କନକ ବ୍ୟୁରୋ: ଚୀନ୍ ପାଇଁ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକ ପାଇଁ ଏବେ କୂଟନୈତିକ ଜଞ୍ଜାଳ ହେଇଗଲାଣି । ଇରାନ-ଇସ୍ରାଏଲ ଯୁଦ୍ଧ ଏବେ ଚୀନ୍ ପାଇଁ କିଛି ଏଭଳି ସ୍ଥିତି ହିଁ ଉତ୍ପନ୍ନ କରିଛି । ଇରାନକୁ ସମର୍ଥନ କଲେ ସାଉଦି ଆରବ ସହ ସମ୍ପର୍କ ଖରାପ ହେବ ଆଉ ସମର୍ଥନ ନକଲେ ଇରାନ ସହ ସମ୍ପର୍କ ଖରାପ ହେବ । ଇସ୍ରାଏଲ୍-ଇରାନ ଯୁଦ୍ଧ ଏମିତି ସ୍ଥିତିରେ ପହଞ୍ଚିଛି, ଯାହା ଉପରେ ବଡ଼ବଡ଼ ପ୍ରତିରକ୍ଷା ବିଶେଷଜ୍ଞମାନ ଭବିଷ୍ୟବାଣୀ କରି ଥକିଲେଣି । ଏହି ଦୁଇ ଦେଶରେ ଯୁଦ୍ଧ ସ୍ଥିତି ମଧ୍ୟରେ ପ୍ରତିଦିନ ଆସୁଛି ନୂଆ ଟ୍ୱିଷ୍ଟ । ଏବେ ସମସ୍ତଙ୍କ ନଜର ଆମେରିକା ଉପରେ ଥିବା ବେଳେ ଚୁପଚାପ କ୍ଷତି ସହୁଛି ଚୀନ । ବିଗତ ବର୍ଷଗୁଡ଼ିକରେ ମଧ୍ୟପ୍ରାଚ୍ୟରେ ଯେଉଁ ଜାଲ ପକାଇଥିଲା ଚୀନ୍, ତାହା ଇରାନ-ଇସ୍ରାଏଲ ସଂଘର୍ଷରେ ଛନ୍ଦି ହେଲାଭଳି ମନେ ହେଉଛି । ମୋଟାମୋଟି ଭାବରେ କହିବାକୁ ଗଲେ ଚୀନର ଆର୍ଥିକସ୍ଥିତି ଏବେ ବାଜିରେ ଲାଗିଛି ।
ଫୋବସ୍ ମାଗାଜିନ୍ର ଏକ ରିପୋର୍ଟ ମୁତାବକ ନିଜର ତିନିଚତୁର୍ଥାଂଶ ଇନ୍ଧନ ଆବଶ୍ୟକତା ପୂରଣ ପାଇଁ ବାହାର ଦେଶ ଗୁଡ଼ିକ ଉପରେ ନିର୍ଭରଶୀଳ ଚୀନ । ସେଥିମଧ୍ୟରୁ ୪୩ ପ୍ରତିଶତ ଅଶୋଧିତ ତୈଳ କେବଳ ମଧ୍ୟପ୍ରାଚ୍ୟରୁ ଆସିଥାଏ । ଦୀର୍ଘବର୍ଷ ହେଲା ଏହା ଚୀନ୍ର ଦୁର୍ବଳତା ରହି ଆସିଛି । ଖୋଦ ଜି ଜିନ୍ପିଙ୍ଗ୍ ମଧ୍ୟ ଏହି କଥାକୁ ମାନିଛନ୍ତି । କିଛି ବର୍ଷ ପୂର୍ବେ ଚୀନ ସାଉଦି ଆରବ ଓ ଇରାନ ମଧ୍ୟରେ ଚୁକ୍ତି କରି ନିଜ କୂଟନୈତିକ ଶକ୍ତିର ପ୍ରଦର୍ଶନ କରିଥିଲା । ସେହି ସମୟରେ ମନେ ହେଉଥିଲା ଚୀନ୍ ଆମେରିକାକୁ ଟକ୍କର ଦେଇପାରିବ । କିନ୍ତୁ ଏବେ ଇରାନ-ଇସ୍ରାଏଲ୍ ଯୁଦ୍ଧରେ ଚୀନ୍ କାହାକୁ ସମର୍ଥନ କରିବ ତାହାକୁ ନେଇ ଅକଲରେ ପଡ଼ିଛି ଡ୍ରାଗନ ଦେଶ ।
