କନକ ବ୍ୟୁରୋ : ହରିଆଣାର ବରିଷ୍ଠ ଆଇଏଏସ ଅଧିକାରୀ ୱାଇ, ପୂରନ କୁମାରଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ପତ୍ନୀ ତଥା ଆଇଏଏସ ଅଧିକାରିଣୀ ଅମନିତ୍ ପି.କୁମାର ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନିଙ୍କୁ ଚିଠି ଲେଖି ଗମ୍ଭୀର ଅଭିଯୋଗ ଆଣିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସେ ଉଲ୍ଲେଖ କରିଛନ୍ତି କି, ତାଙ୍କ ସ୍ୱାମୀଙ୍କ ରୁମରୁ ୮ ଫର୍ଦ୍ଦର ସୁଇସାଇଡ଼୍ ନୋଟ ଓ ଔପଚାରିକ ଅଭିଯୋଗ ପରେ ବି ପୁଲିସ ଏପର୍ଯ୍ୟନ୍ତ ଏଫଆଇଆର ରୁଜୁ କରୁନାହିଁ । କାରଣ ସୁଇସାଇଡ୍ ନୋଟରେ ହରିଆଣା ପୁଲିସ ଓ ପ୍ରଶାସନର ଅନେକ ବରିଷ୍ଠ ଅଧିକାରୀଙ୍କ ନାମ ସାମିଲ ରହିଛି ।
ଅମନିତ୍ ଚିଠିରେ ଲେଖିଛନ୍ତି କି, ସୁଇସାଇଡ ନୋଟରେ ଯେଉଁ ବରିଷ୍ଠ ଅଧିକାରୀଙ୍କ ନାମ ରହିଛି ଏପର୍ଯ୍ୟନ୍ତ ପୁଲିସ ସେମାନଙ୍କୁ ଜେରା କରୁନାହିଁ । ଆତ୍ମହତ୍ୟା ପଛରେ ଶକ୍ତିଶାଳୀ ଲୋକଙ୍କ ହାତ ଥିବାରୁ ସେମାନେ ଯାଂଚକୁ ପ୍ରଭାବିତ କରୁଛନ୍ତି । ଏଣୁ ପୁଲିସ କୌଣସି ପଦକ୍ଷେପ ନେଉନାହିଁ । ଏହାସହ ଅଭିଯୁକ୍ତ ଅଧିକାରୀମାନେ ଏବେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ବଦନାମ କରିବା ସହ ଫସାଇବାକୁ ଚେଷ୍ଟା କରୁଥିବା ଅମନିତ୍ ଚିଠିରେ ଉଲ୍ଲେଖ କରିଛନ୍ତି ।
କହିରଖୁ କି ଯେଉଁଦିନ ଆଇପିଏସ୍ ୱାଇ ପୂରନ କୁମାର ଆତ୍ମହତ୍ୟା କଲେ ସେଦିନ ତାଙ୍କ ପତ୍ନୀ ସରକାରୀ କାର୍ଯ୍ୟକ୍ରମରେ ଜାପାନରେ ଥିଲେ । ସେ କହିଛନ୍ତି କି, ହ୍ୱାଟସପରେ ତାଙ୍କ ସ୍ୱାମୀଙ୍କ ସୁଇସାଇଡ ନୋଟ ମିଳିବା ପରେ ସେ ଲଗାତାର ୧୫ ଥର ଫୋନ କରିଛନ୍ତି । ହେଲେ କେହି ତାଙ୍କ ଫୋନ ଉଠାଇନଥିଲେ । ଏହାପରେ ସେ ଫୋନ ମାଧ୍ୟମରେ ତାଙ୍କ ଝିଅଙ୍କୁ ଘରକୁ ପଠାଇଥିଲେ । ଝିଅ ଘରେ ପହଂଚିବା ପରେ ଦେଖିବାକୁ ପାଇଥିଲେ କି ବେସମେଣ୍ଟରେ ୱାଇ ପୂରନ କୁମାର ମୃତ ଅବସ୍ଥାରେ ପଡ଼ି ରହିଥିଲେ ।
ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ ରହିଛି କି, ଆତ୍ମହତ୍ୟା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହେଉ ଓ ସେମାନଙ୍କୁ ନିଲମ୍ବନ କରାଯାଉ । ଏଭଳି କରାନଗଲେ ଅଭିଯୁକ୍ତମାନେ ପ୍ରମାଣକୁ ହେରଫେର କରିଦେବାର ସମ୍ଭାବନା ରହିଛି ।