ୍ତି । ତାଙ୍କର ଏଭଳି ଉଦ୍ୟମ ଅନ୍ୟମାନଙ୍କ ପ୍ରେରଣା ପାଲଟିଛି ।