କନକ ବ୍ୟୁରୋ: ନବମ ଦିନରେ ଯୁଦ୍ଧରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଜୋରଦାର କରିଛି । ଇସ୍ରାଏଲ ବାୟୁସେନା ଇରାନର ସାମରିକ ଘାଟିକୁ ଟାର୍ଗେଟ କରି ଛାରଖାର କରିଛି । ସେପଟେ ଜେନେଭାରେ ୟୁରୋପୀୟ ବୈଦେଶିକ ମନ୍ତ୍ରୀ ଏବଂ ଇରାନ ଅଧିକାରୀଙ୍କ ବୈଠକରେ ବାହାରିପାରିନି ନିଷ୍କର୍ସ । ଇରାନ ଦୋହରାଇଛି ଇସ୍ରାଏଲ ଇରାନରେ ଆକ୍ରମଣ ଜାରି ରଖିଲେ ଆଲୋଚନା ହେବ ନାହିଁ । 

Advertisment

ନବମ ଦିନରେ ଜାରି ରହିଛି ଇରାନ-ଇସ୍ରାଏଲ ଯୁଦ୍ଧ । ଉଭୟ ଦେଶ ପରସ୍ପର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରୁଛନ୍ତି । ଦୁଇ ଦେଶରେ ଅନେକ କ୍ଷତି ହୋଇସାରିଲାଣି । ଯୁଦ୍ଧରେ ଶହଶହ ଲୋକ  ପ୍ରାଣ ହରାଇଛନ୍ତି । ଇରାନର କୋମ୍ ଏବଂ ଇସ୍ଫାହାନ୍ ସହର ଉପରେ ଇସ୍ରାଏଲ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪ ଜଣ ଆହତ ହୋଇଛନ୍ତି । ଗତ ୬୦ ଘଣ୍ଟା ଧରି ଇରାନରେ ଇଣ୍ଟରନେଟ୍ ସେବା ପ୍ରାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ଇଣ୍ଟରନେଟ୍ ମନିଟରିଂ ସଂଗଠନ ନେଟବ୍ଲକ୍ସ ଏହି ସୂଚନା ଦେଇଛି।

ଯୁଦ୍ଧ ବଢିବା ଫଳରେ ଇରାନର ଡର ଆମେରିକାକୁ, ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି କହିଛନ୍ତି, ଯଦି ଆମେରିକା ସିଧାସଳଖ ଇସ୍ରାଏଲ ସହିତ ଚାଲିଥିବା ଯୁଦ୍ଧରେ ଯୋଗଦିଏ, ତେବେ ସମଗ୍ର ବିଶ୍ୱ ପାଇଁ ବହୁତ ବିପଦପୂର୍ଣ୍ଣ ପ୍ରମାଣିତ ହୋଇପାରେ । ବୈଦେଶିକ ମନ୍ତ୍ରୀ ଆବାସ୍ ଆରାକଚି ଆମେରିକା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଆମେରିକା ଆଲୋଚନା କରିବାର ଅଭିନୟ କରୁଥିଲା, ଯେତେବେଳେ ବାସ୍ତବରେ ଏହା ଇସ୍ରାଏଲ ଆକ୍ରମଣକୁ ଲୁଚାଉଥିଲା । ଇରାନ ଆଉ ଆମେରିକାକୁ ବିଶ୍ୱାସ କରେନାହିଁ ବୋଲି ଇରାନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ ରାତିରେ ଏକ ବଡ଼ ସାମରିକ ଆକ୍ରମଣ କରିଥିଲା, ଇସ୍ଫାହାନରେ ଇରାନର ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରିଛି । ଏହା ସହିତ, ଇରାନର ମିସାଇଲ ସହିତ ଜଡିତ ଘାଟି ଉପରେ ମଧ୍ୟ ଆକ୍ରମଣ କରିଛି ଆଇଡିଏଫ୍ । ଡ୍ରୋନ୍ ଆକ୍ରମଣର ସତର୍କତା ଯୋଗୁଁ ଦକ୍ଷିଣ ଇସ୍ରାଏଲର ଆରାଭା ଅଞ୍ଚଳର ଅନେକ ଅଞ୍ଚଳରେ ସାଇରନ୍ ବାଜିଥିଲା । ପ୍ରାରମ୍ଭରେ ଜୁକିମ୍ ଅଞ୍ଚଳରେ ସାଇରନ୍ ବାଜିଥିଲା, ତା’ପରେ ଆଖପାଖର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସତର୍କତା ଜାରି କରାଯାଇଥିଲା । 

-ଋଷ ରାଷ୍ଟ୍ରପତି ପୁଟିନ କହିଛନ୍ତି, ଇସ୍ରାଏଲକୁ ଆଶ୍ୱାସନା ଦିଆଯାଇଛି ଯେ ଇରାନର ପରମାଣୁ ଅସ୍ତ୍ର ତିଆରି କରିବାର କୌଣସି ଉଦ୍ଦେଶ୍ୟ ନାହିଁ
-ପୁଟିନଙ୍କ ଅନୁଯାୟୀ, ରୁଷ ଲଗାତାର ସ୍ପଷ୍ଟ କରିଆସିଛି ଯେ ଇରାନ ପରମାଣୁ ଅସ୍ତ୍ର ହାସଲ କରିବାକୁ ଚାହୁନାହିଁ 
-ତୁର୍କୀ ପ୍ରଧାନମନ୍ତ୍ରୀ ଏର୍ଡୋଗାନ୍ କହିଛନ୍ତି, ନେତାନ୍ୟାହୁଙ୍କ ସରକାର ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠାରେ ସବୁଠାରୁ ବଡ଼ ପ୍ରତିବନ୍ଧକ 
-ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁରୋପୀୟ ମଧ୍ୟସ୍ଥତା ପ୍ରୟାସ ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି , ଇରାନ ୟୁରୋପ ସହ କଥା ହେବାକୁ ଚାହୁନାହିଁ । ଇରାନ ଆମେରିକା ସହ କଥା ହେବାକୁ ଚାହୁଛି

ଇରାନରେ ଇସ୍ରାଏଲ ଆକ୍ରମଣରେ ଜଣେ ଇରାନୀ ପରମାଣୁ ବୈଜ୍ଞାନିକଙ୍କ ସହ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ଇରାନୀ ମିଡିଆ କହିଛି । ଅନ୍ୟପଟେ ଇରାନ ମାନବାଧିକାର କହିଛି, ଇସ୍ରାଏଲ ସହ ସହଯୋଗ ସମ୍ପର୍କିତ ଅଭିଯୋଗରେ ଦେଶବ୍ୟାପୀ ଅତି କମରେ ୨୨୩ ଜଣଙ୍କୁ ଗିରଫ କରାଯାଇଛି । ଇରାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଇସ୍ରାଏଲ ସହିତ ସଂଘର୍ଷ ଆରମ୍ଭ ହେବା ପରଠାରୁ ଇରାନରେ ଅତି କମରେ ୪୩୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩,୫୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।