Iran Photograph: (kanak news)
କନକ ବ୍ୟୁରୋ : ଇରାନ ଓ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ନୂତନ ସାଟେଲାଇଟ୍ ଚିତ୍ର ବିଶ୍ୱକୁ ଚକିତ କରିଛି । ଏହି ଚିତ୍ରଗୁଡ଼ିକ ନତାଞ୍ଜ ଓ ଇସ୍ଫାହାନ ପରମାଣୁ ପ୍ରତିଷ୍ଠାନରେ ହେଉଥିବା ନୂତନ ନିର୍ମାଣ କାର୍ଯ୍ୟକୁ ପ୍ରକାଶିତ କରିଛି । ଗତ ବର୍ଷର ଆକ୍ରମଣ ପରେ, ଇରାନ ଏହି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନୂତନ ଛାତ ନିର୍ମାଣ କରୁଥିବା ଜଣାପଡ଼ିଛି ।
ପରମାଣୁ କେନ୍ଦ୍ର ନିର୍ମାଣ
ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି, ଇରାନ ନତାଞ୍ଜ ଓ ଇସ୍ଫାହାନରେ କ୍ଷତିଗ୍ରସ୍ତହୋଇଥିବା ସ୍ଥାନରେ ନୂତନ ଛାତ ନିର୍ମାଣ କରିଛି । ଇସ୍ରାଏଲ ଓ ଆମେରିକା ଦ୍ୱାରା ଗତ ବର୍ଷ ହୋଇଥିବା ବିଧ୍ୱଂସକାରୀ ଏୟାର ଷ୍ଟ୍ରାଇକ୍ ପରେ ଏହି ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ କରାଯାଇଥିବାର ପ୍ରମାଣ ସାଟେଲାଇଟ୍ ଚିତ୍ରରୁ ମିଳିଛି । ପ୍ଲାନେଟ୍ ଲ୍ୟାବ୍ସ ପିବିସି ଦ୍ୱାରା ପ୍ରକାଶିତ ଏହି ସାମ୍ପ୍ରତିକ ଚିତ୍ରଗୁଡ଼ିକ ଅନ୍ତର୍ଜାତୀୟ ସୁରକ୍ଷା ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏହାକୁ ନେଇ ଏବେ ଆମେରିକା ଓ ଇସ୍ରାଏଲର ଚିନ୍ତା ବଢ଼ିବାରେ ଲାଗିଛି ।
ସମ୍ବେଦନଶୀଳ ବିଷୟବସ୍ତୁ ଲୁଚାଯାଉଛି
ଆନ୍ତର୍ଜାତୀୟ ସମ୍ପ୍ରଦାୟ ଭୟ କରୁଛି ଯେ, ଆକ୍ରମଣ ପରେ ରହିଯାଇଥିବା ସମ୍ବେଦନଶୀଳ ପରମାଣୁ ସମ୍ପଦଗୁଡ଼ିକୁ ଲୁଚାଇବା ପାଇଁ ଇରାନ ସରକାର ନୂଆ ଛାତ ନିର୍ମାଣ କରିଛନ୍ତି । ବିଶେଷଜ୍ଞମାନଙ୍କ ଅନୁସାରେ ନତାଞ୍ଜ କେନ୍ଦ୍ରର ଭଗ୍ନାବଶେଷରୁ ସମୃଦ୍ଧ ୟୁରାନିୟମ ଓ ମୂଲ୍ୟବାନ ଉପକରଣଗୁଡ଼ିକୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ ଏହା ଏକ ପ୍ରୟାସ ହୋଇପାରେ । ଇରାନ ପୂର୍ବରୁ ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି ନିରୀକ୍ଷକମାନଙ୍କୁ ଦେଶରେ ପ୍ରବେଶ କରିବାକୁ ବାରଣ କରିଛି । ଫଳରେସାଟେଲାଇଟ୍ ଚିତ୍ରର ପ୍ରକୃତ ସତ୍ୟ କ’ଣ ତାହା ଜାଣିବା ସମ୍ଭବ ହୋଇପାରୁନାହିଁ ।
ଅଧିକ ପଢ଼ନ୍ତୁ---ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ ତଦନ୍ତରେ ନୂଆ ମୋଡ଼ : ବଡ଼ ଆତଙ୍କବାଦୀ ଷଡ୍ଯନ୍ତ୍ରର ପର୍ଦ୍ଦାଫାସ୍
ନତାଞ୍ଜ କେନ୍ଦ୍ରର ଗୁରୁତ୍ୱ
