କନକ ବ୍ୟୁରୋ: ଜାମ୍ମୁ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ହୋଇଥିଲା ଆତଙ୍କୀ ଆକ୍ରମଣ । ଯେଉଁଥିରେ ୨୬ ପର୍ଯ୍ୟଟକ ଜୀବନ ଚାଲିଯାଇଥିଲା । ଆଉ ଏହାର ଜବାବରେ ପାକିସ୍ତାନ ଓ ପିଓକେର ୯ଟି ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା ଭାରତ । ଏହାପରେ ଦେଶର ଉତ୍ତର ଓ ପଶ୍ଚିମ ଅଂଶରେ ପାଖାପାଖି ୧୮ଟି ଏୟାର ବେସ ବନ୍ଦ କରିଦିଆଯାଇଛି । ଯେଉଁଥିରେ ଶ୍ରୀନଗର, ଲେହ, ଜମ୍ମୁ, ଅମୃତସର, ପଠାନକୋଟ, ଚଣ୍ଡିଗଡ଼, ଯୋଧପୁର, ଜୈସଲମର, ଶିମଲା, ଧର୍ମଶାଳା ଓ ଜାମନଗର ସାମିଲ ଅଛି ।
ପାକିସ୍ତାନର ଆତଙ୍କୀ ଆଡ୍ଡାରେ ଭାରତର ମିସାଇଲ ମାଡ଼ ପରେ ଧର୍ମଶାଳା ଏୟାର ବେସ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି । ଏହି କାରଣରୁ ଆଇପିଏଲ ଟିମଙ୍କ ଯାତ୍ରା ଉପରେ ପ୍ରଭାବ ପଡୁଛି, ଯେଉଁମାନଙ୍କ ମ୍ୟାଚ ସେଠାରେ ରହିଛି । ମେ ୧୧ ତାରିଖରେ ପଞ୍ଜାବ କିଙ୍ଗସ ଓ ମୁମ୍ୱାଇ ଇଣ୍ଡିଆନ୍ସ ମଧ୍ୟରେ ଏହି ଗ୍ରାଉଣ୍ଡରେ ମ୍ୟାଚ ହେବାର ଥିଲା । ହେଲେ ଏହି ମ୍ୟାଚକୁ ଏବେ ଏହମ୍ମଦାବାଦକୁ ସିଫ୍ଟ କରାଯାଇଛି ।