କନକ ବ୍ୟୁରୋ : ଇସ୍ରାଏଲ ଓ ଇରାନ ମଧ୍ୟରେ ଲାଗିଥିବା ଯୁଦ୍ଧ ଏବେ ଥମିଛି । ଉଭୟ ଦେଶ ଯୁଦ୍ଧ ବିରତି ପାଇଁ ସହମତ ହେବା ପରେ ଦୁଇଦେଶର ସାଧାରଣ ଲୋକମାନେ ଟିକେ ଶାନ୍ତିରେ ନିଶ୍ୱାସ ନେଉଛନ୍ତି । ଯୁଦ୍ଧ ସିନା ଥମିଛି ହେଲେ ଇରାନ ତା'ର ଆକ୍ସନ ଜାରି ରଖିଛି । ଆଜି ସକାଳେ ଇରାନ ସରକାର ଇସ୍ରାଏଲକୁ ତଥ୍ୟ ଯୋଗାଉଥିବା ଅଭିଯୋଗରେ ୩ ଜଣଙ୍କୁ ଫାଶୀ ଦେଇଛି ।
ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଫାଶୀ ପାଇଥିବା ୩ ଜଣ ହତ୍ୟା ପାଇଁ ବିନିଯୋଗ ହେଉଥିବା ଅସ୍ତ୍ରଶସ୍ତ୍ର ଇରାନରୁ ଇସ୍ରାଏଲକୁ ଯୋଗାଉଥିବା ଅଭିଯୋଗ ହୋଇଥିଲା । ଏନେଇ ସେମାନଙ୍କ ମଧ୍ୟରେ ମାମଲା ଚାଲୁଥିଲା । ମାମଲାର ଶୁଣାଣି ପରେ ଆଜି ଇରାନ ତରଫରୁ ୩ ଜଣ ଦୋଷୀଙ୍କ ଓରମିୟା ସହରରେ ଫାଶୀ ଦିଆଯାଇଛି । କେବଳ ସେତିକି ନୁହେଁ ଏହି ୧୨ ଦିନର ଯୁଦ୍ଧ ଭିତରେ ଇସ୍ରାଏଲକୁ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଇରାନ ସରକାର ୭୦୦ ରୁ ଅଧିକ ଲୋକଙ୍କୁ ଗିରଫ କରିଛି । ଏହି ସମସ୍ତଙ୍କ ଉପରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ ସହ ଯୋଡି ହୋଇ ଗୁପ୍ତ ତଥ୍ୟ ଯୋଗାଉଥିବାର ଅଭିଯୋଗ ହୋଇଥିଲା । ଏନେଇ ଇରାନ କହିଛି କି, ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ ପଚରାଉଚରା ଚାଲିଛି । ଖୁବଶୀଘ୍ର ଏମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କୁ ଦଣ୍ଡବିଧାନ କରାଯିବ ।