କନକ ବ୍ୟୁରୋ: ଇରାନ-ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ । ଆମେରିକା ଇରାନ ଉପରେ ପରମାଣୁ ଘାଟି ଉପରେ ଆକ୍ରମଣ କରିବା ପରେ ତୀବ୍ର ହୋଇଛି ଯୁଦ୍ଧ । ଅଧିକ ପ୍ରତିକ୍ରିୟାଶୀଳ ହୋଇଉଠିଛି ଇରାନ୍, ଇସ୍ରାଏଲ୍ ଉପରେ ଆକ୍ରମଣକୁ ତୀବ୍ର କରିଛି ତେହେରାନ । ତେଲ ଅଭିଭ୍, ହାଇଫା ଏବଂ ଜେରୁଝେଲମ ସମେତ ଇସ୍ରାଏଲର ୨୫ଟି ସହରରେ ଇରାନ ପକ୍ଷରୁ ୩୦ରୁ ଅଧିକ ମିସାଇଲ୍ ମାଡ଼ କରାଯାଇଛି । ଏହି ଆକ୍ରମଣରେ ଜନବସତି ଅଞ୍ଚଳଗୁଡ଼ିକ ଧ୍ବସ୍ତ ସ୍ତୁପରେ ପରିଣତ ହୋଇଛି । ସେପଟେ ଇରାନକୁ ମୁହଁତୋଡ଼ ଜବାବ ଦିଆଯାଉଥିବା କହିଛି ଆଇଡିଏଫ୍ ।

Advertisment
  • ଜୁନ୍ ୧୩ ତାରିଖରୁ ଉଭୟ ଦେଶ ମଧ୍ୟରେ ଲାଗି ରହିଛି ଯୁଦ୍ଧ
  • ଇସ୍ରାଏଲ ଆକ୍ରମଣରେ ଇରାନରେ ୬୫୭ ଜଣଙ୍କର ହେଲାଣି ମୃତ୍ୟୁ
  • ୨୦୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି
  • ଇସ୍ରାଏଲରେ ୨୪ ଜଣ ନାଗରିକଙ୍କର ମୃତ୍ୟୁ, ଆହତ ସଂଖ୍ୟା ୯୦୦

ଆମେରିକାର ତେହେରାନ ଉପରେ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଛନ୍ତି । ପରିସ୍ଥିତିକୁ ତୁରନ୍ତ ହ୍ରାସ କରିବା, ଆଲୋଚନା ଏବଂ କୂଟନୀତିକୁ ଆଗକୁ ବଢ଼ାଇବା ଏବଂ ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତାର ଶୀଘ୍ର ପୁନଃସ୍ଥାପନ ଆହ୍ବାନ ଦେଇଛନ୍ତି ମୋଦୀ । ପରମାଣୁ ଘାଟି ଉପରେ ଆମେରିକା ଆକ୍ରମଣ କରିବାର କିଛି ସମୟ ମଧ୍ୟରେ ଉଭୟ ରାଷ୍ଟ୍ରନେତାଙ୍କ ମଧ୍ୟରେ ଏହି ଆଲୋଚନା ହୋଇଛି । 

ତେବେ ମଧ୍ୟପ୍ରାଚ୍ୟରେ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଲଢ଼େଇ ଧୀରେ ଧୀରେ ତୃତୀୟ ବିଶ୍ବଯୁଦ୍ଧ ମୁହାଁ ହୋଇଛି । ରବିବାର ଆକ୍ରମଣ ପରେ ଯୁଦ୍ଧକୁ ଆମେରିକା ପ୍ରତ୍ୟକ୍ଷ ଭାବେ ପ୍ରବେଶ କରିଥିବା ବେଳେ ଆଗକୁ ବିଶ୍ବର ଅନ୍ୟ ଦୁଇ ମହାଶକ୍ତି ଋଷ୍ ଓ ଚୀନ କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ପୂରା ବିଶ୍ବବାସୀଙ୍କ ନଜର ରହିଛି ।