କନକ ବ୍ୟୁରୋ : ସାରା ବିଶ୍ୱ ଏବେ ଯୁଦ୍ଧ ମୁହାଁ । ବିଶ୍ୱର ଭିନ୍ନ ଭିନ୍ନ ଦେଶ ଏବେ ଯୁଦ୍ଧ ଲଢୁଛନ୍ତି । ୟୁକ୍ରେନ ଋଷ ସହ, ଇସ୍ରାଏଲ ପାଲେଷ୍ଟାଇନ ସହ ଘମାଘୋଟ ଯୁଦ୍ଧ ଲଢୁଛି । ଏହାରି ଭିତରେ ଆଉ ଏକ ଦେଶ ଯୁଦ୍ଧ ଲଢିବାକୁ ସଜବାଜ ହେଉଛି । ଗୋଟିଏ ପଟେ ଆମେରିକା ଓ ଅନ୍ୟପଟେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିପାରନ୍ତି । ଏହାକୁ ନଜରରେ ରଖି ଇରାନ ଏବେ ଚୀନ ସହ ଏକ ବଡ଼ ଯୁଦ୍ଧାସ୍ତ୍ର ଚୁକ୍ତି କରିଛି । 

Advertisment

ୱାଲ ଷ୍ଟ୍ରିଟ୍ ଜର୍ନାଲ ରିପୋର୍ଟ ମୁତାବକ ଇରାନ ଚୀନ ସହ ଯେଉଁ ମିସାଇଲ ଇନ୍ଧନ ପାଇଁ ଡିଲ୍ କରିଛି ସେହି କ୍ରମରେ ଇରାନ  ଚୀନ ଠାରୁ ୧ ହଜାର ଟନ୍ ମିସାଇଲ ଇନ୍ଧନ କିଣିବ  । ଏହି ଇନ୍ଧନ ବ୍ୟବହାର କରି ଇରାନ ୮୦୦ ରୁ ଅଧିକ ବାଲାଷ୍ଟିକ୍ ମିସାଇଲ ନିର୍ମାଣ କରିପାରିବ ।

ସେପଟେ ୨୦୨୩ ଅକ୍ଟୋବର ମାସରେ ଇସ୍ରାଏଲ ଆକ୍ରମଣରେ ଇରାନର ୧୨ ଟି ପ୍ଲାନେଟାରୀ ମିକ୍ସର ନଷ୍ଟ ହୋଇଥିଲା, ଏହାକୁ ପୁଣି ନିର୍ମାଣ କରିବାକୁ ଇରାନ ଅଣ୍ଟା ଭିଡିଛି । ଅନ୍ୟପଟେ ୨୦୨୩ ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ୨୬୦ ଟି ମିସାଇଲ ପାଇଁ ଚୀନ ଦ୍ୱାରା ତେହରାନକୁ ମିସାଇଲ ଇନ୍ଧନ ପଠାଯାଇଥିଲା । ହେଲେ ଇରାନର ପରମାଣୁ କାର୍ଯ୍ୟକ୍ରମରେ ଆମେରିକା ଖୁସି ନଥିଲା । ୨୦୨୨ ରେ ଓମାନ ରୁ ଇରାନ ଯାଉଥିବା ୭୦ ଟନ୍ ପରମାଣୁ ଇନ୍ଧନକୁ ଆମେରିକା ଜବତ କରିନେଇଥିଲା । 

ଆମେରିକା ବାରମ୍ବାର ଧମକ ଦେଉଛି କି, ସେ ଇରାନକୁ ପରମାଣୁ ଅସ୍ତ୍ର ବିକଶିତ କରିବାକୁ ଦେବ ନାହିଁ । ଏବେ ଏବେ ଆମେରିକା ଇରାନକୁ ଏକ ପ୍ରସ୍ତାବ ଦେଇଥିଲା । ଯେଉଁଥିରେ ଇରାନକୁ ସୀମିତ ସ୍ତରରେ ୟୁରାନିୟମ ସମ୍ବର୍ଦ୍ଦନ ପାଇଁ ଆମେରିକା ଅନୁମତି ଦେଇଥିଲା । ଏବେ ଇରାନ ପରମାଣୁ କାର୍ଯ୍ୟକ୍ରମ ସମ୍ବନ୍ଧିତ କାର୍ଯ୍ୟକ୍ରମ ଉପରୁ ଆମେରିକା ପ୍ରତିବନ୍ଧକ ହଟାଉ ବୋଲି ଦାବି କରିଛି । ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସିଧାସଳଖ ମନା କରିଦେଇଛନ୍ତି ।