କନକ ବ୍ୟୁରୋ: ଇରାନ-ଇସ୍ରାଏଲ ମଧ୍ୟରେ ତିନି ଦିନ ହେଲା ଭୀଷଣ ସଂଘର୍ଷ ଜାରି ରହିଛି । ଉଭୟ ଦେଶ ପରସ୍ପର ଉପରେ ମିସାଇଲ, ରକେଟ ମାଡ଼ କରୁଛନ୍ତି । ଏହି ସଂଘର୍ଷ ମଧ୍ୟପ୍ରାଚ୍ୟକୁ ଖୁବଶୀଘ୍ର ଯୁଦ୍ଧ ଆଡ଼କୁ ଟାଣିନେବ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ଉଣାଅଧିକ ବିଶ୍ୱର ସମସ୍ତ ରାଷ୍ଟ୍ର ତେଲ ପାଇଁ ମଧ୍ୟପ୍ରାଚ୍ୟ ଉପରେ ନିର୍ଭର କରୁଥିବାରୁ ସମସ୍ତେ ପ୍ରଭାବିତ ହେବା ସମ୍ଭାବନା ସୃଷ୍ଟି ହୋଇଛି । 
 
ମଧ୍ୟପ୍ରାଚ୍ୟ ଉପରେ ସମ୍ଭାବ୍ୟ ବଡ଼ ଯୁଦ୍ଧର ବାଦଲ ଛାଇଯାଇଛି । ଦୁଇ ବଡ଼ ଦେଶ ଇରାନ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷକୁ ତିନି ଦିନ ହେଲାଣି । ଏପରି ସ୍ଥିତିରେ ଆବଶ୍ୟକ ସଞ୍ଜମତା ବଦଳରେ ଅଧିକ ଉଗ୍ର ହୋଇପଡ଼ିଛନ୍ତି ଦୁଇ ରାଷ୍ଟ୍ର । କ୍ଷେପଣାସ୍ତ୍ର ଓ ରକେଟ ମାଡ଼ କରି ପରସ୍ପରର ସାମରିକ ପ୍ରତିଷ୍ଠାନ ଓ ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରୁଛନ୍ତି । ଇରାନ-ଇସ୍ରାଏଲ ସଂଘର୍ଷକୁ ନେଇ ସାରା ବିଶ୍ୱ ଦୁଇ ଭାଗ ହୋଇଯାଇଛି । ଇସ୍ରାଏଲ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ଆମେରିକା, ଫ୍ରାନ୍ସ, ବ୍ରିଟେନ, ଜର୍ମାନୀ, ଇଟାଲି ଖୋଲାଖୋଲି ସମର୍ଥନ କରିଛନ୍ତି । ଅନ୍ୟପଟେ ଇରାନକୁ ସମର୍ଥନ ଜଣାଇଛନ୍ତି ଚୀନ, ପାକିସ୍ତାନ, ତୁର୍କୀ, ୟେମେନ, ଇରାକ । ଭାରତ କାହାର ପକ୍ଷ ନନେଇ ଶାନ୍ତି ଆଲୋଚନା ଜରିଆରେ ସମାଧାନ ଉପରେ ଗୁରୁତ୍ୱ ଦେଇଛି ।

Advertisment

ଭାରତ ଉପରେ ପଡ଼ିବ ବଡ଼ ପ୍ରଭାବ 
ତେଲ ଦର ବଢ଼ିଲେ ମହଙ୍ଗା ମାଡ଼

ଇରାନ-ଇସ୍ରାଏଲ ଯୁଦ୍ଧର ବଡ଼ ପ୍ରଭାବ ଭାରତ ଉପରେ ପଡ଼ିବାକୁ ଯାଉଛି । ବିଶେଷ କରି ତେଲ ଓ ଜୀବାଶ୍ମ ଇନ୍ଧନ ପାଇଁ ମଧ୍ୟପ୍ରାଚ୍ୟ ଉପରେ ନିର୍ଭରଶୀଳ ଭାରତର ସ୍ଥିତି ବିଗିଡ଼ିବା ଆଶଙ୍କା ରହିଛି । ଅଶୋଧିତ ତେଲର ଦର ବଢ଼ିଲେ ପ୍ରଭାବରେ ସବୁ ସାମଗ୍ରୀର ଦରଦାମ ବଢ଼ିବ । ଇସ୍ରାଏଲ ଆକ୍ରମଣରେ ଇରାନର ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଇରାନ ମଧ୍ୟ ଇସ୍ରାଏଲ ଉପରେ ପାଲଟା ଆକ୍ରମଣ କରିଛି । ତେବେ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ଯୋଗୁଁ ତେଜସ୍କ୍ରିୟ ବିକିରଣ ଆଶଙ୍କାରେ ଉଦବେଗ ପ୍ରକାଶ କରିଛନ୍ତି ବିଶ୍ୱ ସମୁଦାୟ ।