Strait of Hormuz Photograph: (kanak news)
କନକ ବ୍ୟୁରୋ :ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଦୁଇପକ୍ଷଙ୍କ ମଧ୍ୟରେ ଜାରି ରହିଥିବା ଚୁକ୍ତି ଆଲୋଚନା ମଧ୍ୟରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ (ଆଇଆର୍ଜିସି) ରଣନୈତିକ ଭାବେ ହର୍ମୁଜ୍ ପ୍ରଣାଳୀରେ ସାମରିକ ଅଭ୍ୟାସ ଆରମ୍ଭ କରିଛି। ଏହି ଅଭ୍ୟାସକୁ ସ୍ମାର୍ଟ କଣ୍ଟ୍ରୋଲ୍ ଅଫ୍ ଦି ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ନାମ ଦିଆଯାଇଛି। ନୌସେନା ଦ୍ୱାରା ପରିଚାଳିତ ହୋଇଥିବା ଜଣାପଡ଼ିଛି। ଆଇଆର୍ଜିସି କମାଣ୍ଡର-ଇନ୍-ଚିଫ୍ ମେଜର ଜେନେରାଲ ମହମ୍ମଦ ପାକପୁର ସମଗ୍ର ଅଭ୍ୟାସର ତଦାରଖ କରିଥିଲେ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନର ରିଭୋଲ୍ୟୁସନାରୀ ଗାର୍ଡ ନୌସେନା ଦ୍ୱାରା କରାଯାଇଥିବା ଏହି ଅଭ୍ୟାସର ଉଦ୍ଦେଶ୍ୟ ଥିଲା କାର୍ଯ୍ୟକ୍ଷମ ୟୁନିଟ୍ଗୁଡ଼ିକର ପ୍ରସ୍ତୁତି ମୂଲ୍ୟାଙ୍କନ କରିବା, ସୁରକ୍ଷା ଯୋଜନା ସମୀକ୍ଷା କରିବା ଏବଂ ସମ୍ଭାବ୍ୟ ସୁରକ୍ଷା ବିପଦର ସାମରିକ ପ୍ରତିକ୍ରିୟା ଅଭ୍ୟାସ କରିବା। ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ଅଲି ଲାରିଜାନି କହିଥିଲେ ଯେ,ଆମେରିକା ପକ୍ଷରୁ ଇରାନ ବିରୋଧରେ ବଳ ପ୍ରୟୋଗ କରାଗଲେ, ତେହେରାନ ପକ୍ଷରୁ ଆମେରିକୀୟ ଘାଟିଗୁଡ଼ିକୁ ଟାର୍ଗେଟ କରାଯିବ। ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। କିନ୍ତୁ ଯୁଦ୍ଧ ଚାହୁଁନାହୁଁ। ଯଦି ଆମ ଉପରେ ଯୁଦ୍ଧ ଲଦିଦିଆଯାଏ, ତେବେ ଆମେ ତାହାର ଜବାବ ଦେବୁ। ଏହି ବିବୃତି ପରେ ଆଇଆର୍ଜିସି ହର୍ମୁଜ୍ ପ୍ରଣାଳୀରେ ସାମରିକ ଅଭ୍ୟାସ କରିଛି।
ଦୁଇପକ୍ଷଙ୍କ ମଧ୍ୟରେ ସାମରିକ ଉତ୍ତେଜନା ତଥା କୂଟନୈତିକ ସମ୍ପର୍କ ସହିତ ସମାନ୍ତରାଳ ଭାବରେ ଚାଲିଛି। ଆଞ୍ଚଳିକ ଦେଶଗୁଡ଼ିକ ମଧ୍ୟ କୂଟନୀତି ଆରମ୍ଭ କରିଛନ୍ତି। କାରଣ ସମ୍ଭାବ୍ୟ ଯୁଦ୍ଧ ନେଇ ସେମାନଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ଆମେରିକା ଆକ୍ରମଣ କଲେ ଇରାନ ଅନ୍ୟ ସହୟଯୋଗୀ ଦେଶରେ ଥିବା ଆମେରିକା ଏୟାରବେସ୍କୁ ଟାର୍ଗେଟ କରିବାର ଆଶଙ୍କା ରହିଛି।
ପରମାଣୁ ଚୁକ୍ତିକୁ ନେଇ ଇରାନ ଓ ଆମେରିକା ମଧ୍ୟରେ କୂଟନୈତିକ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଅନେକ ରିପୋର୍ଟରେ ଦାବି କରାଯାଇଛି, ଆମେରିକା ଯେକୌଣସି ସମୟରେ ଇରାନ ଉପରେ ଆକ୍ରମଣ କରିପାରେ। ଏହା ମଧ୍ୟରେ, ଇରାନର ରିଭଲ୍ୟୁସନରୀ ଗାର୍ଡ ନୌସେନା ରଣନୈତିକ ହର୍ମୁଜ୍ ପ୍ରଣାଳୀରେ ସାମରିକ ଅଭ୍ୟାସ ଆରମ୍ଭ କରି ସ୍ଥିତିକୁ ଅଧିକ ଖରାପ କରିଛି।
ଟ୍ରମ୍ପଙ୍କ ଚେତାବନୀ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ କଡ଼ା ଚେତାବନୀ ଦେଇ କହିଥିଲେ ଯେ, ଯଦି ଇସଲାମିକ ଗଣରାଜ୍ୟ ଆମେରିକା ସହିତ ଏକ ଚୁକ୍ତିରେ ପହଞ୍ଚିବାରେ ବିଫଳ ହୁଏ, ତେବେ ତେହେରାନ ପାଇଁ ପରିଣାମ ଭୟଙ୍କର ହେବ। ହ୍ୱାଇଟ୍ ହାଉସ୍ରେ ତାଙ୍କ ଭାଷଣରେ ଟ୍ରମ୍ପ କହିଥିଲେ, ଆମକୁ ଇରାନ ସହିତ ଏକ ଚୁକ୍ତି କରିବାକୁ ପଡିବ, ନଚେତ୍ ପରିଣାମ ଭୟଙ୍କର ହେବ।
Follow Us