କନକ ବ୍ୟୁରୋ: ଇରାନ୍-ଇସ୍ରାଏଲ ଯୁଦ୍ଧରେ ପହଞ୍ଚିଥିବା ବେଳେ ଆମେରିକାର ଏଣ୍ଟ୍ରି ସମୀକରଣକୁ ବଦଳାଇ ଦେଇଛି । ଇସ୍ରାଏଲ ସପକ୍ଷରେ ଟ୍ରମ୍ପ ଗ୍ରୀନ୍ ସିଗନାଲ ଦେବା ପରେ ବି-୨ ବମ୍ବର ଇରାନର ୩ଟି ପରମାଣୁ କ୍ଷେତ୍ର ଉପରେ ବୋମାବର୍ଷା କରିଛି । ଏଥିରେ ବିଳିବିଳେଇ ଯାଇଛି ତେହେରାନ । 

Advertisment

ପ୍ରତିଶୋଧ ପାଇଁ ପଣ କରିଛନ୍ତି ଆୟୋତୁଲ୍ଲା ଅଲ୍ଲୀ ଖେମିନି । ଇସ୍ରାଏଲ ଉପରେ ଘନ ଘନ ଆକ୍ରମଣ କରୁଛି ଇରାନ । ହେଲେ ଆମେରିକା ଉପରେ କେମିତି ରାଗ ଶୁଝାଇବ ଇରାନ? ଆମେରିକା ଇରାନଠାରୁ ବହୁ ଦୂରରେ ରହିଛି । ତେଣୁ ଡ୍ରୋନ୍ ଓ ମିସାଇଲ୍ ଜରିଆରେ ଆମେରିକାର କୌଣସି ଜାଗାକୁ ଆକ୍ରମଣ କରିବା ତେହେରାନ ପକ୍ଷେ ସମ୍ଭବ ନୁହେଁ । ଏପରି ସ୍ଥଳେ ଅନ୍ୟ ଉପାୟ ଆପଣାଉଛି ଇରାନ । ଇରାକ ଓ ସିରିଆରେ ଥିବା ଆମେରିକୀୟ ଶିବିର ଗୁଡ଼ିକ ଉପରେ ବିପଦ ବଢ଼ୁଛି । କାରଣ ଏହି ସବୁ ସେନା ଶିବିର ଗୁଡ଼ିକ ଉପରେ ଇରାନର ସହଯୋଗୀ ସାମରିକ ସଂଗଠନ ଆକ୍ରମଣ କରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଇରାକରେ ଆମେରିକାର ଦୁଇଟି ପ୍ରମୁଖ ସେନା ଶିବିର ରହିଛି । ଆଏନ ଅଲ ଆସଦ ଏୟାର ବେସ୍, ଅନ୍ୟଟି ଏବିର ଏୟାର ବେସ୍ । ଏହାସହ ସିରିଆରେ ଏବେ ଆମେରିକାର ଏୟାର ବେସ୍ ରହିଛି। ଇରାନର ପ୍ରତିରକ୍ଷାମନ୍ତ୍ରୀ ସ୍ପଷ୍ଟ କରିସାରିଛନ୍ତି, ଆମେରିକା ସହ ଏବେ କୌଣସି ପ୍ରକାର ଆଲୋଚନା କରାଯିବନି । ବରଂ ପ୍ରତିଶୋଧ ନିଆଯିବ ।

ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଯୁଦ୍ଧ ୧୧ ଦିନରେ ପହଞ୍ଚିଛି । ପରସ୍ପର ଉପରେ ପ୍ରଚଣ୍ଡ ଆକ୍ରମଣ ଚାଲିଛି । ଏଯାଏଁ ପରମାଣୁ କ୍ଷେତ୍ରକୁ ଟାର୍ଗେଟ୍ କରିଥିବା ଇସ୍ରାଏଲ ପ୍ରଥମ କରି ଇରାନର ଏୟାର ବେସ୍‌କୁ ଉପରେ ଆକ୍ରମଣ କରିଛି । ୬ଟି ଏୟାର ବେସ୍ ଉପରେ ଆକ୍ରମଣ ହୋଇଛି । ଏଥିରେ ୧୫ରୁ ଅଧିକ ବିମାନ ନଷ୍ଟ ହୋଇଥିବା ଇସ୍ରାଏଲ ସେନା ଦାବି କରିଛି । ସେପଟେ ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଏଲ ରାଜଧାନୀ ତେଲ ଅଭିଭରେ କ୍ଷୟକ୍ଷତି ହୋଇଛି । ଯଦିଓ ଇସ୍ରାଏଲର ଏୟାର ଡିଫେନ୍ସ ଖୁବ୍ ଶକ୍ତିଶାଳୀ, ହେଲେ ତେହେରାନ ମାଡ଼ କରୁଥିବା ଫତାହ ଭଳି ହାଇପରସୋନିକ କ୍ଷେପଣାସ୍ତ୍ର ରୋକିବାରେ ସଫଳ ହୋଇ ନାହିଁ । 

ଏସବୁ ଭିତରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି ଇରାନ ବୈଦେଶିକ ମନ୍ତ୍ରୀ । ଇସ୍ରାଏଲ ଓ ଆମେରିକାର କାର୍ୟ୍ୟାନୁଷ୍ଠାନକୁ ପୂର୍ବରୁ ପୁଟିନ ନିନ୍ଦା କରିସାରିଛନ୍ତି । ୟୁକ୍ରେନ୍ ବିରୋଧରେ ଲଢ଼େଇ ବେଳେ ରୁଷକୁ ଡ୍ରୋନ୍ ଯୋଗାଇ ସହାୟତା କରିଥିଲା ଇରାନ । ହୁଏତ୍ ପୁଟିନ୍ ଏବେ ସେହିପରି କିଛି ସହାୟତା କରିପାରନ୍ତି ।