ତେହେରାନରୁ ପ୍ରାୟ ୨୨୦ କିଲୋମିଟର ଦୂରରେ ଅବସ୍ଥିତ ନତାଞ୍ଜ ପରମାଣୁ କେନ୍ଦ୍ରକୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ୟୁରାନିୟମ୍ ସମୃଦ୍ଧ କେନ୍ଦ୍ର ଭାବରେ ବିବେଚନା କରାଯାଇଥାଏ । ଜୁନ୍ ମାସରେ ଇସ୍ରାଏଲ ଇରାନର ଏଭଳି ୟୁନିଟ୍କୁ ନଷ୍ଟ କରିଦେଇଥିଲା । ପରେ ଆମେରିକା ବଙ୍କର-ବଷ୍ଟର ବୋମା ମଧ୍ୟ ବହୁ କ୍ଷତି ଘଟାଇଥିଲା । ସାମ୍ପ୍ରତିକ ଫଟୋ ଅନୁସାରେ ନତାଞ୍ଜରେ ଏକ ନୂତନ ଛାତ ନିର୍ମାଣ ଡିସେମ୍ବର ମାସରେ ଆରମ୍ଭ ହୋଇ ମାସର ଶେଷ ସୁଦ୍ଧା ସମାପ୍ତ ହୋଇଥିଲା ।
ଇସ୍ଫାହାନରେ ଭୂତଳ ଖନନ
ଜାନୁଆରି ମାସ ଆରମ୍ଭରେ ଇସ୍ଫାହାନରେ ସେଣ୍ଟ୍ରିଫ୍ୟୁଜ୍ ଉତ୍ପାଦନ ୟୁନିଟଗୁଡ଼ିକୁ ବାହ୍ୟ ନିରୀକ୍ଷଣରୁ ସୁରକ୍ଷିତ ରଖିବା ପାର୍ଇ ମଧ୍ୟ ଛାତ ନିର୍ମାଣ କରାଯାଇଥିଲା । ନତାଞ୍ଜ ନିକଟସ୍ଥ ପିକାକ୍ସ ପର୍ବତରେ ମଧ୍ୟ ଖନନ କାର୍ଯ୍ୟ ଜାରି ରହିଛି । ସେଠାରେ ଏକ ନୂତନ ଭୂତଳ ପରମାଣୁ କେନ୍ଦ୍ର ଥିବାର ସଙ୍କେତ ମିଳୁଛି । ଚିତ୍ରଗୁଡ଼ିକ କିଛି ପୁରୁଣା ସୁଡ଼ଙ୍ଗକୁ ମାଟିରେ ଭର୍ତ୍ତି କରାଯାଉଥିବା ଓ ଏକ ମୁଖ୍ୟ ସୁଡ଼ଙ୍ଗକୁ ମଜବୁତ କରାଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି ।
କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ତ୍ୱରାନ୍ୱିତ
ଇରାନ ପରମାଣୁ ପ୍ରତିଷ୍ଠାନ ସହିତ ନିଜର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଜାରି ରୀହିଥିବା ସ୍ଥାନଗୁଡ଼ିକର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି । ତେହେରାନ ନିକଟସ୍ଥ ପାର୍ଚିନ୍ ସାମରିକ କମ୍ପ୍ଲେକ୍ସରେ ତାଲେଘାନ୍-୨ ନାମରେ ଜଣାଶୁଣା ସ୍ଥାନକୁ ଏବେ ପୁନଃବିକଶିତ ଓ ସୁଦୃଢ଼ ​​କରାଯାଉଛି । ବିଶ୍ଳେଷକମାନଙ୍କ ଅନୁସାରେ ଏହି ସ୍ଥାନଟି ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ତଥା ବାହ୍ୟ ଆକ୍ରମଣକୁ ରୋକିବାରେ ଯେପରି ପ୍ରତିରୋଧୀ ହୋଇପାରିବ ସେନେଇ ଲକ୍ଷ୍ୟ ରଖାଯାଇଛି ।
ଅନ୍ତର୍ଜାତୀୟସ୍ତରରେ ଉତ୍ତେଜନା ବୃଦ୍ଧି
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ପରମାଣୁ ଚୁକ୍ତି ଉପରେ ଆଲୋଚନା କରିବାକୁ ଦାବି କରୁଛନ୍ତି । କିନ୍ତୁ ଉତ୍ତେଜନା କମୁନି । ଆମେରିକା ନିଜର ବିମାନ ବାହକ ୟୁଏସ୍ଏସ୍ ଆବ୍ରାହମ ଲିଙ୍କନ ଓ ବହୁ ଗାଇଡେଡ୍-କ୍ଷେପଣାସ୍ତ୍ର ବିଧ୍ୱଂସକ ମୁତୟନ କରି ଏହି ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରିଛି । ଇରାନ ଦାବି କରୁଛି, ଦେଶର ହେଉଥିବା ପରମାଣୁ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ । ତେବେ ପାଶ୍ଚାତ୍ୟ ଦେଶ ଓ ଆନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (ଆଇଏଇ) ଇରାନର ଅସ୍ତ୍ରଶସ୍ତ୍ର କ୍ଷମତା ଉପରେ ସନ୍ଦେହ ପ୍ରକାଶ କରୁଛନ୍ତି ।
Follow Us