କନକ ବ୍ୟୁରୋ : ବଢୁଛି ଇସ୍ରାଏଲ -ଇରାନ ଯୁଦ୍ଧ । ଯୁଦ୍ଧ ଭିତରେ ଇସ୍ରାଏଲ ଇରାନକୁ ବଡ଼ ଧରଣର କ୍ଷତି ପହଞ୍ଚାଇସାରିଲାଣି । ଅନ୍ୟପଟେ ଇରାନ ମଧ୍ୟ ରାଜଧାନୀ ତେଲ-ଅବିବକୁ ଟାର୍ଗେଟ କରିସାରିଛି । ଇରାନ ପଛଘୁଞ୍ଚା ଦେବାକୁ ନାରାଜ ଆଉ ସୁପ୍ରିମ ଲିଡରଙ୍କ ଠାରୁ ପାର୍ଲାମେଣ୍ଟ ସ୍ପିକର ଇସ୍ରାଏଲ ଉପରେ କଡ଼ା ବୟାନ ରଖିଛନ୍ତି । କହିଛନ୍ତି , ଇରାନୀ ସଶସ୍ତ୍ରବାହିନୀ ‘ନିଷ୍ଠୁର’ ଇସ୍ରାଏଲୀ ଶତ୍ରୁଙ୍କୁ ଅସହାୟ କରିଦେବ । କାରଣ ଇସ୍ରାଏଲ କୌଣସି ନୀତିନିୟମ ବା ସୀମାରେ ରହୁନାହିଁ ।
ଘାଲିବାଫ ଅଭିଯୋଗ କରିଛନ୍ତି ଯେ, ଇସ୍ରାଏଲ ଅନ୍ତର୍ଜାତୀୟ ନିୟମ ଉଲ୍ଲଂଘନ କରି ନିରୀହ ନାଗରିକଙ୍କ ଉପରେ ଆକ୍ରମଣ ଜାରି ରଖିଛି । ସୈନ୍ୟବାହିନୀ ଦୃଢ଼ତାର ସହ ଏହାର ମୁକାବିଲା କରିବ ଏବଂ ଇସ୍ରାଏଲକୁ ଏହାର କାର୍ଯ୍ୟର ଫଳ ଭୋଗିବାକୁ ପଡ଼ିବ । ସେ ଆହୁରି କହିଛନ୍ତି ଯେ, ଇରାନ ଶାନ୍ତି ଓ ସ୍ଥିରତା ପାଇଁ ପ୍ରତିଶ୍ରୁତିବଦ୍ଧ, କିନ୍ତୁ ନିଜର ସାର୍ବଭୌମତ୍ୱ ଓ ସୁରକ୍ଷା ସହ କୌଣସି ଆପୋଷ କରିବ ନାହିଁ । ଇରାନୀ ମିସାଇଲ୍ ତେଲ୍ ଆବିବ୍ରେ ଥିବା ଆମେରିକୀୟ ଦୂତାବାସ ନିକଟରେ ମାଡ ହୋଇଛି ।
ଆମେରିକୀୟ ରାଷ୍ଟ୍ରଦୂତ ମାଇକ୍ ହକ୍କାବୀ କହିଛନ୍ତି, ମିସାଇଲ୍ ଆଘାତରୁ ଦୂତାବାସରେ ସାମାନ୍ୟ କ୍ଷତି ହୋଇଛି । କିନ୍ତୁ କୌଣସି ଆମେରିକୀୟ କର୍ମଚାରୀ ଆହତ ହୋଇ ନାହାନ୍ତି । ଏହି ଘଟଣା ଇସ୍ରାଏଲ୍ ଓ ଇରାନ୍ ମଧ୍ୟରେ ଚାଲିଥିବା ସଂଘର୍ଷର ଚତୁର୍ଥ ଦିନରେ ଘଟିଛି । ଇରାନୀ ମିସାଇଲ୍ ଆକ୍ରମଣ ପରେ ଆମେରିକା ତେଲ୍ ଅଭିଭ୍ରେ ଥିବା ନିଜ ଦୂତାବାସ ବନ୍ଦ କରିଛି । ତେଲ୍ ଆବିବ୍ ଓ ହାଇଫାରେ ଇରାନୀ ଆକ୍ରମଣରେ ଅନେକ ଆହତ ହୋଇଛନ୍ତି । ଅନ୍ୟପଟେ ମୋସାଦର ଟାର୍ଗେଟ ଇରାନ ସାମରିକ ଅଧିକାରୀ ।
ଇସ୍ରାଏଲର ବଡ଼ ସାମରିକ ଅଭିଯାନରେ ଇରାନର ଗୁଇନ୍ଦା ମୁଖ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ନିହତ ହୋଇଛନ୍ତି । ଇସ୍ରାଏଲୀ ବାୟୁସେନା ଆକ୍ରମଣରେ ଇରାନର ରେଭୋଲ୍ୟୁସନାରୀ ଗାର୍ଡସ୍ର ଗୁଇନ୍ଦା ମୁଖ୍ୟ ମହମ୍ମଦ କାଜେମୀ , ଉପମୁଖ୍ୟ ଓ ଅନ୍ୟ ଜେନେରାଲଙ୍କ ସମେତ ପରମାଣୁ ବୈଜ୍ଞାନିକ ମଧ୍ୟ ନିହତ ହୋଇଛନ୍ତି । ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହାକୁ ‘ଅପରେସନ୍ ରାଇଜିଂ ଲାୟନ୍’ ନାମ ଦେଇ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବାଧା ଦେବା ପାଇଁ ଏହା ଜାରି ରହିବ ବୋଲି କହିଛନ୍ତି । ଇସ୍ରାଏଲ ଆକ୍ରମଣରେ ତେହେରାନର ତୈଳ ଓ ଗ୍ୟାସ କ୍ଷେତ୍ର, ମିସାଇଲ୍ ନିର୍ମାଣ କେନ୍ଦ୍ର ଓ ରାଡାର ସିଷ୍ଟମ୍ ଧ୍ୱଂସ ହୋଇଛି । ଇରାନୀ ସୂତ୍ର ଅନୁଯାୟୀ, ଏହି ଆକ୍ରମଣରେ ୨୨୪ ଲୋକ ନିହତ ହୋଇଛନ୍ତି, ଯେଉଁଥିରେ ଅଧିକାଂଶ ନାଗରିକ । ଦୁଇ ଦେଶ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ୟୁରୋପୀୟ ସଂଘର ମୁଖ୍ୟ ଉର୍ସୁଲା ଭନ୍ ଡେର୍ ଲେୟେନ୍ ମଧ୍ୟପ୍ରାଚ୍ୟ ସଂଘର୍ଷ ପାଇଁ ଇରାନକୁ ଦାୟୀ କରିଛନ୍ତି ।
ଲେୟନ କହିଛନ୍ତି, ଇରାନର ଆକ୍ରମଣାତ୍ମକ କାର୍ଯ୍ୟ ଓ ସମର୍ଥିତ ଗୋଷ୍ଠୀଗୁଡ଼ିକର ଆକ୍ରମଣ ଏହି ସଂଘର୍ଷକୁ ଉଗ୍ର କରିଛି । ତେଲ୍ ଆବିବ୍ରେ ଇରାନୀ ମିସାଇଲ୍ ଆକ୍ରମଣ ଓ ଇସ୍ରାଏଲର ପ୍ରତିଆକ୍ରମଣ ପରେ ଉତ୍ତେଜନା ବୃଦ୍ଧି ପାଇଛି । ତଥାପି, ଭନ୍ ଡେର୍ ଲେୟେନ୍ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ କହିଛନ୍ତି, କୂଟନୈତିକ ଆଲୋଚନା ହିଁ ଏହି ସଙ୍କଟର ସର୍ବୋତ୍ତମ ସମାଧାନ । ଇସ୍ରାଏଲର ଇରାନ ଭିତରେ ଗୁଇନ୍ଦା ମୁଖ୍ୟଙ୍କୁ ହତ୍ୟା ଓ ସାମରିକ କେନ୍ଦ୍ର ଉପରେ ଆକ୍ରମଣ ପରେ ପରିସ୍ଥିତି ଆହୁରି ଜଟିଳ ହୋଇଛି । ଇସ୍ରାଏଲ ଇରାନ ଭିତରେ ଆକ୍ରମଣକାରୀ ଡ୍ରୋନ ପହଞ୍ଚାଇବା ପାଇଁ ଜାହାଜ, ଟ୍ରକ ଓ ସୁଟକେସର ବ୍ୟବହାର କରିଥିବା ରିପୋର୍ଟ ମିଳିଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୋସାଦ ଏଜେନ୍ସି ବର୍ଷ ବର୍ଷ ଧରି ଏକ ଗୁପ୍ତ ଅଭିଯାନରେ ବିସ୍ଫୋରକ ବୋଝେଇ କ୍ୱାଡକପ୍ଟର ଡ୍ରୋନର ଅଂଶ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜାହାଜ, ଟ୍ରକ ଓ ସୁଟକେସ ମାଧ୍ୟମରେ ଇରାନକୁ ପଠାଇଥିଲା । ଏହି ଅଭିଯାନରେ ବ୍ୟବସାୟିକ ଚ୍ୟାନେଲ ବ୍ୟବହାର କରାଯାଇଥିଲା, ଯେଉଁଥିରେ ଅଂଶଗ୍ରହଣକାରୀ ବ୍ୟବସାୟୀମାନେ ଅସ୍ତ୍ର ପରିବହନ ବିଷୟରେ ଅଜଣା ଥିଲେ । ‘ଅପରେସନ୍ ରାଇଜିଂ ଲାୟନ’ ନାମକ ଏହି ଅଭିଯାନରେ ଇରାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, ମିସାଇଲ୍ ଲଞ୍ଚର ଓ ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରାଯାଇଥିଲା ।