କନକ ବ୍ୟୁରୋ : ଇରାନର ମୂଳ ନିବାସୀ ଜଣେ ଯୁବତୀ ଉତ୍ତରପ୍ରଦେଶ ମୁରାଦାବାଦର ଜଣେ ଯୁବକଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ । ଇରାନର ଫାଇଜା ଭାରତୀୟ ଯୁବକଙ୍କୁ ବିବାହ କରି ଭାରତରେ ହିଁ ରହୁଛନ୍ତି ଏବଂ ବିବାହ ପରେ ସେ ଭାରତକୁ ହିଁ ନିଜ ଘର ବୋଲି ଭାବୁଛନ୍ତି । କିନ୍ତୁ ଫାଇଜାଙ୍କ ପୂରା ପରିବାର ଇରାନରେ ହିଁ ରହୁଛନ୍ତି । ଯାହାଙ୍କ ଜୀବନ ଏବେ ବିପଦରେ ରହିଛି । ବର୍ତ୍ତମାନ ଫାଇଜା ଭାବୁକ ହୋଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜ ପରିବାରକୁ ସୁରକ୍ଷିତ ଉଦ୍ଧାର ପାଇଁ ଅପିଲ୍ କରିଛନ୍ତି ।
/filters:format(webp)/kanak/media/media_files/2025/06/18/Israel-Iran-91d51d58.jpg)
ବର୍ଷେ ପୂର୍ବରୁ ଫାଇଜା ମୁରାଦାବାଦର ଦିବାକରଙ୍କ ସହ ବିବାହ କରିଥିଲେ । ବର୍ତ୍ତମାନ ସେ ସ୍ବାମୀଙ୍କ ସହ ମୁରାଦାବାଦରେ ହିଁ ରହୁଛନ୍ତି । ପେସାରେ ଦିବାକର ଜଣେ ୟୁଟ୍ୟୁବର୍ ଏବଂ ତାଙ୍କର ଗୋଟିଏ କାଫେ ମଧ୍ୟ ରହିଛି । କିନ୍ତୁ ବର୍ତ୍ତମାନ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଫାଇଜାଙ୍କୁ ଗଭୀର ଚିନ୍ତାରେ ପକାଇଛି । ଇରାନରେ ଥିବା ତାଙ୍କ ପରିବାରଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁନାହିଁ । ଫାଇଜାଙ୍କ କହିବା ମୁତାବକ ତାଙ୍କ ପରିବାର ଇରାନର ହମଦାନରେ ରହୁଛନ୍ତି ଯେଉଁଠି ପରିସ୍ଥିତି ବହୁତ ଖରାପ ରହିଛି । ପ୍ରତିଦିନ ଜୀବିତ ରହିବା ପାଇଁ ସଂଘର୍ଷ କରିବାକୁ ପଡୁଛି । ଘରଲୋକଙ୍କ ସହ କଥା ନ ହୋଇପାରିବାକୁ ନେଇ ସେ କାନ୍ଦି କାନ୍ଦି ପ୍ରଧାନମନ୍ତ୍ରୀଙ୍କୁ ଦୁଃଖ ଜଣାଇଛନ୍ତି । ସେ କହିଛନ୍ତି ‘ପରିବାର ଲୋକଙ୍କ ସ୍ବର ଶୁଣିବାକୁ ମୁଁ ଚାତକ ପରି ଚାହିଁ ରହିଛି । ୬ ମାସରୁ ଅଧିକ ସମୟ ହେଲାଣି ମୁଁ ବାପା,ମା’,ଭାଇ-ଭଉଣୀ କାହା ସଙ୍ଗେ କଥା ହୋଇନି । ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେହୁରା ହେଉଛି ଏହି ଯୁଦ୍ଧକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ନିଅନ୍ତୁ । ଦୁଇ ଦେଶର ନେତାଙ୍କ ସହ କଥା ହୋଇ ପ୍ରଧାନମନ୍ତ୍ରୀ ଶାନ୍ତି ସ୍ଥାପନ କରନ୍ତୁ । ପ୍ରଧାନମନ୍ତ୍ରୀ ଯଦି କଥା ହେବେ ତା’ହେଲେ ୨ ଦେଶ ଶାନ୍ତି ଦିଗରେ ଆଗକୁ ବଢ଼ିବେ ବୋଲି ମୋର ଆଶା ।’