କନକ ବ୍ୟୁରୋ : ୧୨ ଦିନ ଧରି ଇରାନ ଓ ଇସ୍ରାଏଲ ମଧ୍ୟରେ ଲାଗିଥିବା ଘମାଘୋଟ ଯୁଦ୍ଧକୁ ନେଇ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି କି, ଯୁଦ୍ଧ ବିରତି ନେଇ ଇରାନ ଓ ଇସ୍ରାଏଲ ସହମତି ପ୍ରକାଶ କରିଛନ୍ତି । ହେଲେ ଏକ ରିପୋର୍ଟ ମୁତାବକ ଯୁଦ୍ଧ ବିରତି ନେଇ ଇସ୍ରାଏଲ କିଛି ସର୍ତ୍ତ ରଖିଛି । ଇସ୍ରାଏଲ ଓ ଆମେରିକା ଇରାନର ପରମାଣୁ ଠିକଣା ଉପରେ ଆକ୍ରମଣ କରିଥିଲେ । ଏହାର ଜବାବରେ ଇରାନ ବି ଇସ୍ରାଏଲ ଓ ଭୀଷଣ ଆକ୍ରମଣ କରିଥିଲା । 

Advertisment

ସିବିଏସର ରିପୋର୍ଟ ମୁତାବକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସିଧାସଳଖ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ପରେ ଇସ୍ରାଏଲ ଯୁଦ୍ଧ ବିରତି ନେଇ ସହମତି ପ୍ରକାଶ କରିଛି  । ଇସ୍ରାଏଲ କହିଛି କି ଯଦି ଇରାନ ଇସ୍ରାଏଲ ଉପରେ ପ୍ରଥମେ ଆକ୍ରମଣ ନକରିବ ତେବେ ଯୁଦ୍ଧ ବିରତି ପାଇଁ ସହମତି ଦିଆଯିବ । କେବଳ ଇସ୍ରାଏଲ ନୁହେଁ ଇରାନର ବରିଷ୍ଠ ଅଧିକାରୀ କହିଛନ୍ତି କି, ତେହେରାନ ବି ଯୁଦ୍ଧ ବିରତି ପାଇଁ ରାଜି ହୋଇଛି ।

ରିପୋର୍ଟ ମୁତାବକ ଆମେରିକା ରାଷ୍ଟ୍ରପତି ଯୁଦ୍ଧ ବିରତି ଉପରେ ପୁରା ଦଖଲ ଦେଇଥିଲେ । ଯୁଦ୍ଧ ବିରତି ପାଇଁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭେନ୍ସ, ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋ ଓ ବିଶେଷ ଦୂତ ଷ୍ଟିଭ୍ ବିଟକଫ୍ ଇରାନ ସହ ବିଭିନ୍ନ ପ୍ରକାର ଆଲୋଚନା କରିଥିଲେ । ଏଥିରେ ଯୁଦ୍ଧର ପ୍ରତିଟି ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା । 

ସେପଟେ ଅଚାନକ ଯୁଦ୍ଧ ବିରତି ଘୋଷଣାକୁ ନେଇ ଭ୍ରମ ଓ ସନ୍ଦେହ ସୃଷ୍ଟି ହୋଇଛି । କାରଣ ଇରାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ତେହେରାନକୁ ଆମେରିକା ତରଫରୁ କୌଣସି ଅଚାନକ ଯୁଦ୍ଧ ବିରତି ପ୍ରସ୍ତାବ ଦିଆଯାଇନାହିଁ । ଏହାସହ ଔପଚାରିକ ପ୍ରସ୍ତାବ ମଧ୍ୟ ମିଳିନାହିଁ ଏବଂ ଇସ୍ରାଏଲ ବା ୱାସିଂଟନ୍ ସହିତ ଶତ୍ରୁତା ସମାପ୍ତ କରିବାର କୌଣସି କାରଣ ଦେଖିବାକୁ ମିଳିନାହିଁ । 

ସୂତ୍ର ସୂଚନା ମୁତାବକ ଏବେ ବି ଇରାନ ଉପରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି । ଏହାର ଜବାବରେ ଇରାନ ମଧ୍ୟ ଆକ୍ରମଣକୁ ତୀବ୍ର କରିଛି ।