କନକ ବ୍ୟୁରୋ: ଆଇପିଏଲ୍ରେ ଚମତ୍କାର ପ୍ରଦର୍ଶନ କରିଥିବା ପଞ୍ଜାବ କିଙ୍ଗ୍ସର ବାମହାତୀ ସ୍ପିନର ହରପ୍ରୀତ ବ୍ରାର୍ଙ୍କୁ ଭାରତୀୟ ଦଳର ଅଭ୍ୟାସ ଶିବିରରେ ଦେଖିବାକୁ ମିଳିଛି । ଏଜ୍ବାଷ୍ଟନ୍ରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ନେଟ୍ସ ଲାଗି ତାଙ୍କୁ ଗେଷ୍ଟ୍ ବୋଲର ଭାବେ ସାମିଲ କରାଯାଇଛି । ଭାରତୀୟ ଅଧିନାୟକ ତଥା ପଞ୍ଜାବରେ ଜନ୍ମିତ ଶୁବମନ ଗିଲ୍ଙ୍କ ଅନୁରୋଧରେ ସେ ବି ନେଟ୍ସରେ ଯୋଗ ଦେଇ ବୋଲିଂ ଆରମ୍ଭ କରି ଦେଇଛନ୍ତି । ତାଙ୍କୁ କେବଳ ଅଭ୍ୟାସ ଉଦ୍ଦେଶ୍ୟରେ ସାମିଲ କରାଯାଇଥିବାରୁ ସେ ଅଣଦଳୀୟ ପୋଷାକ ପିନ୍ଧି ବୋଲିଂ କରୁଥିବା ଦେଖିବାକୁ ମିଳିଛି ।
ବିସିସିଆଇ ବ୍ରାର୍ଙ୍କ ଅଭ୍ୟାସ ଅଧିବେଶନର ଏକ ଭିଡିଓ ପୋଷ୍ଟ କରିଛି । ଯେଉଁଥିରେ ବ୍ରାର୍, ପତ୍ନୀଙ୍କ ଘରୋଇ ସହର ସ୍ୱିଡେନ୍ରେ ଥିବା ଉଲ୍ଲେଖ କରିବା ସହ ଅଧିନାୟକ ଗିଲ୍ଙ୍କ ମେସେଜ୍ ପାଇବା ପରେ ସେ ତା’ପରଦିନ ଭାରତୀୟ ଦଳର ଅଭ୍ୟାସ ଅଧିବେଶନରେ ଯୋଗ ଦେଇଥିବା କହିଛନ୍ତି । ‘‘ମୋ ପତ୍ନୀର ଘର ସ୍ବିଡେନ୍। ଏହା ବର୍ମିଂହାମ୍ର ଅତି ନିକଟରେ। ମାତ୍ର ୧-୧.୫ ଘଣ୍ଟା ସମୟ ଲାଗୁଛି। ଶୁବମନ ମତେ କାଲି ମେସେଜ୍ କଲେ। ତେଣୁ ମୁଁ ବର୍ମିଂହାମକୁ ଆସିଲି ଏବଂ ଅଭ୍ୟାସ କଲି’’ ବୋଲି ଏକ ଭିଡିଓରେ ବ୍ରାର୍ କହିଛନ୍ତି । ବ୍ରାର୍ଙ୍କ ବାଦ୍ ଚଣ୍ଡିଗଡ଼ର ଅନ୍ୟ ଜଣେ ବୋଲର ଜଗଜିତ ସିଂହ ସାନ୍ଧୁ ମଧ୍ୟ ଭାରତୀୟ ନେଟ୍ସରେ ଗେଷ୍ଟ୍ ବୋଲର୍ ରହିଥିଲେ ।
ସେପଟେ ଭାରତୀୟ ଦଳ କଥା କହିଲେ ୫ ଟିକିଆ ଟେଷ୍ଟ ସିରିଜରେ ଏବେ ୧-୦ରେ ପଛୁଆ ରହିଛି । ଲିଡ୍ସ ଟେଷ୍ଟ ମ୍ୟାଚ୍କୁ ୫ ୱିକେଟ୍ରେ ଜିତି ନେଇଥିଲା ଇଂଲଣ୍ଡ ଦଳ । ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଅତି ନିରାଶାଜନକ ବୋଲିଂ ଓ ଫିଲ୍ଡିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଫଳ ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲା ଇଂଲଣ୍ଡ ଦଳ । ଏବେ ଏଜ୍ବାଷ୍ଟନ ଟେଷ୍ଟରେ ପୁରୁଣା ଭୁଲ ସୁଧାରି ମ୍ୟାଚ୍ରେ ବିଜୟ ହେବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।