କନକ ବ୍ୟୁରୋ : କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଯେପରିକି ଆଧାର କାର୍ଡ ଏବଂ ପାନ୍ କାର୍ଡକୁ ନିଷ୍କ୍ରିୟ କରିବା ଅତ୍ୟନ୍ତ ଜରୁରୀ ଅଟେ । ଏହା ଦ୍ବାରା ଏହି କାର୍ଡଗୁଡ଼ିକର ଅପବ୍ୟବହାରକୁ ରୋକାଯାଇପାରିବ । ବର୍ତ୍ତମାନ ଏହି କାର୍ଯ୍ୟଗୁଡ଼ିକୁ ସହଜ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାହା ଅନଲାଇନ୍ ମାଧ୍ୟମରେ ଅତି ସହଜରେ କରାଯାଇପାରିବ ।
ପାନ୍ କାର୍ଡ (PAN Card) କିପରି ନିଷ୍କ୍ରିୟ କରିବେ ?
ମୃତ ବ୍ୟକ୍ତିଙ୍କ ପାନ୍ କାର୍ଡ ନିଷ୍କ୍ରିୟ କରିବା ବାଧ୍ୟତାମୂଳକ ନୁହେଁ । କିନ୍ତୁ କୌଣସି ଆର୍ଥିକ ଠକେଇରୁ ବର୍ତ୍ତିବା ପାଇଁ ଏହାକୁ ବନ୍ଦ କରିଦେବା ଉଚିତ୍ । ପାନ୍ କାର୍ଡ ଡିଆକ୍ଟିଭ୍ କରିବା ପୂର୍ବରୁ ମୃତକଙ୍କର ସମସ୍ତ ଆୟକର ରିଟର୍ଣ୍ଣ (ITR) ଦାଖଲ କରିବା ଜରୁରୀ ଅଟେ ।
ଅଫଲାଇନ୍ ପ୍ରକ୍ରିୟା:
ମୃତକଙ୍କ ଆଇନଗତ ଉତ୍ତରାଧିକାରୀଙ୍କୁ ଆୟକର ବିଭାଗର ଆସେସିଙ୍ଗ୍ ଅଫିସରଙ୍କ ନିକଟରେ ଏକ ଆବେଦନ ପତ୍ର ଦାଖଲ କରିବାକୁ ପଡ଼ିବ । ଏହି ଆବେଦନରେ ମୃତ ବ୍ୟକ୍ତିଙ୍କ ନାମ, ପାନ୍ ନମ୍ବର ଏବଂ ଜନ୍ମ ତାରିଖ ଉଲ୍ଲେଖ କରିବେ । ମୃତ୍ୟୁର କାରଣ ସହିତ ମୃତ୍ୟୁ ପ୍ରମାଣପତ୍ରର ଏକ କପି ମଧ୍ୟ ଦାଖଲ କରିବାକୁ ପଡ଼ିବ । ଏହା ସହ ଆବେଦନ କରିଥିବା ବ୍ୟକ୍ତିଙ୍କ ନାମ ଏବଂ ପାନ୍ କାର୍ଡର କପି ଡିପୋଜିଟ୍ କରିବେ ।
ଅନଲାଇନ୍ ପ୍ରକ୍ରିୟା:
ପାନ୍ କାର୍ଡ ନିଷ୍କ୍ରିୟ ପାଇଁ NSDL ୱେବସାଇଟ୍ ମାଧ୍ୟମରେ ଏକ ବିକଳ୍ପ ରହିଛି । ଏଥିପାଇଁ 'Changes or Correction in existing PAN Data' ବିକଳ୍ପକୁ ଯାଇ ଯେଉଁ ପାନ୍ କାର୍ଡ ବନ୍ଦ କରିବାକୁ ଚାହୁଁଛନ୍ତି ତାହା ଉଲ୍ଲେଖ କରିବାକୁ ପଡ଼ିବ ।
ଆଧାର କାର୍ଡ (Aadhaar Card) କିପରି ନିଷ୍କ୍ରିୟ କରିବେ?
ପୂର୍ବରୁ ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ବାତିଲ ବା ନିଷ୍କ୍ରିୟ କରିବାର କୌଣସି ବ୍ୟବସ୍ଥା ନଥିଲା । କିନ୍ତୁ ଏବେ ଏଥିପାଇଁ ସୁବିଧା ଉପଲବ୍ଧ ହୋଇଛି ।
ଅନଲାଇନ୍ ପ୍ରକ୍ରିୟା:
ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ଏକ ନୂତନ ସୁବିଧା ଆରମ୍ଭ କରିଛି । ଯାହାଦ୍ୱାରା ପରିବାରର ସଦସ୍ୟମାନେ ମୃତ ବ୍ୟକ୍ତିଙ୍କ ଆଧାର ନିଷ୍କ୍ରିୟ କରିପାରିବେ ।
ପ୍ରଥମେ UIDAIର ଅଫିସିଆଲ୍ ୱେବସାଇଟ୍ (myAadhaar) କୁ ଯାଇ ଲଗ୍ଇନ୍ କରନ୍ତୁ ।
ଏହା ପରେ 'Report Death of Family Member' ବିକଳ୍ପକୁ ଚୟନ କରନ୍ତୁ ।
ମୃତ ବ୍ୟକ୍ତିଙ୍କ ଆଧାର ନମ୍ବର, ମୃତ୍ୟୁ ପ୍ରମାଣପତ୍ରରେ ଥିବା ନାମ, ଲିଙ୍ଗ, ମୃତ୍ୟୁ ତାରିଖ ଏବଂ ମୃତ୍ୟୁ ପଞ୍ଜୀକରଣ ନମ୍ବର ଭଳି ତଥ୍ୟ ଦିଅନ୍ତୁ ।
ମୃତ୍ୟୁ ପ୍ରମାଣପତ୍ରର ସ୍କାନ୍ କପି (JPG, PNG କିମ୍ବା PDF ଫର୍ମାଟରେ ୨ MBରୁ କମ୍) ଅପଲୋଡ୍ କରନ୍ତୁ ।
ଏହାପରେ ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଏକ OTP ଆସିବ, ଯାହାକୁ ଦାଖଲ କରିବା ପରେ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ।
ଯାଞ୍ଚ ପରେ ଆଧାର ନମ୍ବରକୁ ନିଷ୍କ୍ରିୟ କରାଯିବ ଏବଂ ଏହାର ସୂଚନା ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ପଠାଯିବ ।
ଯଦି ଏହି ପ୍ରକ୍ରିୟାରେ ଅସୁବିଧା ହୁଏ, ତେବେ ଅପବ୍ୟବହାର ରୋକିବା ପାଇଁ UIDAI ୱେବସାଇଟରେ ମୃତକଙ୍କ ଆଧାର ବାୟୋମେଟ୍ରିକ୍ସକୁ ଲକ୍ କରିପାରିବେ ।