ଯଦି ଚୀନ ଇରାନ୍କୁ ସମର୍ଥନ କରିବ ତେବେ ଅନ୍ୟ ଗଲ୍ଫ ଦେଶଗୁଡ଼ିକ ସହ ସମ୍ପର୍କ ଉପରେ ପ୍ରଭାବ ପଡ଼ିପାରେ । ସେହିଭଳି ଚୁପ୍ ରହିଲେ ଚୀନ ପ୍ରତି ଇରାନ୍, ପାକିସ୍ତାନ ଓ ଋଷିଆ ଭଳି ଦେଶ ପ୍ରଶ୍ନ ଉଠାଇବେ । ଋଷିଆ-ୟୁକ୍ରେନ୍ ଯୁଦ୍ଧ ଓ ବୈଶ୍ୱିକ ଆର୍ଥିକ ମାନ୍ଦାବସ୍ଥା ସମୟରେ ଚୀନ କୌଣସି ମତେ ନିଜ ଇନ୍ଧନ ଆବଶ୍ୟକତାକୁ ପୂରଣ କରିନେଇଥିଲା । କିନ୍ତୁ ଏବେ ମଧ୍ୟପ୍ରାଚ୍ୟର ସ୍ଥିତି ଅଲଗା ରହିଛି । ଏଠାରେ ଚୀନକୁ କେବଳ ବଜାର ନୁହେଁ ବରଂ ବଦଳୁଥିବା ସୈନ୍ୟ ସମୀକରଣ ସହ ବି ଯୁଝି ହେବାକୁ ପଡ଼ୁଛି । ଯାହା ଫଳରେ ମଧ୍ୟପ୍ରାଚ୍ୟରେ ଚୀନକୁ ଭାରି କ୍ଷତି ସହିବାକୁ ପଡ଼ିଛି ।
ଏବେ ପ୍ରଶ୍ନ ଉଠୁଛି, ମଧ୍ୟପ୍ରାଚ୍ୟରେ ଆର୍ଥିକ ହିତ ସାଧନ ପାଇଁ ସୈନ୍ୟ ଭୂମିକା ଓ ରାଜନୈତିକ ଭୂମିକାରେ ସକ୍ରିୟ ହେବ କି ଚୀନ ? ଚୀନ ଇରାନକୁ ସମର୍ଥନ ଦେବ ନା ସାଉଦି ଓ ଅନ୍ୟ ଗଲ୍ଫ ଦେଶଗୁଡ଼ିକରୁ ନିଜ ଇନ୍ଧନ ଆବଶ୍ୟକତାକୁ ପୂରଣ କରିବ ? ସେପଟେ ସମର୍ଥନ ଦେବାରୁ ପଛକୁ ହଟିଲେ ଚୀନ୍ର ଉଭା ହେଉଥିବା ଗ୍ଲୋବାଲ ପାୱାରର ଛବି ଖରାପ ହୋଇପାରେ । ତେବେ ସେ ଯାହା ବି ହେଉ ମଧ୍ୟପ୍ରାଚ୍ୟ ଏବେ କେବଳ ତେଲ ବଜାର ନୁହେଁ ବରଂ ଏକ କୂଟନୈତିକ ଜଞ୍ଜାଳ ହୋଇସାରିଛି । ତେବେ ଏହି ଜଞ୍ଜାଳରୁ ଚୀନ କେମିତି ବାହାରୁଛି ତାହାରି ଉପରେ ସମସ୍ତଙ୍କ ନଜର ରହିଛି ।